Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଡିର ସ୍ପିଡ଼ ଉପରେ ଲାଗିବ କଟକଣା; ଆପେ ଆପେ ଆକାଉଣ୍ଟରୁ କଟିବ ଚାଲାଣ

ନୂଆଦିଲ୍ଲୀ,୧୯|୧୨: ଜାତୀୟ ରାଜପଥରେ ଦ୍ରୁତ ଗତିରେ ଗାଡି ଚଳାଇବା ପଡିବ ମହଙ୍ଗା | ଯଦି ଚଲାଉଛନ୍ତି ତେବେ ହୋଇ ଯାଆନ୍ତୁ ସତର୍କ | କାରଣ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ | ଏହି ନିୟମ ଅନୁସାରେ, ଏବେ ଏମିତି ଏକ ଟୋଲ୍ ସିଷ୍ଟମ୍ ଆଣିବାକୁ ଯାଉଛନ୍ତି ସରକାର, ଯାହା ଦ୍ୱାରା କୌଣସି ଟୋଲ୍ ଗେଟରେ ନା ଚାଳକଙ୍କୁ ଅଟକିବାକୁ ପଡିବ, ନା ଜରିମାନାରୁ ବର୍ତ୍ତିଯିବା ସହଜ ହେବ | କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅନୁସାରେ, ଆସନ୍ତା ୨୦୨୬ ବର୍ଷ ସୁଦ୍ଧା ସାରା ଦେଶରେ ଏକ ସାଟେଲାଇଟ୍-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ| ଯାହା ଦ୍ୱାରା ଗାଡ଼ିଗୁଡ଼ିକ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଟୋଲ୍ ପ୍ଲାଜା ପାର କରିପାରିବେ।

ସଂସଦରେ ଅଧିବେଶନ ସମୟରେ ନୀତିନ ଗଡ଼କରୀ କହିଛନ୍ତି ଯେ, ୨୦୨୬ ସୁଦ୍ଧା ସମସ୍ତ ଗାଡ଼ି ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ନ ଅଟକି ଟୋଲ୍ ପ୍ଲାଜା ଦେଇ ଯାଇପାରିବେ। ଗାଡ଼ି ଗୁଡିକର ନମ୍ବର ପ୍ଲେଟ୍ ଏବଂ FASTagର ଫଟୋ ଉଠାଇବା ପାଇଁ ହାଇ-ସ୍ପିଡ୍ କ୍ୟାମେରାକୁ ଲଗାଯିବ। ଫଳରେ ଗାଡ଼ି ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଟୋଲ୍ ରାଶି କଟିଯିବ। ତେବେ କୌଣସି ନଗଦ ଟଙ୍କା ନାହିଁ, କିମ୍ବା ଟୋଲ୍ ପ୍ଲାଜାରେ ଲମ୍ବା ଧାଡ଼ି ରହିବ ନାହିଁ |

ଏହି ନୂତନ ବ୍ୟବସ୍ଥା ଅନୁସାରେ ଗାଡି ଗୁଡିକର ଗତି ଉପରେ ମଧ୍ୟ ନଜର ରଖିବ ଅତ୍ୟାଧୁନିକ କ୍ୟାମେରା | ଯଦି କୌଣସି ଗାଡ଼ି ସାଧାରଣ ଅପେକ୍ଷା ଦୁଇଟି ଟୋଲ୍ ପ୍ଲାଜା ମଧ୍ୟରେ ଦ୍ରୁତ ଗତିରେ ପହଞ୍ଚେ ତେବେ ଏହି ସିଷ୍ଟମ୍ ଦ୍ରୁତ ଗତିରେ ଚଲାଯାଉଥିବା ଗାଡ଼ିକୁ ଚିହ୍ନଟ କରିବ| ଏଥି ସହିତ ଏକ ଚାଲାଣ ସ୍ୱୟଂଚାଳିତ ଭାବରେ ଜାରି କରାଯିବ। ଗଡକରୀଙ୍କ କହିବା ଅନୁସାରେ, ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସାହାଯ୍ୟରେ କାର୍ଯ୍ୟ କରିବ।

ଟୋଲ୍ ପ୍ଲାଜାରେ ଯାନବାହାନ ନ ଅଟକାଇ ବରଂ ଇନ୍ଧନ ସଞ୍ଚୟ ହେବ। ଏହାଦ୍ୱାରା ସରକାରଙ୍କ ଜରୁରୀକାଳୀନ ପାଣ୍ଠିରେ ପ୍ରାୟ ୬୦୦୦ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବ। ତେବେ ଏଥିରେ ଟୋଲ୍ ପ୍ଲାଜା ଗୁଡିକରେ କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ ପାଇବ ଏବଂ ପରିଚାଳନା ଖର୍ଚ୍ଚ ବି କମ ହେବ |

ନୀତିନ ଗଡକରୀ ଆହୁରି ସ୍ପଷ୍ଟ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଅଧୀନରେ କେବଳ ଜାତୀୟ ରାଜପଥ ରହିଛି| ତେଣୁ ଜାତୀୟ ରାଜପଥରେ କିଛି ତ୍ରୁଟି ଥିଲେ କେନ୍ଦ୍ର ସରକାର ବୁଝିବେ କିନ୍ତୁ ରାଜ୍ୟ, ସହର କିମ୍ବା ଗ୍ରାମାଞ୍ଚଳ ରାସ୍ତା ପାଇଁ ନୁହେଁ। ସେ କହିଛନ୍ତି ଯେ, ପ୍ରାୟ ୭୦ ପ୍ରତିଶତ ଅଭିଯୋଗ ସେହି ରାସ୍ତାଗୁଡିକର ଆସୁଛି ଯେଉଁ ରାସ୍ତାଗୁଡ଼ିକର କେନ୍ଦ୍ର ସରକାରଙ୍କର ଅଧୀନରେ ଆସୁନାହିଁ କି କିଛି ସମ୍ପର୍କ ମଧ୍ୟ ନାହିଁ | ଜାତୀୟ ରାଜପଥରେ ନିମ୍ନମାନର କାମ କରୁଥିବା ଠିକାଦାରମାନଙ୍କୁ ଏବେ ଦୁଇ ବର୍ଷ ପାଇଁ କଳା ତାଲିକାରେ ଅନ୍ତର୍ଭୁକ୍ତ କରାଯିବ। ଆବଶ୍ୟକ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ