Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଙ୍ଗାଯିବ ନଅ ତାଲା, ରାଜୀବ ଭବନ ଆଉ ସେଚ ସଦନ( ଜଳ ସମ୍ପଦ ବିଭାଗ) : ଆଇନ ମନ୍ତ୍ରୀ

ଭୁବନେଶ୍ୱର,୧୩|୧: ଭଙ୍ଗାଯିବ ନଅ ତାଲା କୋଠା | ବର୍ତ୍ତମାନ ଲୋକସେବା ଭବନର ଅତି ନିକଟରେ ଥିବା ନଅ ତାଲା, ସେଚ ସଦନ ଏବଂ ରାଜୀବ ଭବନକୁ ଭଙ୍ଗାଯିବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ଅନୁସାରେ, ଏ ସବୁ ପୁରୁଣା କୋଠା ବିପଦସଙ୍କୁଳ ବୋଲି ଘୋଷଣା ହୋଇସାରିଛି । ଏହାସହିତ ତିନୋଟି ପର୍ଯ୍ୟାୟରେ ନୂଆ ଲୋକସେବା ଭବନର ନିର୍ମାଣ କରାଯିବ। ସୂଚନା ଅନୁସାରେ, ଏହାର ପ୍ରଥମ ପର୍ଯ୍ୟାୟରେ ଲୋକସେବା ଭବନର ମୁଖ୍ୟ ଅଫିସଟି ଖାରବେଳ ଭବନ ନିକଟରେ ନିର୍ମାଣ ହେବ । ଏବଂ ପାଓ୍ୱାର ହାଉସ ଛକକୁ ଲାଗି ଏଡିଏମ୍ ଅଫିସ, OSEPA ଅଫିସ୍ ପାଖରେ ହେବ ଲୋକସେବା ଭବନର ଅଫିସ୍ ।

ଅନ୍ୟପଟେ, ରାଜ୍ୟରେ ନୂଆ ବିଧାନସଭା ତିଆରି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଙ୍କେତ ମିଳିବା ପରେ, ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଥିଲା ଯେ, ପୁରୁଣା ବିଧାନସଭା କଣ ହେବ? ତେବେ ଏନେଇ ସ୍ପଷ୍ଟ ମନ୍ତବ୍ୟ ପ୍ରକାଶ କରିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ବର୍ତ୍ତମାନ ଥିବା ବିଧାନସଭା କୋଠାକୁ ଭଙ୍ଗାଯିବନାହିଁ । ଏହାକୁ ଭବିଷ୍ୟତରେ ମ୍ୟୁଜିୟମ ଭାବରେ ବ୍ୟବହାର କରାଯିବ | ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆଗକୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ହେବ ତେବେ ଏହି ପୁରୁଣା ବିଧାନସଭାକୁ ବିଧାନ ପରିଷଦ ଗୃହ ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି । ଏହାସହିତ ନୂଆକରି ତିଆରି ହେବାକୁ ଥିବା ବିଧାନସଭାରେ ୩୦୦ ସଦସ୍ୟ ବସିପାରିବେ । ଲୋକସେବା ଭବନ ଏବଂ ବିଧାନସଭା ମଝିରେ ଥିବା ଖାଲି ସ୍ଥାନରେ ଏହି ନୂଆ ବିଧାନସଭା ଗଠନ ହେବା ନେଇ ସୂଚନା ରହିଛି ।

ସୂଚନା ରହିଛିଯେ , ୨୦୨୭ ଜନଗଣନା ପରେ, ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଓଡ଼ିଶାରେ ବିଧାନସଭା ଆସନ ସଂଖ୍ୟା ୧୪୭ରୁ ବଢି ୨୦୦ ସିଟ ହେବ | ଏବେ ଥିବା ୭୦ ବର୍ଷ ତଳର ବିଧାନସଭା କୋଠାରେ ସମ୍ପ୍ରସାରଣର ସୁଯୋଗ ନାହିଁ। ତେବେ ଆଗାମୀ ୭୦ରୁ ୧୦୦ ବର୍ଷକୁ ଧ୍ୟାନରେ ରଖି ରାଜ୍ୟ ସରକାର ନୂଆ ବିଧାନସଭା କୋଠାର ନିର୍ମାଣ କରିବାର ଯୋଜନା କରିଛନ୍ତି। ଯେଉଁଠାରେ ପ୍ରାୟ ୩୦୦ ବିଧାୟକ ବସିବା ଭଳି ବିଧାନସଭା ଗୃହନିର୍ମାଣ ସମେତ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ମଧ୍ୟ ରହିବ। ଏହି ଦୁଇମହଲା ବିଶିଷ୍ଟ କୋଠା (ବି+ଜି+୧) ଢାଞ୍ଚାରେ ନିର୍ମାଣ ହେବ। ଏଠାରେ ଭୂତଳ ପାର୍କିଂ ଏବଂ ସ୍ବତନ୍ତ୍ର ପାର୍କିଂ ଅଞ୍ଚଳର ବ୍ୟବସ୍ଥା ମଧ୍ୟ କରାଯିବ | ଏଥିପାଇଁ ସର୍ବମୋଟ ୩୮୭.୯୪ କୋଟି ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରି କହିଛନ୍ତି । ସେହିପରି ବର୍ତ୍ତମାନର ଲୋକସେବା ଭବନରେ ଅଧିକାରୀ ଓ କର୍ମଚାରୀ ବସିବାକୁ ପର୍ଯ୍ୟାପ୍ତ ପ୍ରକୋଷ୍ଠ ନାହିଁ। ପ୍ରାୟ ୬୭ ବର୍ଷ ତଳେ ନିର୍ମାଣ ହୋଇଥିବା ଲୋକସେବା ଭବନ (ସଚିବାଳୟ)କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ