Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମକର ସଂକ୍ରାନ୍ତି ପୂର୍ବରୁ ପୁରୀ ପୋଲିସର ସ୍ୱତନ୍ତ୍ର ଅଭିଯାନ; ମାଞ୍ଜା ସୁତା ବିକ୍ରି ଏବଂ ବ୍ୟବହାର ଉପରେ ରୋକ

ପୁରୀ,୧୩|୦୧: ପୁରୀ ପାଇଁ ବିପଦ ସାଜିଛି ମାଞ୍ଜା ସୂତାରେ ଉଡୁଥିବା ଗୁଡ଼ି । ଏହା ଉପରେ ରୋକ ଲଗାଇବା ପାଇଁ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ | ପୁରୀ ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ତଥା ଧାର୍ମିକ ସହର। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ କିମ୍ବା ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି | ତେବେ ଏଠାକୁ ଆସୁଥିବା ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଞ୍ଜା ସୁତା ଦ୍ୱାରା ଗୁଡ଼ି ଉଡିଯାଉଥିବା ଉପରେ ପୋଲିସ ରୋକ ଲଗାଇଛି |

ମାଞ୍ଜା ଲାଗିଥିବା ଗୁଡ଼ି ସୂତା ଦ୍ୱାରା ଦୁର୍ଘଟଣା ମଧ୍ୟ ଘଟୁଛି | ନିକଟରେ ପିଉସୀ ଏବଂ ତାଙ୍କ ପୁତୁରା ବାଇକରେ ଯାଉଥିବା ସମୟରେ ମାଞ୍ଜା ଲାଗିଥିବା ଗୁଡ଼ି ସୂତା ଦ୍ୱାରା ଆହତ ହୋଇ ଗୁରୁତର ଭାବେ ଆହତ ହୋଇଥିଲେ | ସେଥିପାଇଁ ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ପୁରୀ ସହରରେ ଏହି ଅଭିଯାନ ଆରମ୍ଭ ହୋଇଛି । ବଡ଼ଦାଣ୍ଡ ସମେତ ବିଭିନ୍ନ ଅଞ୍ଚଳରେ ମାଞ୍ଜା ସୂତାର ବିକ୍ରୟ ଏବଂ ବ୍ୟବହାର ଉପରେ ରୋକ ଲଗାଇବାକୁ ଜୋର ସୋରରେ ଅଭିଯାନ ଆରମ୍ଭ କରିଛି ପୋଲିସ |

ବିଭିନ୍ନ ଗୁଡ଼ି ଦୋକାନ ସହ ବ୍ୟବସାୟୀଙ୍କ ପାଖରୁ ମୋଟ ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ କରିଛି ପୋଲିସ | ସେହିପରି ବେଆଇନ ଭାବେ ମାଞ୍ଜା ସୂତା ବିକ୍ରି କରୁଥିବା ଦୋକାନୀମାନଙ୍କୁ ମଧ୍ୟ କଡା ଚେତାବନୀ ଦିଆଯାଇଛି । ପୋଲିସର ବାରଣ ସତ୍ତ୍ୱେ ଯଦି ଏହି ବିକ୍ରି ଜାରି ରୁହେ ତେବେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପୁରୀ ପୁଲିସ ସୂଚନା ଅନୁସାରେ, ମାଞ୍ଜା ସୂତା ବ୍ୟବହାର ଏବଂ ବିକ୍ରି ଆଇନତଃ ଅପରାଧ । ଏହା ମନୁଷ୍ୟ ଜୀବନ ସହିତ ପକ୍ଷୀ, ପଶୁ ଓ ପରିବେଶ ପାଇଁ ମଧ୍ୟ ଭୟଙ୍କର ଅଟେ । ବଡ଼ଦାଣ୍ଡ ଏବଂ ସହର ଅନ୍ୟ ଅଞ୍ଚଳରେ ମାଞ୍ଜା ସୂତା ଦ୍ୱାରା ଗୁଡ଼ି ନ ଉଡ଼ାଇବାକୁ ସାଧାରଣ ଜନତାଙ୍କୁ ଅପିଲ କରିଛି ପୋଲିସ | ଯଦି କୌଣସି ବ୍ୟକ୍ତି ମାଞ୍ଜା ସୂତା ବିକ୍ରି କିମ୍ବା ବ୍ୟବହାର କରୁଥିବା ଦେଖିବେ, ତେବେ ନିକଟରେ ଥିବା ଥାନାକୁ କିମ୍ୱା ୧୧୨ କୁ କଲ କରି ସୂଚନା ଦେବାକୁ ପୋଲିସ ପକ୍ଷରୁ ସାଧାରଣ ବର୍ଗଙ୍କୁ ନିବେଦନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ