ବଢିଲା ପାରମ୍ପରିକ କଳାକାରଙ୍କ ଭତ୍ତା; ରାଜ୍ୟର ୪୭,୭୦୪ କଳାକାର ଉପକୃତ ହେବେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୨୯।୧୨ : ନୂଆବର୍ଷରେ କଳାକାରଙ୍କ ପାଇଁ ଖୁସି ଖବର। ରାଜ୍ୟରେ ପାରମ୍ପରିକ କଳାକାରଙ୍କ ମାନଙ୍କ ଭତ୍ତା ବୃଦ୍ଧି ଘୋଷଣା। ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାକାର ମାନଙ୍କ ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି। କେନ୍ଦୁଝରର ପାର୍କଲେନ ଠାରେ ଆୟୋଜିତ ୪୮ ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟ କଳାକାର ଓ ସେମାନଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି ହୋଇଛି।
ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାକୁ ପ୍ରଚାର ପ୍ରସାର କରୁଥିବା କଳାକାର ମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ଭତ୍ତା ବୃଦ୍ଧି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି।
ତେବେ ଏହି ନିଷ୍ପତ୍ତି ଅନୁସାରେ, ୪୦ ରୁ ୮୦ ବର୍ଷ ବୟସ୍କ କଳାକାର ମାନଙ୍କ ପାଇଁ ଭତ୍ତା ମାସକୁ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା ବେଳେ ୮୦ ବର୍ଷରୁ ଅଧିକ ବୟସର କଳାକାର ମାନଙ୍କ ମାସିକ ଭତ୍ତା ୨୫୦୦ ଟଙ୍କାରୁ ୩୫୦୦ ପର୍ଯ୍ୟନ୍ତ ଟଙ୍କା ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ୪୭,୭୦୪ ପାରମ୍ପରିକ କଳାକାର ଉପକୃତ ହେବେ ବୋଲି ସୂଚନା ରହିଛି।

