Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକା ପରେ ଏବେ ମେକ୍ସିକୋ ଲଗାଇବ ୫୦% ଶୁଳ୍କ; କାର୍ ରପ୍ତାନି ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୨|୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ସମସ୍ୟା ଦୂର ହୋଇନଥିବା ବେଳେ ଭାରତ ପ୍ରତି ଆଉ ଏକ ସଙ୍କଟ ମାଡ଼ି ଆସୁଛି। ମେକ୍ସିକୋ ଭାରତ ଉପରେ ଉଚ୍ଚ ଶୁଳ୍କ ଲଗାଇବାକୁ ଯାଉଛି । ମେକ୍ସିକୋ ସଂସଦ ଭାରତ ସମେତ ୫ଟି ଏସୀୟ ଦେଶ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ବାଣିଜ୍ୟ ରାଜିନାମା ହୋଇନଥିବା ଦେଶଗୁଡ଼ିକ ଉପରେ ଆସନ୍ତା ବର୍ଷ ୨୦୨୬ ଠାରୁ ଏହି ଶୁଳ୍କ ଲାଗୁ କରାଯିବ ।

ଏହି ତାଲିକାରେ ଭାରତ ବ୍ୟତୀତ ଚୀନ୍, ଭାରତ, ଦକ୍ଷିଣ କୋରିଆ, ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆ ଆଦି ରହିଛନ୍ତି। ଯେଉଁ ଦେଶ ଗୁଡିକ ଉପରେ ଟାରିଫ ଲଗାଇବେ ମେକ୍ସକୋ ସରକାର। ମେକ୍ସିକୋ ଏହି ଦେଶଗୁଡ଼ିକରୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଆମଦାନୀ କରୁଛି। ୨୦୨୪ ରେ ଏହି ଦେଶଗୁଡ଼ିକରୁ ମେକ୍ସିକୋ ୨୫୩.୭ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା। ଅତି ଅଧିକ ଆମଦାନୀ ଯୋଗୁଁ ମେକ୍ସିକୋକୁ ପ୍ରାୟ ୨୨୩ ବିଲିୟନ ଡଲାର କ୍ଷତି ହୋଇଥିଲା।

ଦକ୍ଷିଣ ଆଫ୍ରିକା ଓ ସାଉଦି ଆରବ ପରେ ମେକ୍ସିକୋ ଭାରତର ତୃତୀୟ ବଡ଼ କାର୍ ରପ୍ତାନି ବଜାର। ଏହି ନିଷ୍ପତ୍ତି ଭାରତରୁ ହେଉଥିବା ୧୪,୯୪୦ କୋଟି ଟଙ୍କାର କାର୍ ରପ୍ତାନି ପ୍ରତି ସଙ୍କଟ ଡାକି ଆଣିବ। ଏହାଦ୍ୱାରା ଫକ୍ସୱାଗନ ଓ ହୁଣ୍ଡାଇ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ଉଚ୍ଚ ଶୁଳ୍କକୁ ଏଡ଼ାଇବା ଲାଗି ମେକ୍ସିକୋ ସରକାରଙ୍କ ସହ ତୁରନ୍ତ ଆଲୋଚନା ଆରମ୍ଭ କରିବାକୁ ଅଟୋମୋବାଇଲ୍ ଶିଳ୍ପ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। ଏହି ଟାରିଫ ଶୁଳ୍କ ନୀତି ଲାଗୁ ହେବା ପରେ କାର, ଅଟୋ ପାର୍ଟସ, ପୋଷାକ ଏବଂ କପଡ଼ା, ପ୍ଲାଷ୍ଟିକ୍ ଉତ୍ପାଦ, ଷ୍ଟିଲ୍ ଏବଂ ଜୋତା ସମେତ ପ୍ରାୟ ୧୪୦୦ ସାମଗ୍ରୀ ଆଦି ମହଙ୍ଗା ହେବ। ଅଧିକାଂଶ ଦେଶ ଉପରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେବ ଏବଂ ଅନ୍ୟ କିଛି ଦେଶ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବ ମେକ୍ସିକୋ । ୨୦୨୬ରେ USMCA (ଆମେରିକା-ମେକ୍ସିକୋ-କାନାଡା ବାଣିଜ୍ୟ ଚୁକ୍ତିନାମା)ର ସମୀକ୍ଷା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସନ୍ତୁଷ୍ଟ କରିବା ପାଇଁ ମେକ୍ସିକୋ ଏଭଳି ପଦକ୍ଷେପ ନେଇଛି ବୋଲି ଅନୁମାନ କରାଯାଉଛି |

ଚୀନ୍ ସରକାର, ପ୍ରମୁଖ ମେକ୍ସିକୋ ବ୍ୟବସାୟିକ ସଂଗଠନ ଏବଂ ବିରୋଧୀ ଦଳଗୁଡ଼ିକ ଏହି ଶୁଳ୍କକୁ ଏକ ଭୁଲ ପଦକ୍ଷେପ ବୋଲି କହୁଛନ୍ତି। ସେମାନେ କହିଛନ୍ତି ଯେ, ଏହି ଶୁଳ୍କ ମୂଳତଃ ସାଧାରଣ ଗ୍ରାହକଙ୍କ ଉପରେ ଏକ ଅତିରିକ୍ତ ଟିକସ, ଯାହା ଦୈନନ୍ଦିନ ସାମଗ୍ରୀକୁ ମହଙ୍ଗା କରିବ ଏବଂ ମୁଦ୍ରାସ୍ଫୀତିକୁ ଆହୁରି ବଢ଼ାଇବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ