Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିୟୁସି ନ ଥିଲେ ବନ୍ଦ କରାଯାଇ ପାରିବନି ତେଲ,ଏନେଇ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲା ପେଟ୍ରୋଲିୟମ୍‌ ଡିଲର୍‌ ଆସୋସିଏସନ୍‌

କଟକ,୧୫|୧: ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ କୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି ସିନା ଥମିବାର ନାଁ ଧରୁନି | ପରିବହନ ବିଭାଗ ପକ୍ଷରୁ ପିୟୁସି ସାର୍ଟିଫିକେର୍ଟ ଅବା ଗ୍ରୀନ ଷ୍ଟିକରକୁ ବାଧ୍ୟତାମୂଳକ କରାଯିବା ପରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା | କାରଣ ଘଣ୍ଟା ଘଣ୍ଟା ଧରି ସାର୍ଟିଫିକେଟ୍ କେନ୍ଦ୍ର ଆଗରେ ଲୋକଙ୍କ ଧାଡ଼ି ଲାଗିବା,ମନଇଚ୍ଛା ପ୍ରଦୂଷଣ ସାର୍ଟିଫିକେଟ୍ ଦିଆଯିବା, ଏବଂ ଜରିମାନାକୁ ନେଇ ଲୋକେ ନାକେଦମ୍ ହେବା ଆଦି ଘଟଣା ପରିବହନ ବିଭାଗକୁ ବିବାଦ ଘେରକୁ ଆଣିଥିଲା । ଏହା ମଧ୍ୟରେ ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ପକ୍ଷରୁ ଏକ ଚିଠି ଲେଖାଯାଇଛି | ଯାହା ଏବେ ବିଭାଗ ପାଇଁ ଆଉ ଏକ ସମସ୍ୟା ଛିଡା କରିଛି । ପିୟୁସି ନଥିଲେ ଗାଡ଼ିକୁ ପେଟ୍ରୋଲ୍ ଦିଆଯାଇପାରିବ ନାହିଁ ବୋଲି ବିଭାଗ ଯେଉଁ ଆଦେଶ ଦେଇଛି ତାହା ଗ୍ରହଣୀୟ ନୁହେଁ ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।

ତେଣୁ‘ନୋ ପିୟୁସି, ନୋ ପେଟ୍ରୋଲ୍’ ବିଷୟରେ ବିଭାଗର ଚିଠିକୁ ପ୍ରତ୍ୟାହାର କରିନେବା ପାଇଁ ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଛି । ଏନେଇ ଆସୋସିଏସନ୍ ତରଫରୁ ହାଇକୋର୍ଟର ମୁଖ୍ୟ ବିଚାରପତି, ରାଜ୍ୟ ମୁଖ୍ୟ ଶାସନସଚିବ, ପରିବହନ ବିଭାଗ ସଚିବ ଏବଂ ଏସ୍ଟିଏ କମିସନରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି | ଯାହା ଏବେ ପରିବହନ ବିଭାଗକୁ ଅଡ଼ୁଆରେ ପକାଇଛି |

ସୂଚନା ଅନୁସାରେ, ଗତ ଡିସେମ୍ବର ୨୦ ତାରିଖରେ ଏସ୍ଟିଏ(ରାଜ୍ୟ ପରିବହନ ପ୍ରାଧିକରଣ) ପକ୍ଷରୁ ପ୍ରତ୍ୟେକ ତୈଳ କମ୍ପାନିଙ୍କୁ ଏକ ଚିଠି କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ଯେ, ଯେଉଁ ଗାଡ଼ିମାନେ ପିୟୁସି ସାର୍ଟିଫିକେଟ ନ ଦେଖାଇବେ ସେମାନଙ୍କୁ ପେଟ୍ରୋଲ୍ କିମ୍ବା ଡିଜେଲ୍ ଦିଆଯିବ ନାହିଁ । ତେବେ ଏହି ଚିଠିକୁ ନେଇ ପେଟ୍ରୋଲିୟମ୍ ଆସୋସିଏସନ୍ ଅସନ୍ତୋଷ ପ୍ରକାଶ କରିଛି । ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ, ଏଥିପାଇଁ କେନ୍ଦ୍ରୀୟମୋଟର ଯାନ ଆଇନରେ ସ୍ୱତନ୍ତ୍ର ଦଣ୍ଡବିଧାନ ବ୍ୟବସ୍ଥା ରହିଛି ।

ଯଦି କେହି ପିୟୁସି ସାର୍ଟିଫିକେଟ କରିନଥିବେ ତାଙ୍କ ଉପରେ ଜରିମାନା ଲାଗୁ କରାଯାଇ ପାରିବ | ଗୋଟେ ଆଇନରେ ଦୁଇଟି ଦଣ୍ଡ ବିଧାନର ବ୍ୟବସ୍ଥା କରାଯାଇପାରିବ ନାହିଁ। ଯଦି ଏହି ଆଇନରେ ଜରିମାନା ବ୍ୟବସ୍ଥା ଲାଗୁ କରାଯିବା ତେବେ ପେଟ୍ରୋଲ୍ ବନ୍ଦ ନିଷ୍ପତ୍ତି ଭୁଲ ବୋଲି ଆସୋସିଏସନ୍ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଏକ ରାୟକୁ ମଧ୍ୟ ଆସୋସିଏସନ୍ ପକ୍ଷରୁ ଉଲ୍ଲେଖ କରାଯାଇଛି । ତେବେ ରାଜ୍ୟ ସରକାର କେନ୍ଦ୍ରୀୟ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଛି । କିନ୍ତୁ ପିୟୁସି ସାର୍ଟିଫିକେଟ୍ ବିନା ତୈଳ ଇନ୍ଧନ ନଦେବା ଲାଗି ଯେଉଁ ଆଦେଶ ଦିଆଯାଇଛି ତାହା ଯୁକ୍ତିଯୁକ୍ତ ହୋଇନଥିବାରୁ ତାହାକୁ ପ୍ରତ୍ୟାହାର କରିନେବାକୁ ଅନୁରୋଧ ମଧ୍ୟ କରାଯାଇଛି ।

ସୂଚନା ମୁତାବକ, ଆସୋସିଏସନ୍ ପକ୍ଷରୁ ଆଇନଜୀବୀ ସୂର୍ଯ୍ୟପ୍ରକାଶ ଆର୍ତ୍ତବିଦ୍ୟାଧର ମଙ୍ଗରାଜ ଏହି ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛିଯେ, ପିୟୁସି ସାର୍ଟିଫିକେଟ୍ ବିନା ପେଟ୍ରୋଲ୍ କିମ୍ବା ଡିଜେଲ ମିଳିବ ନାହିଁ ବୋଲି ଏସ୍ଟିଏ ପକ୍ଷରୁ ଘୋଷଣା କରାଯିବା ପରେ ଗାଡ଼ି ମାଲିକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା | ସାର୍ଟିଫିକେର୍ଟ ପ୍ରସ୍ତୁତ କରିବା ପାଇଁ ଗାଡ଼ିମାଲିକମାନେ ବ୍ୟତିବ୍ୟସ୍ତ ହୋଇ ବିଭିନ୍ନ ପିୟୁସି କେନ୍ଦ୍ରଆଗରେ ଧାଡ଼ି ଲଗାଇଥିଲେ । ପ୍ରଥମେ ଜାନୁଆରୀ ପହିଲାରୁ ଏହି ନିୟମକୁ ଲାଗୁ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଜନସାଧାରଣ ଏଥିରେ ତୀବ୍ର ଅସନ୍ତୋଷ ପରସ୍କା କରିବା କାରଣରୁ ସରକାର ଦୁଇ ଦଫାରେ ଏପ୍ରିଲ ପହିଲା ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରିଛନ୍ତି । କିନ୍ତୁ ପିୟୁସି ସାର୍ଟିଫିକେଟକୁ ନେଇ ଦିନକୁ ଦିନ ନୂଆ ବିବାଦ ଦେଖାଦେବାରେ ଲାଗିଛି | ଏହା କେତେ ଦୂର ସଫଳ ହେବ ତାହାକୁ ରହିଲା ଅପେକ୍ଷା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ