Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରଲୋକରେ,ସାନ୍ତାଳୀ ଲେଖିକା ମାଳତୀ ମୁର୍ମୁ; ସାନ୍ତାଳୀ ସାହିତ୍ୟ ଓ ସାଂସ୍କୃତିକ ମହଲରେ ଶୋକର ଛାୟା

ବାରିପଦା,୩୧|୧୨: ପରଲୋକରେ ଲେଖିକା ମାଳତୀ ମୁର୍ମୁ | ସାନ୍ତାଳୀ ସାହିତ୍ୟ ମହଲରେ ଅପୂରଣୀୟ କ୍ଷତି | ଭାଷା ଓ ଅଲଚିକି ଲିପିର ପ୍ରମୁଖ ପ୍ରଚାରିକା, ତଥା ସାନ୍ତାଳୀ ଲେଖିକା ମାଳତୀ ମୁର୍ମୁଙ୍କର ଦେହାନ୍ତ ହୋଇଛି । ବୁଧବାର, ଭୁବନେଶ୍ୱର ୬ନଂ ସ୍ଥିତ ସରକାରୀ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି | ତାଙ୍କୁ ମୃତ୍ୟୁ ବେଳକୁ ୫୧ ବର୍ଷ ହୋଇଥିଲା | ତାଙ୍କ ବିୟୋଗରେ ସାନ୍ତାଳୀ ସାହିତ୍ୟ ଓ ସାଂସ୍କୃତିକ ମହଲରେ ଶୋକର ବାତାବରଣ ଖେଳିଯାଇଛି।

ସାନ୍ତାଳୀ ଭାଷା ଓ ଅଲଚିକି ଲିପି ପ୍ରଚାରରେ ମାଳତୀ ମୁର୍ମୁଙ୍କର ଗଭୀର ଅବଦାନ ରହିଥିଲା | ମିସନ ଅଲଚିକିର ଦୃଢ଼ ସଂଗଠିକା ଭାବେ ପରିଚିତ ମାଳତୀ ମୁର୍ମୁ ମାସିକ ସାନ୍ତାଳୀ ସମ୍ବାଦ ପତ୍ରିକା ‘ଫାଗୁନ’ର ସମ୍ପାଦିକା ଭାବେ ଦାୟିତ୍ୱ ମଧ୍ୟ ତୁଲାଉଥିଲେ | ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ, ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଗଠନ (ଆସେକା)ର ପ୍ରମୁଖ ସଦସ୍ୟ ସହିତ ସାଓହେଁଦ ଆଖଡାର ସଭାନେତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ।

୧୯୭୫ ମସିହା ୧୧ ଫ୍ରେବୃଆରିରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଗୟଳକଟା ଗାଁରେ ପିତା ମଙ୍ଗଲ ମୁର୍ମୁ ଓ ମାତା ଶର୍ମା ମୁର୍ମୁଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ | ମାଳତୀ ମୁର୍ମୁ ପିତା ଓ ମାତାଙ୍କର ସବୁଠାରୁ ଜ୍ୱେଷ୍ଠ କନ୍ୟା ଥିଲେ | ତାଙ୍କ ତଳେ ଆଉ ପାଞ୍ଚ ଭାଇଭଉଣୀ ରହିଥିଲେ | ସେ ସାନ୍ତାଳୀ ଭାଷାରେ ଆସେକା ବୋର୍ଡରୁ ତାଙ୍କର ମେଟ୍ରିକ ପାସ କରିଥିଲେ | ଏହାପରେ ୨୧ ଜୁନ ୧୯୯୧ରେ ବିଶିଷ୍ଟ ସାନ୍ତାଳୀ ସାହିତ୍ୟିକ ଓ ଅଲଚିକି ପ୍ରଚାରକ ମାଙ୍ଗାତ୍ ମୁର୍ମୁଙ୍କ ସହ ତାଙ୍କର ବିବାହ ହୋଇଥିଲା । ଏବଂ ବିବାହ ପରେ ସେ ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗ କରିଥିଲେ।

କିଛିଦିନ ତଳେ ରାଇରଙ୍ଗପୁରରେ, ଅନୁଷ୍ଠିତ ହୋଇଥିବା ଅଲଚିକି ଲିପିର ସତବାର୍ଷିକ ପୂରଣ ଉତ୍ସବ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଦ୍ୱାରା ମାଳତୀ ମୁର୍ମୁଙ୍କୁ ସମ୍ମାନିତ କରାଯାଇଥିଲା । ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘ ପକ୍ଷରୁ ଜୀବନବ୍ୟାପି ସାହିତ୍ୟିକ ଅବଦାନ ପାଇଁ ସମ୍ମାନ ମଧ୍ୟ ତାଙ୍କୁ ଦିଆଯାଇଥିଲା | ଆଉ ଆଜି ଅପରାହ୍ନ ସମୟରେ ମୟୂରଭଞ୍ଜ ଜିଲ୍ଲାର ନିଜ ଗ୍ରାମ ଚାନ୍ଦୁଆଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ