Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱର କ୍ଲବ ଆନେକ୍ସରେ ହାଇଡ୍ରାମା, ଅଧାରେ ବାହାଘରରୁ ଫେରିଲେ ବର-କନ୍ୟା

ଭୁବନେଶ୍ୱର,୧|୧୨: ବାହାଘର ବେଦିରେ ବସିଥିଲେ ବର-କନ୍ୟା। ବିବାହର ମନ୍ତ୍ର ପଢ଼ୁଥିଲେ ପୁରୋହିତ। ହସ୍ତଗଣ୍ଠି ମଧ୍ୟ ପଡ଼ି ସାରିଥିଲା । କିଛି ସମୟ ପରେ ଅଗ୍ନିକୁ ସାକ୍ଷୀ ରଖି ସାତ ବଚନ ନେଇ ସାତ ଘେରା ବୁଲିଥାନ୍ତେ ବରକନ୍ୟା । ତେବେ ବିବାହ କାର୍ଯ୍ୟ ଚାଲୁଥିବା ସମୟରେ ହଠାତ୍ ବିବାହ ବେଦିକୁ ମାଡ଼ି ଆସିଲେ ମଣ୍ଡପ କର୍ତ୍ତୃପକ୍ଷ । କନ୍ୟା ପକ୍ଷକୁ କହିଲେ, ବାହାଘର ପାଇଁ ଯେତିକି ସମୟ ନେଇଥିଲ ତାର ସମୟ ସୀମା ସରିଯାଇଛି ଏବେ କାର୍ଯ୍ୟ ଏତିକିରେ ବନ୍ଦ କର । ବର୍ତ୍ତମାନ ଏଠି ଅନ୍ୟ ଜଣେ ନବଦମ୍ପତିଙ୍କ ବିବାହ ଭୋଜି ଅଛି । ତୁରନ୍ତ ମଣ୍ଡପ ଖାଲି କର । ଉଭୟ ବର-କନ୍ୟା ପକ୍ଷ ଏହାକୁ ବିରୋଧ କଲେ । ମାତ୍ର ଅଧା ଘଣ୍ଟା ପାଇଁ ଅପେକ୍ଷା କରିବାକୁ ଅନୁରୋଧ କରିବା ସତ୍ତ୍ୱେ ମଣ୍ଡପ କର୍ତ୍ତୃପକ୍ଷ ଜମା ଶୁଣିଲେ ନାହିଁ । ମଣ୍ଡପ ଖାଲି କରିବା ଜିଦରେ ଅଟଳ ରହିଲେ । ବିବାହ ସାମଗ୍ରୀ ସବୁ ମଣ୍ଡପ ବାହାରକୁ ଫିଙ୍ଗିଦେବାର ଧମକ ମଧ୍ୟ ଦେଲେ । ଉଭୟ ପକ୍ଷ ଭିତରେ ଢ଼େର୍ ସମୟ ଧରି ଯୁକ୍ତିତର୍କ ଚାଲିଲା । ମଣ୍ଡପ କର୍ତ୍ତୃପକ୍ଷଙ୍କ ନାଲିଆଖି ଆଗରେ ଶେଷରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ ବର-କନ୍ୟା ପକ୍ଷ । ଅଧା ମନ୍ତ୍ରପଢ଼ାରେ ବାହାଘର ସାରିବାକୁ ବାଧ୍ୟ ହେଲେ | ଏଭଳି ବିଚିତ୍ର ଘଟଣା ଘଟିଛି ଭରତପୁର ଥାନା ଅଧୀନ କଳିଙ୍ଗ ଷ୍ଟୁଡିଓ ଛକ ନିକଟସ୍ଥ ଭୁବନେଶ୍ୱର କ୍ଲବ ଆନେକ୍ସରେ |

ସୂଚନା ଅନୁସାରେ, ବିବାହ ମଣ୍ଡପଟି ହେଉଛି ଭୁବନେଶ୍ୱର କ୍ଲବର । ଏସ୍ଓଏସ୍ ଭିଲେଜ କଡ଼ରେ ଏହି କ୍ଲବର ଏକ ବିଶାଳକାୟ ଓ ଆଲିସାନ ବିଲ୍ଡିଂ ଟି ରହିଛି । ତେବେ ଉକ୍ତ ବିଲ୍ଡିଂରେ ୨ଟି ପ୍ରଶସ୍ଥ ଲନ୍ ସହ ଗୋଟିଏ ବିରାଟ ହଲ୍ ମଧ୍ୟ ରହିଛି | ସହରର ଏହି ନାମୀ କ୍ଲବର ଜଣେ କର୍ପୋରେଟ ସଦସ୍ୟଙ୍କ କନ୍ୟା ବାହାଘର ବେଳେ ଏଭଳି ହାଇଡ୍ରାମା ଘଟିଛି । କର୍ପୋରେଟ୍ ସଦସ୍ୟ ଜଣକ ଜଣେ ଧନିଶ୍ରେଣୀ ବର୍ଗର ବ୍ୟକ୍ତି ଅଟନ୍ତି | ସେ ତାଙ୍କ ଝିଅର ବାହାଘର ପାଇଁ ୨ ମାସ ପୂର୍ବରୁ ବିବାହ ମଣ୍ଡପ ବୁକିଂ କରିଥିଲେ । ଏହି ବୁକିଂ ବାବଦକୁ ୪ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ଝିଅ ବାହାଘର ପାଇଁ ଉକ୍ତ ମଣ୍ଡପର ସାଜସଜ୍ଜାରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ବେଶ୍ ଧୂମଧାମରେ ବିବାହ ଉତ୍ସବ ଆରମ୍ଭ ହୋଇଥିଲା। ପୁରୋହିତର ମନ୍ତ୍ର ଧ୍ୱନି ସହ ବନ୍ଧୁ ପରିଜନଙ୍କ ଗହଳିରେ ମଣ୍ଡପ କମ୍ପି ଉଠୁଥିଲା | ଜଣଙ୍କ ପରେ ଜଣେ ଅତିଥିଙ୍କ ସୁଅ ଛୁଟୁଥିଲା। ସନ୍ଧ୍ୟା ୫ଟା ବେଳକୁ ବରଯାତ୍ରୀ ଦଳ ବି ମଣ୍ଡପରେ ପହଞ୍ଚିଲେ । କନ୍ୟା ଘର ଲୋକ ବରଙ୍କୁ ପାଛୋଟି ନେଲେ । ତେବେ ଠିକ ସନ୍ଧ୍ୟା ୬ଟା ବେଳେ ମଣ୍ଡପ କର୍ତ୍ତୃପକ୍ଷଙ୍କ ଏଭଳି ହଙ୍ଗମା ଆରମ୍ଭ ହୋଇଥିଲା । ଆଉ ବିବାହ ଅଧାରୁ ବର-କନ୍ୟାଙ୍କୁ ନିରାଶ ହୋଇ ଫେରିବାକୁ ପଡିଲା। ଯାହାକୁ ନେଇ ବର-କନ୍ୟା ପକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି |

ଅଭିଯୋଗ ହୋଇଛି ଯେ, ସେହି ଭୁବନେଶ୍ୱର କ୍ଲବ ଆନେକ୍ସଟି କେବଳ କ୍ଲବ ସଦସ୍ୟଙ୍କ ବ୍ୟକ୍ତିଗତ ଉତ୍ସବ ପାଇଁ ଉଦ୍ଦିଷ୍ଟ । କ୍ଲବର ପୂର୍ବ ପରିଚାଳନା କମିଟି ଥିବା ବେଳେ ସମ୍ବଲପୁର ଅଞ୍ଚଳର ଜଣେ ଠିକାଦାରଙ୍କୁ ବିଲ୍ଡିଂ ପରିଚାଳନା କରିବାର ଦାୟିତ୍ୱ ଦିଆଯାଇଥିଲା । ଠିକାଦାର ଜଣକ କ୍ଲବର ସର୍ତ୍ତାବଳୀକୁ ବେଖାତିର କରିଛନ୍ତି। ସେ ବେପାର ଲୋଭରେ ସେଠାରେ ବାହାର ଲୋକମାନଙ୍କ ବାହାଘର, ବ୍ରତଘର ଆଦି କାର୍ଯ୍ୟ କରାଉଛନ୍ତି । ସମ୍ପୃକ୍ତ ଠିକାଦାର ଲୋଭର ବଶବର୍ତ୍ତୀ ହୋଇ ଗୋଟିଏ ଦିନରେ ବିଲ୍ଡିଂରେ ଏକାବେଳକେ ୪ଟି ବାହାଘର କରାଉଛନ୍ତି । ଫଳରେ କ୍ଲବର ସଦସ୍ୟମାନେ ନିଜ ଉତ୍ସବ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେହେତୁ, ଠିକାଦାରଙ୍କ ଟେଣ୍ଡର ଅବଧି ସରିନାହିଁ, ନବ ନିର୍ବାଚିତ କମିଟି କର୍ତ୍ତୃପକ୍ଷ ଲୋଭାଗ୍ରସ୍ତ ଠିକାଦାରଙ୍କ ବିରୋଧରେ କିଛି ପଦକ୍ଷେପ ନେଇପାରୁନାହାନ୍ତି ବୋଲି କୁହାଯାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ