ଏଣିକି ପଞ୍ଚମ ଓ ଅଷ୍ଟମରେ ବାର୍ଷିକ ପରୀକ୍ଷା;ରହିବ ପାସ୍ ଫେଲର ବ୍ୟବସ୍ଥା
ଭୁବନେଶ୍ୱର,୨।୧: ଛାତ୍ର ଛାତ୍ରୀଙ୍କ ପାଇଁ ବଡ ସୂଚନା। ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ । ତାହା ସହିତ ପାସ୍, ଫେଲର ବ୍ୟବସ୍ଥା ମଧ୍ୟ ରହିବ । ପ୍ରଥମରୁ ଚତୁର୍ଥ ଶ୍ରେଣୀ ଓ ଷଷ୍ଠ, ସପ୍ତମ ଶ୍ରେଣୀ ପିଲାଙ୍କର ସମେଟିଭ୍ ଆସେସ୍ମେଣ୍ଟ ରହିବ । ଏବଂ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ପରୀକ୍ଷା ଆରମ୍ଭ ହେବା ବେଳେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଫଳ ଘୋଷଣା କରାଯିବାର ରହିଛି ।
ସେହିପରି ମାର୍ଚ୍ଚ ୧୬ରୁ ଏପ୍ରିଲ୍ ୧୫ ତାରିଖ ମଧ୍ୟରେ ପରୀକ୍ଷାରେ ଫେଲ୍ ହୋଇଥିବା କିମ୍ବା କମ୍ ମାର୍କ ରଖିଥିବା ପିଲାଙ୍କର ପାସ ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ।ଏହାକୁ ବିଷୟ ଭିତ୍ତିକ ଶିକ୍ଷକ କରିବେ । ଏପ୍ରିଲ୍ ମାସରେ ତୃତୀୟ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଏବଂ ଚତୁର୍ଥ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ପଠାଯାଇଛି । ଚିଠି ଅନୁସାରେ, ସମସ୍ତ ସ୍କୁଲରେ ମାର୍ଚ୍ଚ ୨ ତାରିଖରେ ପ୍ରଶ୍ନପତ୍ର ପହଞ୍ଚିବ ବୋଲି ସୂଚନା ରହିଛି ।

