Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଣସଂରକ୍ଷିତ ବର୍ଗରେ ବୟସ ସୀମା ସୁବିଧା ପାଇପାରିବେନି ସଂରକ୍ଷିତ ବର୍ଗ ପ୍ରାର୍ଥୀ; ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ !

କଟକ,୧୬|୧: ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ବର୍ଗରେ ଥିବା ବୟସ ସୀମାର କୋହଳ ସୁବିଧା ପାଇପାରିବେ ନାହିଁ | ଏନେଇ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ପଦବୀରେ ନିଯୁକ୍ତି ପାଇବା କିମ୍ବା କୌଣସି ସୁବିଧା ନେବାକୁ ହେଲେ ସେଥିପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ହୋଇଥିବା ଆବଶ୍ୟକ । ନଚେତ୍‌ ଏହି ସୁବିଧା ଜଣେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ମିଳିପାରିବ ନାହିଁ | ଏକଥା ହାଇକୋର୍ଟ ଆବେଦନକାରୀଙ୍କ ପିଟିସନ୍‌କୁ ଖାରଜ କରିବା ସମୟରେ ସ୍ପଷ୍ଟ କରିଛନ୍ତି ।

ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ନିତାଶ କୁମାର ଦାସଙ୍କ ପକ୍ଷରୁ ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଆବେଦନକାରୀ ଜଣକ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍‌ ଲିମିଟେଡ୍‌ (ଓଏଚ୍‌ପିସି)ର ପ୍ରକାଶିତ ଵିଜ୍ଞପ୍ତି ଅନୁଯାୟୀ “ମ୍ୟାନେଜମେଣ୍ଟ ଟ୍ରେନି (ଏଚ୍‌ଆର୍‌)’ ପଦ ପାଇଁ ଆବେଦନ କରିଥିଲେ । ଉକ୍ତ ଵିଜ୍ଞପ୍ତିରେ ଅସଂରକ୍ଷଣ ଏବଂ ଏସ୍‌ଟି ବର୍ଗରେ ନିଯୁକ୍ତି ପାଇଁ ପଦବୀ ରହିଥିଲା । ମାତ୍ର ଏସ୍‌ଇବିସି ବର୍ଗ ପାଇଁ କୌଣସି ପଦ ପ୍ରକାଶିତ ହୋଇନଥିଲା । ବିଜ୍ଞାପନ ଅନୁସାରେ, ଅଣସଂରକ୍ଷିତ ପଦବୀ ପାଇଁ ସର୍ବାଧିକ ବୟସ ସୀମା ୩୨ ବର୍ଷ ଧାର୍ଯ୍ୟ ରହିଥିଲା। ତେବେ ଆବେଦନକାରୀଙ୍କ ବୟସ ନିର୍ଦ୍ଧାରିତ କଟ୍‌ ଅଫ୍‌ ତାରିଖରେ ପ୍ରାୟ ୩୫ ବର୍ଷରୁ ଅଧିକ ଥିଲା । କିନ୍ତୁ ଏସ୍‌ଇବିସି ବର୍ଗ ପାଇଁ କୌଣସି ପଦବୀ ନଥିବାରୁ ସେ ଅଣସଂରକ୍ଷିତ ବର୍ଗରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ ।

ପ୍ରଥମେ ତାଙ୍କ ଆବେଦନ ଗ୍ରହଣ କରାଯାଇ ଥିଲା ଏବଂ ଏନେଇ ଏକ ପଞ୍ଜୀକରଣ ନମ୍ବର ମଧ୍ୟ ଆସିଥିଲା । କିନ୍ତୁ ଅସଂରକ୍ଷିତ ବର୍ଗ ପାଇଁ ତାଙ୍କ ବୟସ ସୀମା ଅଧିକ ଥିବାରୁ ପରେ ସେହି ଆବେଦନ ଖାରଜ ହୋଇଯାଇଥିଲା । କିନ୍ତୁ ଆବେଦନକାରୀ ଏହି ମାମଲାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀ ଏସ୍‌ଇବିସି ପ୍ରାର୍ଥୀ ହୋଇଥିବାରୁ ଅସଂରକ୍ଷିତ ବର୍ଗରେ ବୟସ କୋହଳ ସୁବିଧା ପାଇପାରିବେ ବୋଲି ଦାବି କରିଥିଲେ । ତେଣୁ ଓଏଚ୍‌ପିସି ନିର୍ଦ୍ଦେଶକଙ୍କ ଆବେଦନକୁ ରଦ୍ଦ କରାଯାଇ ତାଙ୍କ ଆବେଦନକୁ ଗ୍ରହଣ କରିବାକୁ ସେ ନିବେଦନ କରିଥିଲେ । ଏହି ମାମଲାରେ ହାଇକୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ରାୟରେ କହିଛନ୍ତି ଯେ, ଜଣେ ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ବର୍ଗକୁ ସେତେବେଳେ ଯାଇପାରିବେ, ଯେତେବେଳେ ସେ କୌଣସି ପ୍ରକାରର କୋହଳ ସୁବିଧା ନେଇ ନ ଥିବେ । ଯଦି ସେ ଥରେ ବୟସ କୋହଳ ସୁବିଧା ନିଅନ୍ତି, ତେବେ ସେ କେବଳ ସଂରକ୍ଷିତ ବର୍ଗର ପଦ ପାଇଁ ହିଁ ବିବେଚିତ ହେବେ । ଏହି ଆଧାରରେ ହାଇକୋର୍ଟ ଆବେଦନକାରୀଙ୍କ ପିଟିସନ୍‌କୁ ଖାରଜ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ