୧୫୦ କୁଇଣ୍ଟାଲ ତଳକୁ ଧାନ ବିକୁଥିବା ଚାଷୀଙ୍କୁ ମିଳିବ ୩୧ଶହ ଟଙ୍କା,ଚିନ୍ତାରେ ବଡ ଚାଷୀ
ଭୁବନେଶ୍ୱର,୧୪|୧: ଖରିଫ୍ ଧାନ କିଣା ପାଇଁ ୨୦୨୫ ନଭେମ୍ୱର ୧ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟସୀମା ରହିଥିଲା ବେଳେ ଏପର୍ଯ୍ୟନ୍ତ ଅନେକ ସ୍ଥାନରେ ଟୋକନ ସମସ୍ୟାର ସମାଧାନ ହୋଇ ପାରୁନାହିଁ | କଟନି ଛଟନି ଭଳି ସମସ୍ୟାକୁ ନେଇ ଚିନ୍ତାରେ ଚାଷୀ | ଯୋଗାଣ ମନ୍ତ୍ରୀଙ୍କ ଅଜବ ଘୋଷଣା ଚାଷୀଙ୍କ ନିଦ ହଜାଇ ଦେଇଛି | ସୂଚନା ଅନୁସାରେ, ୧୫୦ କ୍ୱିଣ୍ଟାଲ ତଳକୁ ଧାନ କିଣା ହେଉଥିବା ଚାଷୀଙ୍କୁ ମିଳିବ ୩୧ଶହ ଟଙ୍କା । ଏବଂ ଅନ୍ୟ ଚାଷୀ ପାଇବେ ୨୩ ଶହ ଟଙ୍କା । ମନ୍ତ୍ରୀଙ୍କ ଏପରି ବୟାନ ଚାଷୀ ମାନଙ୍କୁ ହତାସ କରିଛି |
ତେବେ ଗତ କିଛିଦିନ ତଳେ ବରଗଡ଼ ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀ ମାନେ ରାସ୍ତାରେ ଧାରଣା ଦେଇଥିଲେ | ଏଥିରେ ବିଜେଡି ମଧ୍ୟ ନିଜର ସମର୍ଥନ ଜଣାଇ ରାଜରାସ୍ତାକୁ ଓଲ୍ହାଇ ଥିଲା | କେବଳ ବରଗଡ଼ ଜିଲ୍ଲାରେ ନୁହଁ ଅନ୍ୟ ଜିଲ୍ଲାରେ ମଧ୍ୟ ମଣ୍ଡି ଗୁଡିକରେ ଧାନ ବିକ୍ରିକୁ ନେଇ ଅନେକ ସମସ୍ୟା ଦେଖାଯାଇଥିଲା ବେଳେ ପୁଣି କେଉଁଠି ଟୋକନ ଚାଷୀ ମାନଙ୍କ ପାଖରେ ପହଞ୍ଚି ପାରିନାହିଁ | ଅନ୍ୟପଟେ ବିଜେଡି କହିଛି, ଏମ୍ଏସ୍ପିକୁ ନେଇ ବର୍ତ୍ତମାନ ସରକାର ଫେଲ୍ । ଏପର୍ଯ୍ୟନ୍ତ ୧୮ଟି ଜିଲ୍ଲାରେ ମିଲରଙ୍କ ପାଖରୁ ଧାନ ସଂଗ୍ରହ ହୋଇନାହିଁ । ତେବେ ବିଜେଡିର ଜବାବ ରଖିଛି ବିଜେପି | ବିଜେପି କହିବା ଅନୁସାରେ ,ସରକାର ଚାଷୀଙ୍କୁ ବୋନସ୍ ଦେବା ପରେ ଧାନ ଚାଷ ବଢ଼ିଛି । ଯାହା ପୂର୍ବ ସରକାର ୧୦୦ ଟଙ୍କା ବୋନସ୍ କହି ୨୪ ବର୍ଷ ମଧ୍ୟରେ ଟଙ୍କାଟିଏ ବି ଦେଇନଥିଲା ।
ବର୍ତ୍ତମାନ ଅନେକ ସ୍ଥାନରେ ଧାନ କିଣାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଟୋକନ୍ ତ ପୁଣି କେଉଁଠି ଧାନ ବିକ୍ରି ଟଙ୍କାକୁ ନେଇ ଚାଷୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଚାଷୀଙ୍କ ସମସ୍ୟାକୁ ନେଇ ନବରଙ୍ଗପୁରରେ ଆନ୍ଦୋଳନ ଆରମ୍ଭ କରିଛି ବିଜେଡି । ଅନ୍ୟପଟେ ଖୋର୍ଦ୍ଧାରେ ପୂଜାର୍ଚ୍ଚନା ପରେ ମଣ୍ଡି ଖୋଲି ଥିବାରୁ ଚାଷୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି । ଆଉ ଏବେ ମନ୍ତ୍ରୀଙ୍କ ଏଭଳି ବୟାନ ଚାଷୀ ମାନଙ୍କ ନିରାଶ କରିଛି |

