ବିଶ୍ବସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ; ମଞ୍ଜୁର ହୋଇଛି ୧୨୦ କୋଟି
ଭୁବନେଶ୍ୱର,୩୦|୧୨: ଭୁବନେଶ୍ୱରର ବାରଙ୍ଗ ସ୍ଥିତ ନନ୍ଦନକାନନ ହେବ ବିଶ୍ବସ୍ତରୀୟ | ଏଥିପାଇଁ ଖର୍ଚ୍ଚ ହେବ ୧୨୦ କୋଟି ଟଙ୍କା। ୨୦୨୬ ବର୍ଷ ମଧ୍ୟରେ ପ୍ରାଣୀ ଉଦ୍ୟାନର ଭିତ୍ତିଭୂମି ଏବଂ ଆନୁଷଙ୍ଗିକ ବ୍ୟବସ୍ଥାକୁ ବିକଶିତ କରିବାକୁ ରହିଛି ଉଦ୍ଦେଶ୍ୟ | ନନ୍ଦନକାନନ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଅସିଥାଆନ୍ତି | ତେବେ ଓଡିଶା କିମ୍ବା ଓଡ଼ିଶା ବାହାରୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ବିଭିନ୍ନ ଯୋଜନାର ପ୍ରସ୍ତୁତି କରାଯାଇଛି | ନନ୍ଦନକାନନର ୬୬ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେଇ ବିଭିନ୍ନ ଯୋଜନା ବିଷୟରେ ଘୋଷଣା କରିଛନ୍ତି। ପର୍ଯ୍ୟଟକଙ୍କ ଆକର୍ଷିତ କରିବା ପାଇଁ, ଗଣ୍ଡା, ଚିତା, ବିଦେଶୀ ମାଙ୍କଡ଼ ଆଦି ଅଣାଯିବାର ପ୍ରସ୍ତୁତି କରାଯାଇଛି । ଏହା ସହିତ ଉତ୍ତର-ପୂର୍ବ ପଟରେ ପାନୋରମା ଖୁଆଡ଼ ସମେତ ୨୦ ଖୁଆଡ଼ ଉଦ୍ଘାଟନ ପରେ ସେଥିରେ ଜୀବଜନ୍ତୁ ଛଡ଼ା ଯିବା ସହିତ ନନ୍ଦନକାନନରେ ଜନ୍ମ ହୋଇଥିବା ବାଘ, ସିଂହ, ସିମ୍ପାଞ୍ଜି ଆଦିଙ୍କ ଶାବକଙ୍କ ନାମକରଣ ମଧ୍ୟ କରାଯାଇଛି | ବାଘୁଣୀ ଅଙ୍କିତାର ଛୁଆର ନାମ କାହ୍ନା ଏବଂ ବାଘୁଣୀ ରୁପାର ୨ଶାବକ ନାମ ଅରୁଣ ଓ ଅର୍ଜୁନ ରଖାଜିଛି | ସେହିପରି ବାଘୁଣୀ ମୌସୁମୀର ଶାବକ ନାମ ଅନନ୍ୟା ଦିଆଯାଇଥିବା ବେଳେ ସିଂହୀ ରେୱାର ୨ଶାବକ ନାମ ରକି ଓ ଲକି ରଖାଯାଇଛି | ସିମ୍ପାଞ୍ଜି ରାକ୍ଷୀର ଶାବକ ନାମ ପୁଷ୍ପା ଓ ସିମ୍ପାଞ୍ଜି ଦୁର୍ଗାର ଶାବକ ନାମ ସୂରଜ ବୋଲି ମନ୍ତ୍ରୀ ଏହି ସଭାରେ ଘୋଷଣା କରିଛନ୍ତି | ୧୨୦ କୋଟି ଟଙ୍କାରେ କାଞ୍ଜିଆ ହ୍ରଦରୁ ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ସହ ନୂତନ ଖୁଆଡ଼ ନିର୍ମାଣ ଓ ପୁରୁଣା ଖୁଆଡ଼ ଗୁଡିକର ନବୀକରଣ କରାଯିବାର ରହିଛି । କିଛି ଜୀବଜନ୍ତୁଙ୍କୁ ଅଦଳବଦଳ ପ୍ରକ୍ରିୟା ଓ ବାହାରୁ କିଣି ଆଣିବା ପକ୍ରିୟାରେ ଶୀଘ୍ର ପ୍ରାଣୀ ଉଦ୍ୟାନକୁ ଦେଶବିଦେଶରୁ ଚିତା, ଗଣ୍ଡା, ଗୋଲ୍ଡେନ୍ ମାଙ୍କଡ଼, ଏବଂ ଚଷମା ମାଙ୍କଡ଼ ଆଦି ଆଣିବା ପାଇଁ ଯୋଜନା କରାଯାଉଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଓ ନନ୍ଦନକାନନ ଶିକ୍ଷା ବିଭାଗ ପକ୍ଷରୁ ମୁକ୍ତାକାଶ ପାଠଶାଳା ଉପରେ ଚଳଚ୍ଚିତ୍ର ପ୍ରଦର୍ଶିତ ମଧ୍ୟ କରାଯାଇଥିଲା | ଚଳିତବର୍ଷ ନନ୍ଦନକାନନରେ ରହୁଥିବା ଜୀବଜନ୍ତୁଙ୍କୁ ୬୯ଜଣ ବ୍ୟକ୍ତି ପୋଷ୍ୟଭାବେ ଗ୍ରହଣ କରିଥିବା ସୂଚନା ରହିଛି।
ଏହି ଅବସରରେ ଆୟୋଜିତ ହୋଇଥିବା ସଭାରେ ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ସୁରେଶ ପନ୍ତ, ପ୍ରଧାନ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ (ପିସିସିଏଫ) ପ୍ରେମ କୁମାର ଝା ଆଦି ପ୍ରମୁଖ ଅତିଥି ମାନେ ଯୋଗଦେଇଥିଲେ। ନନ୍ଦନକାନନ ନିର୍ଦେଶକ ମନୋଜ ଭି. ନାୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଉପନିର୍ଦ୍ଦେଶକ ସନଥ୍ କୁମାର ନାରାୟଣ ଅତିଥି ପରିଚୟ ଦେଇଥିବା ସହିତ ବିବରଣୀ ପାଠ କରିଥିଲେ। ଉତ୍ସବରେ ନନ୍ଦନକାନନର ବାର୍ଷିକ ପୁସ୍ତିକା, କ୍ୟାଲେଣ୍ଡର, ଶିକ୍ଷାମୂଳକ ପୁସ୍ତିକା, ରାଜ୍ୟ ଉଦ୍ଭିଦ ଉଦ୍ୟାନ ପୁସ୍ତିକା ସହିତ ନନ୍ଦନକାନନ ହାଇଲାଇଟ୍ – ୨୦୨୫ ପୁସ୍ତିକା ମଧ୍ୟ ଉନ୍ମୋଚିତ କରାଯାଇଥିଲା | ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ବନପାଳ, ବନରକ୍ଷୀ, ଜନ୍ତୁ ରକ୍ଷକ, ନିରାପତ୍ତା ସମେତ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବରେ ପୂର୍ବତନ ଜିଲା ପରିଷଦ କୁନାଲ ରାଉତ, ନନ୍ଦନକାନନର ପୂର୍ବତନ ନିର୍ଦେଶକ ଶିଶିର ଆଚାର୍ଯ୍ୟ, ପୂର୍ବତନ ଏସିଏଫ୍ କମଳଲୋଚନ ପୁରୋହିତ, ପୂର୍ବତନ ବନାଞ୍ଚଳ (ରେଞ୍ଜର) ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ | ଉତ୍ସବ ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ସହକାରୀ ବନ ସଂରକ୍ଷକ (ଏସିଏଫ୍) ମନସ୍ମିତା ମହାରଣା ଓ ଜନ୍ତୁ ଏସିଏଫ୍ ନୂତନ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ ସଭାକୁ ପରିଚାଳନାକୁ ସୁରୁଖୁରୁରେ ଆଗେଇନେଇ ଥିଲେ |

