Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଳିଲା ମୃତ ମହିଳାଙ୍କ କଟା ମୁଣ୍ଡ, ଘଟଣାସ୍ଥଳରେ ଏସଡିପିଓ ଏବଂ ପୁଲିସର ତଦନ୍ତ ଆରମ୍ଭ

ମାଲକାନଗିରି,୧୦|୧୨: ମିଳିଲା ମୃତ ମହିଳାଙ୍କ କଟାମୁଣ୍ଡ | ମାଲକାନଗିରି ଜିଲ୍ଲାର କାଲିମେଳା ଠାରୁ ପ୍ରାୟ ୧୦ କିଲୋମିଟର ଦୂର ପୋଟେରୁ ନଦୀର ନାମକୁଣ୍ଡ ଘାଟରୁ ଏକ ମହିଳାଙ୍କ କଟା ମୁଣ୍ଡ ମିଳିଛି। ପ୍ରାତଃ ସମୟରେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ନଦୀକୁ ଗାଧୋଇବାକୁ ଯିବା ବେଳେ ସେହି କଟା ମୁଣ୍ଡଟିକୁ ଦେଖିଥିଲେ। ସୂଚନା ପାଇ ଘଟଣାସ୍ଥଳରେ ଏସଡିପିଓ ଏବଂ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | । ଘଟଣାସ୍ଥଳରେ କାଲିମେଳା ପୋଲିସର ତଦନ୍ତ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି।

ସେପଟେ ମାଲକାନଗିରିର ଏମ୍ ଭି-୨୬ ଓ ରାଖେଲଗୁଡ଼ାର ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଆସିଛି । ପୁନଃ ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଗାଁର ପ୍ରତିନିଧିଙ୍କୁ ନେଇ ଏକ ଶାନ୍ତି କମିଟି ବୈଠକ ବସିଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା ପରେ ସମସ୍ତଙ୍କର କଥାକୁ ଶୁଣିଥିଲେ ଜିଲ୍ଲାପାଳ।

ଡିଆଇଜି ଓ ଏସପିଙ୍କ ଉପସ୍ଥିତିରେ ଶାନ୍ତି ଫେରାଇବାକୁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି। ବିଗତ ୨୪ ଘଣ୍ଟାରେ ଗାଁର ସ୍ଥିତି ସ୍ୱାଭାବିକ ରହିଛି। ପୋଲିସ-ପ୍ରଶାସନ ଉପସ୍ଥିତିରେ ୫ ଦିନ ପରେ ମୃତ ମହିଳାଙ୍କ ଗତ କାଲି ଅନ୍ତିମ ସତ୍କାର କରାଯାଇଛି। ବିଏନଏସ ୧୬୩ ଲାଗୁ ରହିଥିବାବେଳେ ଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି । ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ସୂଚନା ଥାଉକି, ଗତ ୩ ତାରିଖରେ ରାଖାଲଗୁଡ଼ା ଗାଁର ଜଣେ ୫୦ ବର୍ଷୀୟା ଆଦିବାସୀ ମହିଳା ପାଡିଆମିଙ୍କ ମୃତଦେହ ପୋଟେରୁ ନଦୀ କୂଳରୁ ମିଳିଥିଲା । ସେଟା କେବଳ ଏକ ମୁଣ୍ଡ ବିହୀନ ମୃତଦେହ ଥିଲା | ରାଖାଲଗୁଡ଼ା ଗାଁର ଲୋକେ ସନ୍ଦେହ କରୁଥିଲେ ଯେ, ଏମଭି-୨୬ ଗାଁର କିଛି ଲୋକ ପୁରୁଣା ଜମି ବିବାଦକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟେଇ ଥାଇପାରନ୍ତି |

ଏହି ଘଟଣାକୁ କିଛି ଦିନ ବିତିଯିବା ସତ୍ତ୍ୱେ ପୋଲିସ ହତ୍ୟାକାରୀଙ୍କୁ ଗିରଫ ନ କରିବାରୁ ଏବଂ କଟା ମୁଣ୍ଡ ଉଦ୍ଧାର ନ ହେବାରୁ ରାଖାଲଗୁଡ଼ା ଗାଁ ଲୋକେ ତୀବ୍ର ପ୍ରତିବାଦ କରିଥିଲେ | ଶହ ଶହ ଲୋକ ଏମଭି-୨୬ ଗାଁକୁ ଯାଇ ଭଙ୍ଗାରୁଜା କରିଥିବା ବେଳେ ଅନେକ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ଭୟରେ ଏମଭି ୨୬ ଗାଁର ଲୋକେ ଘର ଛାଡ଼ି ପଳାଇଛନ୍ତି । ସ୍ଥିତି ଏମିତି ହୋଇଥିଲା ଯେ, ମାଲକାନଗିରି ଜିଲ୍ଲାରେ ଦୀର୍ଘ ଘଣ୍ଟା ଧରି ବନ୍ଦ ରହିଥିଲା ଇଣ୍ଟରନେଟ ସେବା ।

ଗାଁର ଗୋଟିଏ ବି ଜିନିଷ ନିଆଁ ଦାଉରୁ ରକ୍ଷା ପାଇନଥିଲା । ଗାଁରେ ସିସିଟିଭି ପ୍ରଶାସନ ଲଗାଇଲା । ଗାଁର ୧୮୮ଟି ଗୃହରୁ ୧୬୩ ଗୃହ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ସେପଟେ ଗତ କାଲି ମେଡିକାଲରୁ ଶବକୁ ବ୍ୟବଚ୍ଛେଦ ପରେ ଆଦିବାସୀ ସଂଘ ମୃତଦେହକୁ ନେଇ ଗାଁରେ ଶବ ସତ୍କାର କରିଥିଲେ। ଲାକେ ପୋଡ଼ିଆମୀଙ୍କ ଜମିରେ ହିଁ ଶବକୁ ପୋତା ଯାଇଥିଲା। ମୁଣ୍ଡ ବିହୀନ ଥିବାରୁ ମାଟିରେ ମୁଣ୍ଡ ତିଆରି କରାଯାଇ ରଖାଯାଇଥିଲା ।

ଜିଲ୍ଲାପାଳ ଲାକେଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୭ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ଡିଜି ୱାଇ ବି ଖୁରାନୀୟା, ଏଡିଜି ସଂଜୀବ ପଣ୍ଡା, ଗୁଇନ୍ଦା ଡ଼ିଆଇଜି ଆଖିଲେଶ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି କେ ବି ସିଂ, ଏସପି ବିନୋଦ ପାଟିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ