ଜ୍ୱାଇଁଙ୍କ ସମ୍ମାନରେ ଶଶୁର ଘରେ ପରସା ହେଲା ୧,୩୭୪ ପ୍ରକାରର ବ୍ୟଞ୍ଜନ !
ଭାରତୀୟ ସଂସ୍କୃତିରେ ପ୍ରତିଟି ସମ୍ପର୍କର ବିଶେଷ ଗୁରୁତ୍ୱ ରହିଛି | କିନ୍ତୁ ଜ୍ୱାଇଁ ଏବଂ ଶଶୁର ଘରର ସମ୍ପର୍କ ଅତ୍ୟନ୍ତ ଖାସ୍ ହୋଇଥାଏ । ଭାରତରେ ଜ୍ୱାଇଁଙ୍କୁ ଭଗବାନ ‘ବିଷ୍ଣୁ’ଙ୍କ ସହ ତୁଳନା କରାଯାଇଥାଏ ଏବଂ ତାଙ୍କର ଆତିଥ୍ୟରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥାଏ | ଯେମିତି ଆତିଥ୍ୟରେ କୌଣସି ପ୍ରକାରର ଅବହେଳା ନ ହୁଏ ସେ ଉପରେ ମଧ୍ୟ ଧ୍ୟାନ ଦିଆଯାଇଥାଏ | ଜ୍ୱାଇଁ ଶଶୁର ଘରକୁ ଆସିଲେ ତାଙ୍କ ପାଇଁ ଭଲ ଭଲ ଖାଦ୍ୟପେୟର ବ୍ୟବସ୍ଥା କରାଯିବା ଏକ ସାଧାରଣ କଥା।
ତେବେ ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଖବର ଭାଇରାଲ ହେଉଛି, ଯାହା ଶୁଣିଲେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ଆନ୍ଧ୍ରପ୍ରଦେଶର ଏକ ପରିବାର ନିଜ ଜ୍ୱାଇଁଙ୍କ ପାଇଁ ୧,୩୭୪ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ପରଷି ଦେଇଛନ୍ତି | ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି |
ସୂଚନା ଅନୁସାରେ, ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର | ଯେଉଁଠି ମକର ସଂକ୍ରାନ୍ତି ଅବସରରେ ଜଣେ ବ୍ୟକ୍ତି ନିଜ ଜ୍ୱାଇଁଙ୍କୁ ଶଶୁର ଘରକୁ ନିମନ୍ତ୍ରଣ କରିଥିଲେ । ଏବଂ ଆନ୍ଧ୍ରପ୍ରଦେଶରେ ମକର ସଂକ୍ରାନ୍ତି ସମୟରେ ଜ୍ୱାଇଁଙ୍କୁ ଭୋଜି ଦେବାର ଏକ ବିଶେଷ ପରମ୍ପରା ରହିଛି, ଯାହାକୁ ‘ବିନ୍ଦୁ ଭୋଜନମ୍’ ବୋଲି କୁହାଯାଏ । କିନ୍ତୁ ଏହି ପରିବାର ଏହି ପରମ୍ପରାକୁ ଏକ ନୂଆ ସ୍ତରକୁ ନେଇଯାଇଛନ୍ତି । ସେମାନେ ଜ୍ୱାଇଁଙ୍କ ପାଇଁ ପୁରା ୧,୩୭୪ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ ।
ଜ୍ୱାଇଁଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଭୋଜିରେ ଖାଦ୍ୟର ଏକ ଲମ୍ବା ତାଲିକା ଥିଲା । ଯେଉଁଥିରେ ପ୍ରାୟ ୩୫ ପ୍ରକାରର ଭାତ, ୭୦ ପ୍ରକାରର ତରକାରୀ, ୬୦ ପ୍ରକାରର ଚଟଣି, ୯୦ ପ୍ରକାରର ମିଠା, ୮୦ ପ୍ରକାରର ପିଠା, ଏବଂ ବିଭିନ୍ନ ପ୍ରକାରର ସ୍ନାକ୍ସ, ଥଣ୍ଡା ପାନୀୟ ଓ ଫଳ ରସ ମଧ୍ୟ ସାମିଲ କରାଯାଇ ଥିଲା । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ବଡ଼ ବଡ଼ ଟେବୁଲ ଉପରେ ଶହ ଶହ ପ୍ଲେଟ୍ ସଜା ହୋଇ ରହିଛି ଏବଂ ଜ୍ୱାଇଁ ଓ ଝିଅ ଏହି ବିରାଟ ରାଜକୀୟ ଭୋଜିର ଆନନ୍ଦ ନେଉଛନ୍ତି ।
ଏହି ଭୋଜିର ଆୟୋଜନ କରିଥିବା ଶ୍ୱଶୁରଙ୍କ କହିବା ଅନୁଯାୟୀ, ସେ ତାଙ୍କ ଜ୍ୱାଇଁଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କୁ ସମ୍ମାନ ଜଣାଇବା ପାଇଁ ସେ ଏହି ନିଆରା ପ୍ରସ୍ତୁତି କରିଛନ୍ତି | ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ୩୬୫ ପ୍ରକାର କିମ୍ବା ୬୦୦ ପ୍ରକାର ଖାଦ୍ୟର ଖବର ଆସିଥିଲା, କିନ୍ତୁ ୧,୩୭୪ ସଂଖ୍ୟାଟି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମ ପାଇଁ ପରିବାର ଲୋକେ ପ୍ରାୟ ଏକ ସପ୍ତାହ ଧରି ପ୍ରସ୍ତୁତି ଆରମ୍ଭ କରିଥିଲେ |
ଏବେ ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ଏହାକୁ ଭାରତୀୟ ପରମ୍ପରାର ଏକ ଉଦାହରଣ ଏବଂ ସ୍ନେହର ପ୍ରତୀକ ବୋଲି କହୁଥିବା ବେଳେ, ଅନ୍ୟ କିଛି ଲୋକ ଏହାକୁ ଖାଦ୍ୟର ଅପବ୍ୟବହାର ବୋଲି କହୁଛନ୍ତି । ଜଣେ ବ୍ୟକ୍ତି ଥଟ୍ଟାରେ ଲେଖିଛନ୍ତି, “ଏତେ ଗୁଡ଼ିଏ ଖାଦ୍ୟ ଦେଖିଲେ ଜ୍ୱାଇଁ ବାବୁଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇପାରେ!” ଆଉ ଜଣେ ଲେଖିଛନ୍ତି, “ଏମିତି ଶଶୁର ଘର ସମସ୍ତଙ୍କ ଭାଗ୍ୟରେ ମିଳୁ।”
ତେବେ ଯାହା ବି ହେଉ, ଏହି ଘଟଣାଟି ଉଦାହରଣ ସୃଷ୍ଟି କରୁଛିଯେ, ଭାରତୀୟ ପରିବାରରେ ସମ୍ପର୍କର ମୂଲ୍ୟ ସବୁଠାରୁ ଶୀର୍ଷରେ। ଶଶୁର ଘରର ଏହି ଅନାବିଳ ସ୍ନେହ ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଯଦିଓ ଜଣେ ବ୍ୟକ୍ତି ପାଇଁ ଏତେ ଖାଦ୍ୟ ଖାଇବା ଅସମ୍ଭବ, କିନ୍ତୁ ଏହା ପଛରେ ଥିବା ଆନ୍ତରିକତା ଏବଂ ଆଦର ସତରେ ପ୍ରଶଂସନୀୟ ପାଲଟିଛି ।

