Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାରେ ଖୁବଶୀଘ୍ର ଲାଗୁ ହେବ ପିଏମ୍‌-ରାହତ ଯୋଜନା; ପରିବହନ ବିଭାଗର ମୁଖ୍ୟ ସଚିବ ଉଷା ପାଢ଼ୀ

ନୂଆଦିଲ୍ଲୀ,୯|୧: ସରକାରଙ୍କ ନୂଆ ଯୋଜନା | ସଡକ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ଆଶ୍ବସ୍ତି | ଏଣିକି ସଡ଼କ ଦୁର୍ଘଟଣାରେ କେହି ଆହତ ହେଲେ ତାଙ୍କୁ ଆଉ ଅର୍ଥ ନେଇ ଚିନ୍ତା କରିବାକୁ ପଡ଼ିବନି | ସରକାର ଯୋଗାଇ ଦେବେ ଆର୍ଥିକ ସାହାଯ୍ୟ | ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ କୌଣସି ଅର୍ଥ ଦାବି କରିବେନି। ଆହତ ହୋଇଥିବା ବ୍ୟକ୍ତିଙ୍କୁ ୧.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଚିକିତ୍ସା ଯୋଗାଇ ଦିଆଯିବ। ତେବେ ଏହି ସୁବିଧା ପିଏମ୍-ରାହତ ଯୋଜନା ଅଧୀନରେ ଉପଲବ୍ଧ ହେଉଥିବା ବେଳେ ଏବେ ଖୁବ୍‌ଶୀଘ୍ର ଓଡ଼ିଶାରେ ଏହା ଲାଗୁ କରାଯିବ | ଏନେଇ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି ବୋଲି ବାଣିଜ୍ୟ ଏବଂ ପରିବହନ ବିଭାଗର ମୁଖ୍ୟ ସଚିବ ଉଷା ପାଢ଼ୀ ନୂଆଦିଲ୍ଲୀରେ ଅନୁଷ୍ଠିତ ପରିବହନ ବିକାଶ ପରିଷଦ ବୈଠକରେ ସୂଚନା ଦେଇଛନ୍ତି ।

ଏନେଇ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ଶ୍ରୀମତୀ ଉଷା ପାଢ଼ୀ ଓଡ଼ିଶାର ସାମଗ୍ରିକ ପରିବହନ ଓ ସଡ଼କ ସୁରକ୍ଷା ସମ୍ପର୍କିତ ଚିତ୍ର ଉପସ୍ଥାପନ କରିଥିଲେ। ତାହା ସହିତ ସଡ଼କ ସୁରକ୍ଷା, ଡିଜିଟାଲ୍‌ ପରିବହନ ଶାସନ, ଚାଳକ ପ୍ରଶିକ୍ଷଣ ଓ ପ୍ରଯୁକ୍ତିଭିତ୍ତିକ ପ୍ରବର୍ତ୍ତନ କ୍ଷେତ୍ରରେ ରାଜ୍ୟର ଅଗ୍ରଣୀ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ଦର୍ଶାଇଥିଲେ |

ସୂଚନା ଅନୁସାରେ, ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି ଯେଉଁଥିରେ ଓଡିଶାକୁ ସାମିଲ କରାଯାଇଛି | ତେବେ ଏହି କମିଟି ସମଗ୍ର ଦେଶରେ ପରିବହନ ନିୟମ ଏବଂ ଏଥିରେ ସଂଶୋଧନ ପ୍ରସ୍ତୁତ କରିବ। ଏଥିରେ ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ୍‌, ଭେହିକିଲ୍‌ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌, ପିୟୁସିସି, ପରମିଟ୍ ସଂସ୍କାର, ଲାଇସେନ୍ସ ଡି-ଡୁପ୍ଲିକେସନ୍‌ ଏବଂ ମୋଟର ଯାନ ଆଇନ ଓ କେନ୍ଦ୍ରୀୟ ମୋଟର ଯାନ ଆଇନର ସଂଶୋଧନ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ ସାମିଲ କରାଯାଇଛି | ଏହା ସହିତ ଆଗାମୀ ଦିନରେ ରାଜ୍ୟରେ ଭିଏଲ୍‌ଟିଡି ଏବଂ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚ୍‌ଏସ୍‌ଆର୍‌ପି) କାର୍ଯ୍ୟକାରିତାକୁ କଡ଼ାକଡ଼ି ଯାଞ୍ଚ କରିବାକୁ କୁହାଯାଇଛି। ଏହି ବୈଠକରେ ପରିବହନ କମିସନର ଅମିତାଭ ଠାକୁର ଏବଂ ଅନ୍ୟ ରାଜ୍ୟର ପରିବହନ ମନ୍ତ୍ରୀ ଓ ସଚିବମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ