ରାଜ୍ୟରେ ଜମି କିଣାବିକାକୁ ନେଇ ନୂଆ ନିୟମ, ଆସନ୍ତା ୨୦୨୬ ଏପ୍ରିଲ ପହିଲାରୁ ବଦଳିବ ଜମିର ବେଞ୍ଚମାର୍କ ମୂଲ୍ୟ
ଭୁବନେଶ୍ବର,୨୨|୧୨: ରାଜ୍ୟରେ ଜମି କିଣାବିକା ନିୟମରେ ହେବାକୁ ଯାଉଛି ବଡ ପରିବର୍ତ୍ତନ | ଆସନ୍ତା ୨୦୨୬ ଏପ୍ରିଲ ୧ରୁ ଜମିର ବେଞ୍ଚମାର୍କ ମୂଲ୍ୟ ବଦଳିବ । ଏନେଇ ରାଜ୍ୟ ସରକାର ନୂଆ SOP ଜାରି କରିଛନ୍ତି। ଓଡ଼ିଶା ସରକାର ଜମିର ବେଞ୍ଚମାର୍କ ମୂଲ୍ୟ ସଂଶୋଧନକୁ ନେଇ ନୂତନ ନିୟମାବଳୀ ଜାରି କରିଛନ୍ତି। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଗତ ୧୯ ତାରିଖରେ ସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟ (BMV)ସଂଶୋଧନ ନିର୍ଦ୍ଧାରିତ ପାଇଁ SOP ଜାରି ହୋଇଛି ।
ତେବେ ଏହି ନୂଆ SOP ଅନୁସାରେ ପ୍ରତି ଦୁଇ ବର୍ଷକୁ ଥରେ ଏପ୍ରିଲ ୧ ତାରିଖରୁ ଏହି ନିୟମ ଲାଗୁ ହେବ। ଏହି ନିୟମ ଅନୂସାରେ ଦୁଇଟି କମିଟି ଗଠନ କରାଯିବ | ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଜିଲ୍ଲା ମୂଲ୍ୟାଙ୍କନ କମିଟି’ (DVC) ଏବଂ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଉପ-ଜିଲ୍ଲା ମୂଲ୍ୟାଙ୍କନ କମିଟି’ (SDVC) ଗଠନ କରାଯିବାର ସୂଚନା ରହିଛି । ଏହାର ମୂଲ୍ୟାଙ୍କନ କରିବା ପାଇଁ ବିଶେଷଜ୍ଞ ମାନେ ରହିବେ। ନୂଆ SOP ଅନୁସାରେ, ବିଭିନ୍ନ ସହରାଞ୍ଚଳ (Form-5) ପ୍ଲଟଗୁଡ଼ିକୁ ରାସ୍ତା କଡ଼, ଆବାସିକ ଓ ବ୍ୟବସାୟିକ ଶ୍ରେଣୀରେ ଭାଗ କରାଯାଇ ମୂଲ୍ୟ ସ୍ଥିର କରାଯିବ |
ସେହିପରି ଗ୍ରାମାଞ୍ଚଳ (Form-6) ପାଇଁ ମଧ୍ୟ ଅଲଗା ଅଲଗା ମୂଲ୍ୟ ନିର୍ଦ୍ଧାରିତ କରାଯିବ | ଚାଷ ଜମି, ଅଣ-ଚାଷ ଜମି ଓ ଜାତୀୟ ରାଜପଥ ନିକଟରେ ଥିବା ଜମି ଅନୁସାରେ ମୂଲ୍ୟ ନିର୍ଦ୍ଧାରିତ କରାଯିବ। ସେହିପରି ଇଞ୍ଜିନିୟରଙ୍କ ଦ୍ୱାରା ଧାର୍ଯ୍ୟ RCC ଏବଂ ଅନ୍ୟାନ୍ୟ ନିର୍ମାଣ ଦର ଅନୁସାରେ ଘର ଓ କୋଠାର ମଧ୍ୟ ମୂଲ୍ୟ ନିଶ୍ଚିତ କରାଯିବ | ଏହି ନିୟମ ଅନୁସାରେ, ଦୁଇ ବର୍ଷ ମଧ୍ୟରେ ରେଜିଷ୍ଟ୍ରି ହୋଇଥିବା ସବୁଠାରୁ ଅଧିକ ମୂଲ୍ୟର ୫୦ ପ୍ରତିଶତ କାରବାରର ହାରାହାରିକୁ ନେଇ ଏହି ବେଞ୍ଚମାର୍କ ମୂଲ୍ୟ ନିର୍ଦ୍ଧାରିତ କରାଯିବ| ତେବେ Board of Revenueରୁ ଅନୁମୋଦନ ମିଳିବା ପରେ ଏହା ସମସ୍ତ ଜିଲ୍ଲା ମାନଙ୍କ ପାଇଁ ସୂଚନା ଜାରି ହେବ ବୋଲି ଜଣାପଡ଼ିଛି|

