କିଣିବା ପୂର୍ବରୁ ସାବଧାନ! ଆପଣ କିଣୁଥିବା ବେବି ଫୁଡ୍ର ଡେଟ ନକଲି ନୁହେଁତ?
ନୂଆଦିଲ୍ଲୀ,୨୩|୧୨: ନିତିଦିନିଆ ଜୀବନରେ ଆମେ ବଜାରରୁ କିଣୁଥିବା ଖାଦ୍ୟର ପ୍ୟାକେଟ୍ ପରେ ହିଁ ନିର୍ଭର କରିଥାଉ | ଆଜିକାଲି ଯେ କୌଣସି ଜିନିଷ ମଧ୍ୟ ପ୍ୟାକେଟରେ ଭର୍ତ୍ତି ହୋଇ ମିଳୁଛି | ତେଣିକି ସେ ଖାଦ୍ୟ ହେଉ କି ଗ୍ରୋସରୀ କିମ୍ବା ଛୁଆ ମାନଙ୍କ ଖାଦ୍ୟ ସବୁ କିଛି ଆସୁଛି ପ୍ୟାକେଟ ମାଧ୍ୟମରେ | ଆଉ ଆମେମାନେ ପ୍ୟାକେଟରେ ଥିବା ଖାଦ୍ୟ ୟୁପିଏ ପୂର୍ଣ୍ଣ ଭରୋସା ମଧ୍ୟ କରିଥାଉ | ସବୁକୁ ଆମେ ପ୍ୟାକେଟ୍ ଉପରେ ପ୍ରିଣ୍ଟ ହୋଇଥିବା ତାରିଖ ଦେଖି କିଣିଥାଉ । ତେବେ ପ୍ୟାକେଟ୍ ଉପରେ ପ୍ରିଣ୍ଟ ବି ହୋଇପାରେ ମିଛ! ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତିକି? ହଁ ଏ କଥା ସତ! ପ୍ୟାକେଟ୍ ଉପରେ ପ୍ରିଣ୍ଟ ଥିବା ତାରିଖ ମଧ୍ୟ ଆପଣଙ୍କୁ ବିପଦକୁ ଠେଲିଦେଇପାରେ | ଯଦି ଆପଣ ନିଜର ଛୁଆ ମାନଙ୍କ ପାଇଁ ପ୍ୟାକେଟ୍ ଖାଦ୍ୟ କିଛି କିଣୁଛନ୍ତି ତେବେ ଭଲ ଭାବେ ପରଖି ନିଅନ୍ତୁ | ଏ କଥା ଆମେ କହୁନାହୁଁ ଏକ ପ୍ରମାଣ ଆଧାରରେ କହୁଛୁ | ଏ କଥା ଘଟିଛି ଭାରତର ରାଜଧାନୀ ଦିଲ୍ଲୀରେ | ଯେଉଁଠାରେ ବିପୁଳ ପରିମାଣର ଏକ୍ସପାଏରୀ ଖାଦ୍ୟ ସାମଗ୍ରୀ, ଚକୋଲେଟ୍ ଏବଂ ବେବି ପ୍ରଡକ୍ଟକୁ ଜବତ କରାଯାଇଛି । ସେ ସବୁ ପ୍ୟାକେଟ ଖାଦ୍ୟ ଉପରେ ପ୍ରକୃତ ତାରିଖକୁ ହଟାଯାଇ ନୂଆ ବାର କୋଡ୍ ଲଗାଯାଇଥିଲା,ତେବେ ଏହି ମାମଲାରେ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପ୍ରତିଦିନ ଏଭଳି ନକଲି ଖାଦ୍ୟ ବିକ୍ରି ହେଉଥିବାର ଖବର ଆସୁଛି | କିନ୍ତୁ ଛୁଆ ମାନଙ୍କ ଖାଦ୍ୟରେ ଏଭଳି ହେରଫେର କରିଥିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି | ପୂର୍ବରୁ ନକଲି ଔଷଧକୁ ନେଇ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା ଆଉ ଏବେ ଲୋକଙ୍କ ଦୈନନ୍ଦିନ ଖାଦ୍ୟପେୟ ଜିନିଷକୁ ନେଇ ସେହି ସମାନ ଘଟଣା ଦେଖିବାକୁ ମିଳୁଛି | ତେବେ ଦିଲ୍ଲୀ ପୁଲିସ ଏକ ବଡ ସଫଳତା ହାସଲ କରିଛି | ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ଏବଂ ବଜାରରେ ବିକ୍ରି କରୁଥିବା ଏକ ବଡ଼ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୋଲିସ। ଏହି ଚଢ଼ାଉ ସମୟରେ, ପ୍ରାୟ ୧୪ ହଜାର ଲିଟର ନକଲି କୋଲ୍ଡ ଡ୍ରିଙ୍କ୍ସ, ଏକ୍ସପାଏରି ବେବି ଫୁଡ୍ , ଚକୋଲେଟ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ଜବତ କରିଛି ପୋଲିସ।
ଦିର୍ଘଦିନରୁ ମିଳୁଥିବା ସୂଚନା ଅନୁସାରେ, ପୁଲିସ ଟିମ୍ ସନ୍ଦିଗ୍ଧ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଥିଲେ । ଫ୍ୟାକ୍ଟ୍ରି ଭିତରର ଦୃଶ୍ୟ ଅଧିକାରୀମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେହି ସ୍ଥାନରେ ବହୁ ପରିମାଣର ଏକ୍ସପାଏରୀ କୋଲ୍ଡ ଡ୍ରିଙ୍କ୍ସ ରଖାଯାଇଥିଲା । ତେବେ ଏହି କୋଲ୍ଡ ଡ୍ରିଙ୍କ୍ସର ଏକ୍ସପାଏରୀ ଡେଟ୍ ଶେଷ ହୋଇଯାଇଥିଲେ ମଧ୍ୟ ମେସିନ୍ ସାହାଯ୍ୟରେ ପ୍ରକୃତ ତାରିଖକୁ ହଟାଇ ନୂଆ ତାରିଖ ପ୍ରିଣ୍ଟ କରାଯାଉଥିଲା ବୋଲି ଏହା ତଦନ୍ତରୁ ସ୍ପଷ୍ଟ ହୋଇଛି | ଖାଲି ସେତିକି ନୁହେଁ, ଗ୍ରାହକଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ ନକଲି ବାରକୋଡ୍ ପ୍ରସ୍ତୁତ କରି ବୋତଲ ଏବଂ କ୍ୟାନ୍ ଉପରେ ଲଗାଯାଉଥିଲା, ଯାହାଦ୍ୱାରା ସାମଗ୍ରୀଟି ଅସଲି ପରି ଦେଖାଯିବ |
ଏହି ଚଢ଼ାଉ ସମୟରେ ପୁଲିସ କିଛି ଭିଡିଓ ମଧ୍ୟ ରେକର୍ଡ କରିଛି, ଯେଉଁଥିରେ ସ୍ପଷ୍ଟ ହୋଇଛି ଯେ,କିଭଳି ଭାବରେ ମେସିନ ସାହାଯ୍ୟରେ ବାରକୋଡ୍ ପ୍ରିଣ୍ଟ କରାଯାଉଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ ,ଅଭିଯୁକ୍ତମାନେ ଏହି ଏକ୍ସପାଏରୀ ପ୍ରଡକ୍ଟଗୁଡିକୁ ବହୁତ ଶସ୍ତା ଦରରେ କିଣୁଥିଲେ ଏବଂ ପରେ ତାରିଖ ବଦଳାଇ ନକଲି ପ୍ୟାକିଂ ମାଧ୍ୟମରେ ହୋଲସେଲ ମାର୍କେଟରେ ବିକ୍ରି କରୁଥିଲେ । ସେଠାରୁ ଏହି ନକଲି ସାମଗ୍ରୀ ଛୋଟ ଦୋକାନୀଙ୍କ ମାଧ୍ୟମରେ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚୁଥିଲା ।
ତେବେ ଚିନ୍ତାର ବିଷୟ ହେଉଛି ଯେ, ଏହି ନକଲି ବ୍ୟବସାୟୀମାନେ ଶିଶୁଙ୍କ ଖାଦ୍ୟକୁ ବିଷାକ୍ତ କରିବାକୁ ଚେଷ୍ଟା କରୁଥିଲେ । ବେବି ଫୁଡ୍ ଏବଂ ଚକୋଲେଟ୍ ଭଳି ଜିନିଷକୁ ଛୁଆ ମାନେ ବେଶୀ ପରିମାଣରେ ଗ୍ରହଣ କରିଥାନ୍ତି | ଏବଂ ଅଭିଵାଵକ ମାନେ ବିଶ୍ୱାସର ସହ ଛୁଆମାନଙ୍କୁ ପାଇଁ କିଣିଥାନ୍ତି | କିନ୍ତୁ ଏଭଳି ଖାଦ୍ୟରେ ଭେଜାଲ କରିବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି | ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏହି ଏକ୍ସପାଏରୀ ଏବଂ ନକଲି ଖାଦ୍ୟ ସାମଗ୍ରୀ ଦ୍ୱାରା ଶରୀରରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ, ବିଶେଷ କରି ଶିଶୁମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ । ଏହି ଘଟଣାରେ ଗିରଫ ୭ ଜଣ ଅଭିଯୁକ୍ତଙ୍କୁ ପୁଲିସ ପଚରାଉଚରା କରି ତଦନ୍ତ ଜାରି ରଖିଛି । ଏହି ନେଟୱାର୍କ କେବେଠାରୁ ଆରମ୍ଭ ହୋଇଥିଲା ଏବଂ ଦିଲ୍ଲୀ-ଏନସିଆର ବ୍ୟତୀତ ଅନ୍ୟ କେଉଁ କେଉଁ ଅଞ୍ଚଳକୁ ଏହା ବିସ୍ତାରିତ ହୋଇଛି ତାହା ବିଷୟରେ ମଧ୍ୟ ତାଦ୍ଵାନ୍ନ୍ତ ଜାରି ରଖିଛି ପୋଲିସ |
ସୂଚନା ମୁତାବକ, ଗତ କିଛି ମାସ ତଳେ ମଧ୍ୟ ଏଭଳି ଘଟଣା ଘଟିଥିଲା | ଦିଲ୍ଲୀର ଓଜିରାବାଦ ଅଞ୍ଚଳରେ ଦୁଇଟି ଫ୍ୟାକ୍ଟ୍ରି ଉପରେ ଦିଲ୍ଲୀ ପୋଲିସ ଚଢ଼ାଉ କରିଥିଲା । ସେଠାରେ ନକଲି ଟୁଥପେଷ୍ଟ ଏବଂ ନକଲି ଇନୋ (ENO) ତିଆରି ହେଉଥିଲା । ଯାହାକୁ ଲୋକମାନେ ବିଶ୍ୱାସର ସହିତ ବ୍ୟବହାର କରିଥାଆନ୍ତି | ତେବେ ସୂଚନା ଅନୁସାରେ, ସେଠାରେ ତିଆରି ହେଉଥିବା ନକଲି ଟୁଥପେଷ୍ଟ ବ୍ୟବହାର କରିବା ଫଳରେ ଦାନ୍ତ ଗଳିଯିବାର ଆଶଙ୍କା ରହିଥିଲା | କେବଳ ସେତିକି ନୁହେଁ ନକଲି ଇନୋ ଗ୍ରହଣ କରିବା ଦ୍ୱାରା ପେଟରେ ଭୟଙ୍କର ଜ୍ୱଳନ ସୃଷ୍ଟି ହେବାର ଭୟ ରହିଥିଲା । ତେବେ ଏଭଳି ଘଟଣାଗୁଡ଼ିକ ବଜାରରେ ମିଳୁଥିବା ପ୍ୟାକେଟ ସାମଗ୍ରୀର ଶୁଦ୍ଧତା ଉପରେ ସୃଷ୍ଟି କରିଛି ବଡ଼ ପ୍ରଶ୍ନବାଚୀ ?

