ଏପ୍ରିଲରେ ଖାଲି ହେବାକୁ ଥିବା ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଜୋର ସୋରରେ ପ୍ରତିଯୋଗିତା
ଭୁବନେଶ୍ୱର,୧୪।୦୧ : ଏପ୍ରିଲରେ ଖାଲି ହେବାକୁ ଥିବା ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଜୋର ସୋରରେ ପ୍ରତିଯୋଗିତା ଆରମ୍ଭ ହୋଇଛି | ପରାଜିତ ହୋଇଥିବା ନେତା ଲାଗି ପଡ଼ିଛନ୍ତି,ଦିଲ୍ଲୀ ଚୌକି ହାତେଇବାକୁ। ଏହା ୨୦୨୬ର ରାଜ୍ୟସଭା ପାଇଁ ପ୍ରଥମ ରାଜନୈତିକ ଲଢେଇ ହେବ ।
ସୂଚନା ଅନୁସାରେ, ଏ ବର୍ଷ ଓଡ଼ିଶାର ୪ ରାଜ୍ୟସଭା ଆସନ ଖାଲି ହେବାର ରହିଛି । ଆସନ୍ତା ଏପ୍ରିଲରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମମତା ମହାନ୍ତ, ନିରଞ୍ଜନ ବିଶି, ମୁନ୍ନା ଖାଁଙ୍କ କାର୍ଯ୍ୟକାଳ ଅବଧି ସରୁଛି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଏହି ଚାରୋଟି ଯାକ ଆସନ ବିଜେଡିର ରହିଥିଲା। କିନ୍ତୁ ଗତ ନିର୍ବାଚନ ପରେ, ବିଜେଡିର ପରାଜୟ ପରେ,ସୁଜିତ କୁମାର ଓ ମମତା ମହାନ୍ତ ବିଜେଡି ଦଳ ଛାଡ଼ି ପୁନର୍ବାର ବିଜେପିରୁ ରାଜ୍ୟସଭା ଯାଇଥିଲେ । ଆଉ ଏବେ ଏହି ୪ ଆସନରୁ ୨ଟି ବିଜେଡିର ଥିବାବେଳେ ୨ଟି ବିଜେପିର । ସେପଟେ ରାଜନୈତିକ ବିଶେଷଜ୍ଞ ଅନୁମାନ ଅନୁସାରେ, ୨ଟି ଆସନ ବିଜେପିକୁ ଯିବା ବେଳେ ଆଉ ଗୋଟିଏ ବିଜେଡି ଖାତାକୁ ଯିବ। ଏଥିରେ କୌଣସି ସନ୍ଦେହ ନାହିଁ ତେବେ ତୃତୀୟ ଆସନକୁ ନେଇ ହେବ ଲଢେଇ।
ତେବେ ବର୍ତ୍ତମାନ ବିଧାନସଭାରେ ୩ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନକୁ ମିଶାଇ ବିଜେପି ବିଧାୟକଙ୍କ ସଂଖ୍ୟା ୮୨। କିନ୍ତୁ ପ୍ରକୃତରେ କେବଳ ବିଜେପି ଦଳର ବିଧାୟକ ହେଲେ ୭୯। ସେହିପରି ବିଜେଡି ବିଧାୟକଙ୍କ ସଂଖ୍ୟା ୫୦ । କଂଗ୍ରେସ ୧୪, ସିପିଆଇଏମ ୧ । ରାଜନୀତିର ଗଣିତ ହିସାବ ଅନୁସାରେ, ଏହି ରାଜ୍ୟସଭା ଆସନରେ ଜିତିବାକୁ ହେଲେ ୩୧ଟି ଭୋଟର ଆବଶ୍ୟକତା ରହିଛି। ତେବେ ବିଜେପି ପାଖରେ ଯେତିକି ଜଣ ବିଧାୟକ ରହିଛନ୍ତି, ସେଥିରେ ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ଆରାମରେ ଜିତିଯିବେ । ଏହା ପରେ ମଧ୍ୟ ବିଜେପି ପାଖରେ ଆହୁରି ୨୦ଜଣ ବିଧାୟକ ଅଛନ୍ତି । ଆଉ ଗୋଟିଏ ଆସନ ଜିତିବା ପାଇଁ ବିଜେପିକୁ ଦରକାର ୧୧ ବିଧାୟକ ।
ନୂଆବର୍ଷ ସହ ରାଜ୍ୟସଭାକୁ ଆସନକୁ ନେଇ ଆରମ୍ଭ ହୋଇଯାଇଛି ଦୌଡ଼। ବିଜେପି ୨ଟି ଜିତିବା ଏକପ୍ରକାର ନିଶ୍ଚିତ ଥିବାବେଳେ ବାକି ଗୋଟିଏ ଆସନ ଦଖଲ କରିବାକୁ ଶାସକ ଦଳ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ | ସୁଜିତ ଓ ମମତାଙ୍କୁ ଦଳ ପୁଣି ରାଜ୍ୟସଭା ପଠାଇବ ନା ଅନ୍ୟ କାହାକୁ ବାଛିବ, ତାହା ଆଗାମୀ ସମୟରେ ଜଣା ପଡିବ । ଏମିତିରେ ଦଳର ବହୁ ବରିଷ୍ଠ ନେତା ରାଜ୍ୟସଭା ଆସନ ଉପରେ ନଜର ରଖିଛନ୍ତି । ଦଳୀୟ ସୂତ୍ର ଅନୁସାରେ ରାଜ୍ୟସଭା ପାଇଁ ସବୁଠାରୁ ଅଧିକ ଚର୍ଚ୍ଚାର ପାତ୍ର ସାଜିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମନମୋହନଙ୍କୁ ରାଜ୍ୟସଭା ପଠାଇବାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଚାର କରୁଥିବା କୁହାଯାଉଛି । ଏହା ବ୍ୟତୀତ ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମୀର ମହାନ୍ତି ଓ ଗୋଲକ ମହାପାତ୍ରଙ୍କ ନାମ ବି ଚର୍ଚ୍ଚାର ପରିସରକୁ ଆସିଛି । ସଂଗଠନ ପାଇଁ ବହୁ ବର୍ଷରୁ କାମ କରି ଆସୁଥିବା ସମୀର ଓ ଗୋଲକ ମଧ୍ୟ ରାଜ୍ୟସଭା ଦାବିଦାର ତାଲିକାରେ ରହିଛନ୍ତି । ଯଦି ଦିଲ୍ଲୀପ ରାୟ ପ୍ରାର୍ଥୀ ହେଲେ ତେବେ ବିରୋଧୀ ଦଳରୁ ତାଙ୍କୁ ଭିତିରି ସମର୍ଥନ ମିଳିପାରେ ବୋଲି ଶୁଣିବାକୁ ମିଳୁଛି । ଚର୍ଚ୍ଚା ବାଦ୍ ଆହୁରି ଅନେକ ନେତା (ବିଧାନସଭା ନିର୍ବାଚନରେ ପରାଜିତ) ରାଜ୍ୟସଭା ଆସନକୁ ଅନେଇ ରହିଛନ୍ତି, କାଳେ କେନ୍ଦ୍ରୀୟ ନେତାଙ୍କ ଶୁଭଦୃଷ୍ଟିରେ ନମ୍ବର ପଡ଼ିଯିବ ।
ସେହିପରି ବିଜେଡିର ନିଜର ପ୍ରଥମ ପ୍ରାର୍ଥୀଙ୍କୁ ଜିତାଇବା ପରେ ଆହୁରି ୧୯ ବିଧାୟକ ରହୁଛନ୍ତି । ଯଦି ବିଜେଡି ଦ୍ୱିତୀୟ ପ୍ରାର୍ଥୀ ଦିଏ ଆଉ ୧୨ଜଣ ବିଧାୟକଙ୍କ ଭୋଟର ଆବଶ୍ୟକତା ପଡିବ । ଯଦି ସିପିଆଇଏମ ବିଧାୟକ ମାନେ ବି ସମର୍ଥନ ଦେବେ ତେବେ ବି ଆହୁରି ୧୦ ବିଧାୟକ ଦରକାର ପଡ଼ିବେ । ଯଦି କଂଗ୍ରେସ ସମର୍ଥନ ଦିଏ କିମ୍ବା ବିରୋଧୀ ଦଳର କୌଣସି ମିଳିତ ପ୍ରାର୍ଥୀ ଦିଅନ୍ତି, ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ ଜିତିପାରିବା ନେଇ ଆଶା କରାଯାଉଛି।
ରାଜ୍ୟସଭା ଗଣିତ ଅନୁସାରେ ବିଜେଡିକୁ ଗୋଟିଏ ଆସନ ମିଳିବା ଏକପ୍ରକାର ନିଶ୍ଚିତ । ତେବେ ବିଧାନସଭା ଆସନ ପାଇଁ ବିଜେଡିର ଅନେକ ନେତା ଲାଇନରେ ଅଛନ୍ତି । ଲାଇନର ଆଗରେ ରହିଛନ୍ତି ସଂତୃପ୍ତ ମିଶ୍ର । ସଂତୃପ୍ତଙ୍କୁ ଦିଲ୍ଲୀ ରାଜନୀତିରେ ସକ୍ରିୟ ରଖିପାରନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହାବାଦ୍ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡାଙ୍କ ନାଁ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛି | ଖାଲି ପ୍ରମୁଖ ନେତା ନୁହେଁ, ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ଅନେକ ନେତା ମଧ୍ୟ ରାଜ୍ୟସଭା ଯିବାକୁ ଆଶା ବାନ୍ଧିଛନ୍ତି । ରାଜ୍ୟ ରାଜନୀତିର ମୋଡ ବଦଳାଇ ସବୁବେଳେ ଆଶ୍ଚର୍ଯ୍ୟ କରୁଥିବା ନେତା ନବୀନ କୌଣସି ନୂଆ ନାଁକୁ ଘୋଷଣା କରି ସଭିଙ୍କୁ ଚକିତ ମଧ୍ୟ କରାଇପାରନ୍ତି ।
ତେବେ ସଂଖ୍ୟା ଗଣିତରେ କଂଗ୍ରେସ ପାଇଁ କୌଣସି ପ୍ରକାରର ସମ୍ଭାବନା ଦେଖାଯାଉନାହିଁ | ମାତ୍ର ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ଯଦି ବିରୋଧୀ ଦଳ ଏକାଠି ହେବେ, ତେବେ କଂଗ୍ରେସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।

