ନୂଆ ହିତାଧିକାରୀଙ୍କ ପାଇଁ ଖୁସି ଖବର, ଏ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର,୮|୧: ଚଳିତ ସପ୍ତାହରେ ହିତାଧିକାରୀଙ୍କୁ ମିଳିବା ସୁଭଦ୍ରା ଟଙ୍କା | ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି | ଏହି ପର୍ଯ୍ୟାୟରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ସୁଭଦ୍ରା ଯୋଜନାର ଲାଭ ପାଇବେ। ଏବଂ ନୂଆ କରି ଯୋଡି ହୋଇଥିବା ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧୀକାରୀଙ୍କୁ ମିଳିବ ୫ ହଜାର ଟଙ୍କା। ସେହିପରି, ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ମହିଳାଙ୍କୁ ପୁଣିଥରେ ଯୋଜନାରେ ସାମିଲ କରାଯାଇଥିବା ବେଳେ ସେମାନେ ଏକା ବେଳେ ଦୁଇଟି କିସ୍ତିର ରାଶି ପାଇବା ନେଇ ସୂଚନା ରହିଛି |
ଅନେକ ହିତାଧିକାରୀ ସୁଭଦ୍ରା ଯୋଜନା ପାଇବାକୁ ଯୋଗ୍ୟ ହୋଇଥିବା ସତ୍ତ୍ୱେ ସେମାନଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଥିଲା | ଏନେଇ ଅଭିଯୋଗ ପୋର୍ଟାଲ ମାଧ୍ୟମରେ ଅନେକ ହିତାଧିକାରୀ ଅଭିଯୋଗ କରିଥିଲେ | ତେବେ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ଏହି ପର୍ଯ୍ୟାୟରେ ମୋଟ ୨୫୦ କୋଟି ଟଙ୍କା ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ।

