ଗଣତନ୍ତ୍ର ଦିବସ -୨୦୨୬ ହେବ ଐତିହାସିକ; ୟୁରୋପୀୟ ସଂଘର ଶୀର୍ଷ ଦୁଇ ନେତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ
ନୂଆଦିଲ୍ଲୀ,୧୮|୧୨: ଗଣତନ୍ତ୍ର ଦିବସ-୨୦୨୬ ଐତିହାସିକ ହେବାକୁ ଯାଉଛି | ଏଥର ଗଣତନ୍ତ୍ର ଦିବସରେ, ୟୁରୋପୀୟ ସଂଘ (EU)ର ଶୀର୍ଷ ନେତା, ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟାଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯିବ। କୌଣସି ଅନ୍ତର୍ଜାତୀୟ ସଂଗଠନର ଦୁଇ ଶୀର୍ଷ ନେତା ଭାରତର ପ୍ରତିଷ୍ଠିତ ଜାତୀୟ କାର୍ଯ୍ୟକ୍ରମରେ ଏକାଠି ଯୋଗ ଦେବା ଏହା ପ୍ରଥମ। ଜାନୁଆରି ୨୦୨୬ରେ ଏହି ଦୁଇ ନେତା ନୂଆଦିଲ୍ଲୀରେ ପହଞ୍ଚିବାର ରହିଛି | ଯାହା ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ରଣନୈତିକ, ଅର୍ଥନୈତିକ ଏବଂ କୂଟନୈତିକ କ୍ଷେତ୍ରରେ ଉଭୟଙ୍କ ସମ୍ପର୍କକୁ ଏକ ନୂତନ ଦିଗଦର୍ଶନ ଦେବା ସହିତ ମଜବୁତ ମଧ୍ୟ କରିବ।
ସୂଚନା ଅନୁସାରେ, ୨୦୨୬ ଗଣତନ୍ତ୍ର ଦିବସ ପାଇଁ ୟୁରୋପୀୟ ସଂଘର ନେତାମାନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିବାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୂଆଦିଲ୍ଲୀ ଏବଂ ବ୍ରୁସେଲ୍ସ ଖୁବ୍ ଶୀଘ୍ର ଆନୁଷ୍ଠାନିକ ନିମନ୍ତ୍ରଣକ ବିଷୟରେ ଘୋଷଣା କରିବେ। ଗଣତନ୍ତ୍ର ଦିବସରେ ଜଣେ ବିଦେଶୀ ନେତାଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିବା ଭାରତର ବୈଦେଶିକ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଏ। ଏହା ଭାରତର ରଣନୈତିକ, ଅର୍ଥନୈତିକ ଏବଂ ଭୂରାଜନୈତିକ ପ୍ରାଥମିକତାକୁ ପ୍ରତିଫଳିତ କରେ।
ଭାରତ ପ୍ରତିବର୍ଷ ଜାନୁଆରି ୨୬କୁ ଗଣତନ୍ତ୍ର ଦିବସ ବା ସାଧାରଣ ତନ୍ତ୍ର ଦିବସ ଭାବେ ପାଳନ କରିଥାଏ | ୧୯୫୦ ମସିହା ଜାନୁଆରି୨୬ରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା, ଯାହା ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ଗଣରାଜ୍ୟରେ ପରିଣତ କରିଥିଲା, ଏବଂ ବ୍ରିଟିଶ ଯୁଗର ଭାରତ ସରକାର ଆଇନକୁ ବଦଳାଇଥିଲା। ଏହି କାର୍ଯ୍ୟକ୍ରମ ଭାରତର ଗଣତାନ୍ତ୍ରିକ ଐତିହ୍ୟ ଏବଂ ଆନ୍ତର୍ଜାତୀୟ ବନ୍ଧୁତାର ଏକ ଅନନ୍ୟ ପ୍ରତୀକ। ପୂର୍ବରୁ ଗଣତନ୍ତ୍ର ଦିବସରେ ଅନେକ ରାଷ୍ଟ୍ର କିମ୍ବା ସରକାର ମୁଖ୍ୟ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି। ତେବେ ୨୦୨୫ ମସିହାରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ମୁଖ୍ୟ ଅତିଥି ଭାବେ ଏହି ଜାତୀୟ ସମାରୋହରେ ଯୋଗ ଦେଇଥିଲେ |

