Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତର ପ୍ରକୋପରୁ ନାହିଁ ଆଶ୍ବସ୍ତି; ଆସନ୍ତା ୭ଦିନ ପର୍ଯ୍ୟନ୍ତ କଲବଲ କରିବ ଥଣ୍ଡା

ଭୁବନେଶ୍ୱର, ୨୨|୧୨: ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡିଶା। ଆଗକୁ ଆହୁରି ଜାରି ରହିବ ଶୀତ| ରାତିର ତାପମାତ୍ରା ପ୍ରାୟ ୧ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ତେବେ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ବହୁଥିବା ଥଣ୍ଡା ପବନ ଯୋଗୁଁ ଶୀତ ଅଧିକ ଅନୁଭୂତ ହେଉଥିଲା| କିନ୍ତୁ ଏବେ ପବନର ବେଗରେ ସାମାନ୍ୟ ହ୍ରାସ ଘଟିପାରେ| ତେବେ ଶୀତର ପ୍ରଭାବ ଜାରି ରହିବ| ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ଆକଳନ ଅନୁସାରେ, ଆସନ୍ତା ୩୦ ତାରିଖ ବେଳକୁ କିଛି ଅଞ୍ଚଳରେ ଶୀତର ପ୍ରକୋପ କମ ରହିବ| ଯାହା ଫଳରେ ଲୋକମାନଙ୍କୁ ସାମାନ୍ୟ ଶୀତରୁ ଆଶ୍ବସ୍ତି ମିଳିବ|

ଡ. ସାହୁ ସୂଚନା ଦେଇ କହିଛନ୍ତି, ବାୟୁମଣ୍ଡଳରେ ଜଳୀୟବାଷ୍ପ ନଥିବାରୁ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଥିଲା| ଏବେ ସମୁଦ୍ରରୁ ସ୍ଥଳଭାଗକୁ ଅଧିକ ଜଳୀୟବାଷ୍ପ ଆସିବ। ଜଳୀୟବାଷ୍ପ ଆସିବା ଫଳରେ କିଛି ଅଞ୍ଚଳରେ ଶୀତ କମ ହେବ। ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୭ଦିନ ଯାଏ ରାତି ତାପମାତ୍ରାରେ କୌଣସି ହ୍ରାସ ହେବ ନାହିଁ ଓ ଶୀତର ପ୍ରଭାବ ଏହିଭଳି ଜାରି ରହିବ | ସୋମବାର ଫୁଲବାଣୀରେ ୬ ଡିଗ୍ରୀ, କୋରାପୁଟରେ ୭, ବୌଦ୍ଧ ଓ ନବରଙ୍ଗପୁରରେ ୮ଡିଗ୍ରୀ ରହିପାରେ ବୋଲି ଆକଳନ ପାଣିପାଗ ବିଭାଗ କରିଛି | ତେବେ ପୂର୍ବ ଓଡ଼ିଶାରେ ଶୀତ ର ପ୍ରଭାବ କମ ରହିବ | ଏଠାରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗର ଆକଳନରୁ ଜଣାପଡ଼ିଛି ।

ଗତ ଶନିବାର ଜି. ଉଦୟଗିରିରେ ପାରଦ ସବୁଠୁ କମ୍‌ ୫.୬ ଡିଗ୍ରୀ ରେକର୍ଡ ହୋଇଥିଲା । ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ରହିଥିଲା । ଅନୁଗୁଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩.୯ ଡିଗ୍ରୀ କମ୍‌ ରହିଥିଲା । ସେହିଭଳି କୋରାପୁଟରେ ସ୍ୱାଭାବିକଠାରୁ ୩.୬ ଡିଗ୍ରୀ, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୨.୧ ଡିଗ୍ରୀ କମ୍‌ ରହିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ