Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ପଲ୍ୟୁସନ ସାର୍ଟିଫିକେଟ ନଥିଲେ ମିଳିବନି ପେଟ୍ରୋଲ ଓ ଡିଜେଲ; ଜାନୁଆରୀ ୧ରୁ କଡ଼ାକଡ଼ି ଯାଞ୍ଚ

ଭୁବନେଶ୍ବର, ୨୨।୧୨: ବାୟୁ ପ୍ରଦୂଷଣ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ସେଥିପାଇଁ ନାନା ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଉପୁଜୁଛି | ଏ ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ନେଇଛି ବଡ ପଦକ୍ଷେପ | ଏଣିକି ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ଭର୍ତ୍ତି କରିବାକୁ ହେଲେ ପଲ୍ୟୁସନ ସାର୍ଟିଫିକେଟ ଜରୁରୀ | ଆସନ୍ତା ଜାନୁଆରୀ ୧ରୁ ପଲ୍ୟୁସନ ସାର୍ଟିଫିକେଟର କଡ଼ାକଡ଼ି ଯାଞ୍ଚ ଆରମ୍ଭ କରାଯିବ | ତେବେ ଏହି ପ୍ରକ୍ରିୟା ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ।

ଯେଉଁ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ ନଥିବ ସେମାନଙ୍କୁ ପେଟ୍ରୋଲ ଓ ଡିଜେଲ ମିଳିବନି। ତେବେ ପରିବହନ ବିଭାଗର ଅଚାନକ ଭାବେ ଏଭଳି ନିର୍ଦ୍ଦେଶନାମା ନେଇ ଜନସାଧାରଣ ଅସନ୍ତୋଷ ଭାବ ପ୍ରକାଶ କରିବାରୁ ଏହାକୁ ନେଇ କିଛିଟା କୋହଳ ମନୋଭାବ ପୋଷଣ କରିଛି ପରିବହନ ବିଭାଗ। ପଲ୍ୟୁସନ ସାର୍ଟିଫିକେଟ ନ ଥିଲେ ପେଟ୍ରୋଲ କିମ୍ବା ଡିଜେଲ ମନା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ୧୫ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରାଯିବ।

ଗତ ସୋମବାର ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ଆରଟିଓ-୧ ପରିସରରେ ତୈଳ ବିତରକ କମ୍ପାନୀ ଓ ପରିବହନ ବିଭାଗ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ବୈଠକ ଶେଷ ହେବା ପରେ, ଗଣମାଧ୍ୟମକୁ ସୂଚନା ଦେଇ ଅମିତାଭ କହିଛନ୍ତି ଯେ, ପରିବେଶ ପ୍ରଦୂଷଣ ପାଇଁ ଆମେ ମାନେ ସଚେତନ ହେବା ଆବଶ୍ୟକ। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପେଟ୍ରୋଲ୍‌, ଡିଜେଲ୍‌ ପାଇଁ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ଜାନୁଆରୀ ୧ରୁ କଡ଼ାକଡ଼ି ଯାଞ୍ଚ ଆରମ୍ଭ କରାଯିବ | ଗାଡ଼ି ଗୁଡିକର ସମ୍ମୁଖରେ ପ୍ରଦୂଷଣ ସାର୍ଟିଫିକେଟ ଷ୍ଟିକର ଲଗାଇବା ବ୍ୟବସ୍ଥା ମଧ୍ୟ କରାଯିବ। ଏହି ବୈଠକରେ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଇଣ୍ଡିଆନ୍ ଅଏଲ ସିଜିଏମ୍ କମଲ୍ ଶିଲ୍, ଏଚପିସିଏଲ୍‌ରୁ ସି.ଆର୍ ବିଜୟ କୁମାର, ଉତ୍କଳ ପେଟ୍ରୋଲିୟମ ଡିଲର୍ ଆସୋସିଏସନ୍ ସଞ୍ଜୟ ଲାଠ୍ ପ୍ରମୁଖ ଅଧିକାରୀ ମାନେ ଯୋଗ ଦେଇଥିଲେ।

ଜାନୁଆରୀ ପହିଲାରୁ ସମସ୍ତ ପେଟ୍ରୋଲ ପମ୍ପ ଗଡିକରେ ଏହି ନିୟମକୁ କଡାକଡି ଭାବେ ପାଳନ କରାଯିବ। ଯାହାର ପ୍ରଥମଥର ପାଇଁ ପଲ୍ୟୁସନ ସମ୍ପର୍କିତ ଚାଲାଣ କଟୁଛି ତାକୁ ଛାଡ଼ କରାଯିବ ବୋଲି ସୂଚନା ରହିଛି । ଜାନୁଆରୀ -୧ ରୁ ସଡ଼କ ସପ୍ତାହ ମାସ ଆରମ୍ଭ ହେଉଥିବା ବେଳେ ସେବେଠାରୁ ଏହି ନିୟମକୁ କଡ଼ାକଡି ପାଳନ କରାଯିବ । ପେଟ୍ରୋଲ ପମ୍ପ କର୍ମଚାରୀମାନେ ମଧ୍ୟ ପେଟ୍ରୋଲ ପମ୍ପ ଗୁଡିକରେ ଲୋକଙ୍କୁ ସଚେତନ କରିବେ । ପେଟ୍ରୋଲ ପମ୍ପ ନିକଟରେ ମଧ୍ୟ ପଲ୍ୟୁସନ ସାର୍ଟିଫିକେଟ ସେବା ଆରମ୍ଭ କରିବାକୁ ଆଗକୁ ବ୍ୟବସ୍ଥା କରାଯିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ