Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିମନ୍ତ ବିଶ୍ଵ ସରମାଙ୍କ ହସ୍ତକ୍ଷେପକୁ ନେଇ ଖପ୍ପା ବିପ୍ଳବ ଦେବ, ବିଜେପିର ଚିନ୍ତା ବଢାଇଲା ତ୍ରିପୁରା

ନୂଆଦିଲ୍ଲୀ: ପୂର୍ବୋତ୍ତର ରାଜ୍ୟ ବଢାଇଲା ବିଜେପିର ଚିନ୍ତା। ମଣିପୁର ପରେ ତ୍ରିପୁରାରେ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଦେଖା ଦେଇଥିବା ଅସନ୍ତୋଷ ପାର୍ଟି ଶୀର୍ଷ ନେତୃତ୍ଵଙ୍କ ଚିନ୍ତା ବଢାଇ ଦେଇଛି। ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ଦିଲ୍ଲୀ ଡକାଇ କେନ୍ଦ୍ରୀୟ ନେତୃତ୍ଵ ଏ ବିଷୟରେ ଆଲୋଚନା କରିଛନ୍ତି। ସରକାର ଏବଂ ସଂଗଠନକୁ ନେଇ ବିପ୍ଳବ ପ୍ରଶ୍ନ ଉଠାଇବା ସହ ବାହ୍ୟ ହସ୍ତକ୍ଷେପକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ତ୍ରିପୁରାରେ ଚଳିତ ବର୍ଷ ଆରମ୍ଭରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ପୁଣି ଥରେ କ୍ଷମତା ହାସଲ କରି ନିଜର ସଂଗଠନ ମଜବୁତ ଥିବା ସାବ୍ୟସ୍ତ କରିଛି। ହେଲେ ଦଳର ଭୋଟ୍ ପ୍ରତିଶତରେ ବଡ଼ ହ୍ରାସ ପରିଲଖିତ ହୋଇଛି। ଆଦିବାସୀ କ୍ଷେତ୍ରର ଅନେକ ସିଟ୍ ବିଜେପି ହାତରୁ ଖସି ଯାଇଛି। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିପ୍ଳବ ଦେବଙ୍କ ସ୍ଥାନରେ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ବିପ୍ଳବଙ୍କୁ ଜାତୀୟ ରାଜନୀତିକୁ ଅଣାଯିବା ସହ ରାଜ୍ୟସଭା ସାଂସଦ ମଧ୍ୟ କରାଗଲା।

ହେଲେ ବର୍ତ୍ତମାନ ବିପ୍ଲବ ଖୋଲାଖୋଲି ସରକାର ଏବଂ ସଂଗଠନକୁ ନେଇ ସ୍ଵର ଉଠାଇଛନ୍ତି। ରାଜ୍ୟ ସରକାରଙ୍କୁ ଉପଦେଶ ଦେବା ଏବଂ ବାହ୍ୟ ହସ୍ତକ୍ଷେପକୁ ନେଇ ମୁଖର ହେବା ଏହା ସ୍ପଷ୍ଟ ହୋଇଛି ଯେ, ରାଜ୍ୟ ବିଜେପିରେ ସବୁ କିଛି ଠିକ୍ ନୁହେଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବ ନିଜର ନିକଟର ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟରେ ଗୁରୁତ୍ଵ ଦିଆନଯାଉଥିବା ନେଇ ଖପ୍ପା ଅଛନ୍ତି। ସୂତ୍ର ଅନୁଯାୟୀ, ଦେବଙ୍କ ଅସନ୍ତୋଷ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସରମାଙ୍କ ହସ୍ତକ୍ଷେପକୁ ନେଇ ରହିଛି। ବିଶ୍ଵ ସରମା ପୂର୍ବୋତ୍ତର ଗଣତାନ୍ତ୍ରିକ ମେଣ୍ଟର ସଂଯୋଜକ ହୋଇଥିବା କାରଣରୁ ସେ ପୂର୍ବୋତ୍ତର ମାମଲା ବୁଝୁଛନ୍ତି। ସେ ବିଜେପିର ପ୍ରମୁଖ ରଣନୀତିକାର ବି। ହେଲେ ଏବେ ଅନେକ ରାଜ୍ୟରେ ବିଜେପି ନେତାଙ୍କୁ ସରମାଙ୍କ ହସ୍ତକ୍ଷେପ ଠିକ୍ ଲାଗୁ ନାହିଁ। ମଣିପୁରରେ ସରମାଙ୍କ ହସ୍ତକ୍ଷେପକୁ ନେଇ ବିପ୍ଳବ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂତ୍ର ଅନୁଯାୟୀ, ମଣିପୁର ଏବଂ ଆସାମରେ ପାର୍ଟି ଭିତରେ ଥିବା ଅସନ୍ତୋଷ ଅନ୍ୟ ରାଜ୍ୟଗୁଡ଼ିକକୁ ବ୍ୟାପିପାରେ। ପରିସ୍ଥିତିକୁ ସମ୍ଭାଳିବା ପାଇଁ ବର୍ତ୍ତମାନର କେନ୍ଦ୍ରୀୟ ସଂଗଠନ ମଧ୍ୟ ବିଫଳ ରହିଛି। ଉଲ୍ଲେଖନୀୟ ଆସାମରେ ବିଜେପି ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦ ସନଓ୍ଵାଲଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ନକରି କେନ୍ଦ୍ରରେ ମନ୍ତ୍ରୀ କରିଛି। ହେଲେ ବିପ୍ଳବ ଦେବଙ୍କ କ୍ଷେତ୍ରରେ ଏହାର ବୀପରିତ ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ