Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରେ ଘନକୁହୁଡି: କମ୍ପାନୀ ପକ୍ଷରୁ ୨୭ ବିମାନ ବାତିଲ

ନୂଆଦିଲ୍ଲୀ,୧୯|୧୨ : ବିମାନସେବା କମ୍ପାନୀ ପକ୍ଷରୁ ବିମାନ ବାତିଲ ନେଇ ଘୋଷଣା କରାଯାଇଛି| ଘନକୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ କାରଣରୁ ଦିଲ୍ଲୀ ବିମାନବନ୍ଦରରେ ବିଭିନ୍ନ ଏୟାର୍‌ଲାଇନ୍ସର ୨୭ଟି ବିମାନକୁ ବାତିଲ କରାଯାଇଛି | ଆହୁରି ଅନେକ ବିମାନର ସମୟକୁ ବିଳମ୍ବ କରାଯାଇଛି | ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ (ଡିଆଇଏଏଲ୍) ଅନୁସାରେ, ପାଗ ଖରାପ କାରଣରୁ ଭାରତରୁ ମୋଟ ୧୬ଟି ଏବଂ ବିଦେଶରୁ ଆସୁଥିବା ୧୧ଟି ବିମାନକୁ ବାତିଲ କରାଯାଇଛି। ଅତ୍ୟଧିକ କୁହୁଡି ଯୋଗୁଁ ଦୃଶ୍ୟମାନତାରେ ସମସ୍ୟା ଦେଖାଯିବାରୁ ଅନେକ ଅତିରିକ୍ତ ବିମାନରେ ବିଳମ୍ବ ହୋଇଥିଲା।

ଗୁରୁବାର ସକାଳେ ଜାରି କରାଯାଇଥିବା ଏକ ଯାତ୍ରୀ ସୂଚନାବଳୀରେ ଡିଆଇଏଏଲ୍ କହିଛି ଯେ, ବିମାନବନ୍ଦରରେ ବିମାନ ଚଳାଚଳ କ୍ୟାଟ୍‌-୩ ଅବସ୍ଥାରେ କରାଯାଉଛି, ଯାହା ଦୃଶ୍ୟମାନତାରେ ସମସ୍ୟା ଦେଖାଯିବା ସମୟରେ ବ୍ୟବହାର କରାଯାଉଥିବା ଏକ ପ୍ରୋଟୋକଲ୍। କ୍ୟାଟ୍‌-୩ ଅପରେସନ୍ ଅଧୀନରେ ଉଭୟ ପାଇଲଟ୍ ଓ ବିମାନ ସ୍ୱଳ୍ପ-ଦୃଶ୍ୟମାନ ଅବସ୍ଥାରେ ନିରାପଦରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରମାଣପତ୍ର ଓ ଗୁରୁତ୍ୱପୁଣ୍ଣ ତାଲିମ ଆବଶ୍ୟକତା ପୂରଣ କରିବା ଆବଶ୍ୟକ। ସମସ୍ତ ବିମାନ ଓ କର୍ମଚାରୀ ଏହିପରି ଅବତରଣ ପାଇଁ ସକ୍ଷମ ହୋଇନଥାନ୍ତି, ତେଣୁ କିଛି ବିମାନକୁ ପ୍ରାୟତଃ ବିଳମ୍ବ କିମ୍ବା ବାତିଲ କରାଯାଇଥାଏ ।

କ୍ୟାଟ୍‌-୩ ହେଉଛି ଏକ ଉନ୍ନତ ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ୍ (ଆଇଏଲ୍‌ଏସ୍‌) ଯାହା ରନୱେ ଭିଜୁଆଲ୍ ରେଞ୍ଜ (ଆର୍‌ଭିଆର୍) ୫୦ରୁ ୨୦୦ ମିଟର କମ୍ ହେଲେ ବିମାନକୁ ଅବତରଣ କରିବାକୁ ଅନୁମତି ଦେଇଥାଏ | ସାଧାରଣତଃ ଘନ ଧୂଆଁ କୁହୁଡ଼ି, ପ୍ରବଳ ବର୍ଷା କିମ୍ବା ତୁଷାରପାତ ସମୟରେ ଏହାକୁ ବ୍ୟବହାର କରାଯାଇଥାଏ । ଗୁରୁବାର ସକାଳେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଘନ ଧୂଆଁକୁହୁଡ଼ି ଦେଖିବାକୁ ମିଳିଛି। ଯାହାଦ୍ୱାରା ଅନେକ ଅଞ୍ଚଳରେ ଦୃଶ୍ୟମାନତା ହ୍ରାସ ପାଇଥିଲା।

ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଗୁରୁବାର ଦେଶର ୧୬ଟି ରାଜ୍ୟ ପାଇଁ ଧୂଆଁକୁହୁଡ଼ିକୁ ନେଇ ସତର୍କ ସୂଚନା ଜାରି କରିଛି। ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାକୁ ରେଡ୍ ଆଲର୍ଟ ହୋଇଛି। ସେହିପରି ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼ ଏବଂ ଉତ୍ତରାଖଣ୍ଡର କିଛି ଅଞ୍ଚଳରେ ଘନରୁ ଅତି ଘନ ଧୂଆଁକୁହୁଡି ହେବାର ସମ୍ଭାବନା ରହିଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ବିହାର, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ଓଡ଼ିଶାରେ ମଧ୍ୟ ଧୂଆଁକୁହୁଡ଼ି ରହିବ। ଏଥିସହ ଦୃଶ୍ୟମାନତା କମ୍ ରହିବ। ଯାହା ସଡ଼କ, ରେଳ ଓ ବିମାନ ଯାତ୍ରାରେ ପ୍ରଭାବ ପକାଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି|

ପଞ୍ଜାବ ଓ ହରିୟାଣାର କିଛି ଅଞ୍ଚଳରେ ଘନ ଧୂଆଁକୁହୁଡି ପାଇଁ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି| ସେଠାରେ ଦୃଶ୍ୟମାନତା ୫୦ ମିଟରରୁ ତଳକୁ ଖସିପାରେ। ସେପଟେ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡର ପଶ୍ଚିମାଞ୍ଚଳ ପାଇଁ ଶୀତ ଲହରି ନେଇ ଚେତାବନୀ ଜାରି କରାଯାଇଛି। ତାମିଲନାଡ଼ୁ, କେରଳ ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ବଜ୍ରପାତ ସହିତ ବର୍ଷା ହେବାର ମଧ୍ୟ ସୂଚନା ରହିଛି | ଦିଲ୍ଲୀର ବାୟୁ ପ୍ରଦୂଷଣ ଯୋଗୁଁ ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦ରୁ ଅଧିକ ରେକର୍ଡ କରାଯାଇଛି । ପ୍ରଦୂଷିତ ଧୂଆଁ ଓ କୁହୁଡିର ଏକ ମୋଟା ସ୍ତର ଦୃଶ୍ୟମାନତାକୁ ହ୍ରାସ କରିଛି। ବିଷାକ୍ତ ବାୟୁକୁ ରୋକିବା ପାଇଁ ଜାତୀୟ ରାଜଧାନୀରେ ଗ୍ରାପ୍-୪ ପ୍ରତିବନ୍ଧକ ଲାଗୁ କରାଯାଇଛି। ବିଏସ୍-୩ ପେଟ୍ରୋଲ ଗାଡ଼ି ଓ ବିଏସ୍-୪ ଡିଜେଲ ଗାଡ଼ି ଦିଲ୍ଲୀରେ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି | ନିକଟରେ ପ୍ରଦୂଷଣକୁ ରୋକିବା ପାଇଁ ସରକାର ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ