ଭୀଷଣ କୁହୁଡ଼ି ନେଇ ୧୮ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କତା;
ଭୁବନେଶ୍ୱର,୩|୧: ଭୀଷଣ କୁହୁଡ଼ିରୁ ମିଳିବନି ନିସ୍ତାର | ଆକାଶରେ ଦେଖାଦେବ କୁହୁଡିର ଆସ୍ତରଣ | ଫଳରେ ଦୃଶ୍ୟମାନରେ ହ୍ରାସ ପାଇବ | ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡିର ପ୍ରଭାବ ବେଶୀ ଦେଖାଦେବ | ଏହି ସମୟରେ ଯାତୟାତରେ ମଧ୍ୟ ଅନେକ ସମସ୍ୟା ଉପୁଜିବ | ଏନେଇ ପାଣିପାଗ ବିଭାଗ ଆକଳନ କରିଛି | ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଦ୍ଧାରେ ଅତି ଘନ କୁହୁଡ଼ିର ଆସ୍ତରଣ ଦେଖାଯିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଏହି ଚାରାଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି | ସେହିପରି କେନ୍ଦ୍ରାପଡ଼ା, ଗଜପତି, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼ ଓ କନ୍ଧମାଳରେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ ଦେଖାଯିବ |
ଆସନ୍ତା ରବିବାରକୁ ଚାରୋଟି ଜିଲ୍ଲା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ କଟକରେ ପ୍ରବଳ ରୁ ଅତି ପ୍ରବଳ କୁହୁଡ଼ି ଦେଖାଯାଇପାରେ । ତେବେ ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ କୁହୁଡିର ପ୍ରଭାବ ଅତ୍ୟଧିକ ରହିବ | ପାଣିପାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା୫ ତାରିଖ ଯାଏଁ ଏଭଳି ସ୍ଥିତି ଜାରି ରହିବ ।
ଅନ୍ୟପଟେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ସମୟରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଅଞ୍ଚଳରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। ଫଳରେ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ | କିନ୍ତୁ ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି। ଯାହା ଫଳରେ ଶୀତର ପ୍ରକୋପ ଆହୁରି ବଢିବ |
ସୂଚନା ଅନୁସାରେ, ଶନିବାର ୮ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୭.୫ ଡ଼ିଗ୍ରୀ ରେକର୍ଡ ହୋଇଛି | ସେହିପରି କୋରାପୁଟରେ ୮.୧ ଡିଗ୍ରୀ , ଘୁ.ଉଦୟଗିରିରେ ୯.୬ ଡିଗ୍ରୀ , ବୌଦ୍ଧରେ ୯.୮ ଡିଗ୍ରୀ ରେକର୍ଡ ଛୁଇଁ ଥିବା ବେଳେ, ଅନୁଗୋଳରେ ୮.୯ ଡ଼ିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି | ରାଉରକେଲାରେ ୯.୬ ଡିଗ୍ରୀ, ଝାରସୁଗୁଡ଼ାରେ ୯.୮ ଡିଗ୍ରୀ, ଭୁବନେଶ୍ବରରେ ୧୨.୫ ଏବଂ କଟକରେ ୧୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ବାଲେଶ୍ବର, ଅନୁଗୋଳ, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ ଏବଂ କନ୍ଧମାଳ ଜିଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ପଶ୍ଚିମା ବାୟୁ ପ୍ରଭାବରେ ଜାନୁଆରି ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ସେହିପରି କଟକ ଓ ଭୁବନେଶ୍ୱରରେ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଶୀତର ପ୍ରଭାବ କମ ରହିବ | ବର୍ଷା ପରେ ଶୀତର ପ୍ରକୋପ ଆହୁରି ବଢିବ | ଆସନ୍ତା ୧୦ରୁ ଅତ୍ୟଧିକ କୁହୁଡ଼ି ଦେଖାଯିବା ନେଇ ଶ୍ରୀ ସାହୁ ଆକଳନ କରିଛନ୍ତି ।

