ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଖୁବ ଶୀଘ୍ର ଗିରଫ ହେବ ଅଭିଯୁକ୍ତ: ଭଦ୍ରକ ଏସ ପି ମନୋଜ ରାଉତ
ଭଦ୍ରକ,୨୪|୧୨: ଦିନକୁ ଦିନ ଦୁଷ୍କର୍ମର ଅଭିଯୋଗ ବଢ଼ିବାରେ ଲାଗିଛି | ନାରୀ କଣ ଏଠାରେ ଛୋଟ ନାବାଳିକା ମଧ୍ୟ ଅସୁରକ୍ଷିତ | ଗତ କିଛିଦିନ ତଳେ ଧଉଳି ଦୁଷ୍କର୍ମ ବି ରାଜ୍ୟରେ ଚହଳ ପକାଇଥିଲା | ଆଉ ଏବେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା | ସୂଚନା ଅନୁସାରେ, ଏକ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଦେହରେ କୌଣସି ପୋଷାକ ନଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲି ସହରରେ ଦେଖାଦେଇଛି ପ୍ରବଳ ଉତ୍ତେଜନା | ରାସ୍ତାରେ ଲୋକେ ଟାୟାର ଜାଳି ଏହି ଘଟଣାର ପ୍ରତିବାଦ କରିଥିଲେ।
ସୂଚନା ଅନୁଯାୟୀ, ମୃତ ନାବାଳିକା ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର | ସେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ | ସେ ଗତକାଲି ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲେ। ତେବେ ସନ୍ଧ୍ୟା ସମୟ ହେବାରୁ ପରିବାର ଲୋକେ ଝିଅକୁ ବହୁତ ଖୋଜିବା ପରେ ମଧ୍ୟ ପାଇ ନଥିଲେ |ବହୁତ ସମୟ ପରେ ଛାତ୍ରୀଙ୍କର ମୃତଦେହ ସହର ନିକଟ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ନିଛାଟିଆ ସ୍ଥାନରେ ପଡ଼ିଥିବାର ଲୋକେ ଦେଖିବାକୁ ପାଇଥିଲେ। ମୃତ ନାବାଳିକାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କରାଯାଇଛି |
ପରେ ଏହି ଘଟଣା ଆଖପାଖ ଅଞ୍ଚଳର ପ୍ରସାରିତ ହୋଇଯାଇଥିଲା ଏବଂ ସେଠାରେ ହଜାର ହଜାର ଲୋକଙ୍କ ଘଟଣାସ୍ଥଳରେ ସମାଗମ ହୋଇଥିଲା | ଏବଂ ପରେ ଲୋକମାନେ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତାକୁ ବାଲିଗାଁଠାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ରାସ୍ତାର ଦୁଇପାଶ୍ୱର୍ରେ ଶହଶହ ଗାଡ଼ି ଅଟକି ରହିଥିଲା । ସୂଚନା ପାଇବା ପରେ ଧାମନଗର ଏସ୍ଡିପିଓ ତ୍ରିଲୋଚନ ସେଠୀ ପହଞ୍ଚି ଲୋକଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରିବା ପରେ ମଧ୍ୟ ଲୋକେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଅଡ଼ି ବସିଛନ୍ତି। ତେବେ ଘଟଣାସ୍ଥଳରେ ଭଦ୍ରକ ଏସ୍ପି ମନୋଜ କୁମାର ରାଉତ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।
ଗତକାଲି ରାତି ଠାରୁ ଏହି ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ସମୟରେ ଆଜି କଂଗ୍ରେସ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ନକଲେ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇ ଘଟଣାର ପ୍ରତିବାଦ କରିବ ବୋଲି ଭଦ୍ରକ ଜିଲା କଂଗ୍ରେସ କମିଟିର ସଭାପତି ନଳିନୀକାନ୍ତ ମାହାନ୍ତି କହିଛନ୍ତି । ସେପଟେ ଘଟଣାରେ ସାମିଲ ଥିବା ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଭଦ୍ରକ ଏସ ପି ମନୋଜ ରାଉତ ସୂଚନା ଦେଇଛନ୍ତି । ଘଟଣା ପରେ ଚାନ୍ଦବାଲି ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ଚାନ୍ଦବାଲିରେ ଅଧିକ ପୋଲିସ ମୁତୟନ କରାଯାଇଛି।

