Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମା ଝଡ଼ ପ୍ରଭାବ: ଆହୁରି ୨୪ ଘଣ୍ଟା ଜାରି ରହିବ ଶୀତର ପ୍ରକୋପ

ଭୁବନେଶ୍ୱର,୧୭ା୧: ପ୍ରବଳ ଶୀତରେ ଏବେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଜାରି ରହିବ ଶୀତର ପ୍ରକୋପ | ଆହୁରି ୨୪ ଘଣ୍ଟା ପ୍ରବଳ ଶୀତ ଲାଗି ରହିବ। ୧୬ ଜିଲାକୁ ହୋଇଛି ୟେଲୋ ଓ୍ବାର୍ନିଂ | ସୂଚନା ଅନୁସାରେ, ପଶ୍ଚିମା ଝଡ଼ର ପ୍ରଭାବରେ ଦୁଇଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଫଳରେ ଶୀତର ପ୍ରକୋପ କମିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ, ଗତ ୨୪ଘଣ୍ଟାରେ ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବେଳେ ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରହିଥିବାବେଳେ ଝାରସୁଗୁଡ଼ାରେ ୧୬ ତାରିଖରେ ୫ ଡିଗ୍ରୀ ତାପମାତ୍ରା ଛୁଇଁଥିଲା। ସେହିପରି ଫୁଲବାଣୀରେ ୬.୧ ଡିଗ୍ରୀ, କେନ୍ଦୁଝର ୭.୬ ଡିଗ୍ରୀ, ସୁନ୍ଦରଗଡ଼ ୭.୬ ଡିଗ୍ରୀ, ଅନୁଗୋଳ ୮.୪ ଡିଗ୍ରୀ, ବାରିପଦା ୮.୬ ଡିଗ୍ରୀ, ଢେଙ୍କାନାଳ ୮.୭ ଡିଗ୍ରୀ, ଦାରିଙ୍ଗବାଡି ୯ ଡିଗ୍ରୀ, କୋରାପୁଟ ୯.୫ ଡିଗ୍ରୀ ଏବଂ ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ ରହିଥିଲା। ସେହିପରି କଟକ ଓ ଭୁବନେଶ୍ୱରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା । ତେବେ ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ବୌଦ୍ଧ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କନ୍ଧମାଳ ଜିଲାକୁ ପ୍ରବଳ ଥଣ୍ଡା ନେଇ ଆଲର୍ଟ କରାଯାଇଛି। ଏହାସହିତ ଆସନ୍ତା ୨୧ ତାରିଖ ଯାଏଁ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, କଟକ, ବାଲେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର ଏବଂ କନ୍ଧମାଳ ଜିଲାକୁ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ଆସ୍ତରଣ ଦେଖାଯିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ