ବେଆଇନ୍ ଗୋ ମାଫିଆଙ୍କ ଘରେ ପୋଲିସର ଚଢ଼ାଉ; ଲକ୍ଷ ଲକ୍ଷ ନଗଦ ଟଙ୍କା ସହିତ ସୁନା ଗହଣା ମଧ୍ୟ ଜବତ
ରାଇରଙ୍ଗପୁର,୧୭|୧: କେନ୍ଦୁଝର ପୁଲିସ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତ ଅଧିକାରୀ ଟିମ ଗଠନ ହୋଇଛି | ପୋଲିସର ଏହି ସ୍ୱତନ୍ତ୍ର ଦଳ ପକ୍ଷରୁ ପ୍ରାୟ ୪୦ରୁ ଅଧିକ ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନରେ ଏକାସାଙ୍ଗେ ଚଢ଼ାଉ କରିଛି | କେନ୍ଦୁଝର, ଭଦ୍ରକ, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ପୋଲିସ ।
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାର ତେଣ୍ଟୋପୋଷି ଓ କେନ୍ଦ୍ରେଇ ଗ୍ରାମରେ ମଧ୍ୟ ଚଢ଼ାଉ ଜାରି ରହିଛି | ସେହିପରି ବିଶୋଇ, କରଞ୍ଜିଆ,ଝାରପୋଖରିଆ, ଚଢେଇଭୋଳ ପ୍ରଭୃତି ଅଞ୍ଚଳରେ ମଧ୍ୟ ଗୋ ମାଫିଆଙ୍କ ଘର ଏବଂ ଦୋକାନରେ ସ୍ଥାନୀୟ ପୁଲିସ ସହଯୋଗରେ ଚଢ଼ାଉ ଜାରି ରଖିଛି ଏହି ସ୍ୱତନ୍ତ୍ର ଅଧିକାରୀ ଟିମ । ତେବେ ଚଢ଼ାଉ ସମୟରେ ନଗଦ ଲକ୍ଷ ଲକ୍ଷ ଟଙ୍କା ସହିତ ସୁନା ଗହଣା ମଧ୍ୟ ଜବତ କରାଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଭଦ୍ରକ ପୁରୁଣା ବଜାର ଥାନା ନିକଟ ମୁଲ୍ଲା ସାହିର ଗୋ ମାଫିଆ ଶେଖ୍ ରାଜନ ଘରେ କେନ୍ଦୁଝର ଏବଂ ଭଦ୍ରକ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ ହୋଇଛି । ଚଢ଼ାଉ ପରେ ତାଙ୍କ ଘରୁ ନଗଦ ୭୦ ଲକ୍ଷ ଟଙ୍କା ସହ ବିପୁଳ ପରିମାଣର ସୁନା ଜବତ ହୋଇଛି | ତେବେ ଗୋ ମାଫିଆ ଶେଖ୍ ରାଜନକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି । ଭଦ୍ରକ ଅଞ୍ଚଳର ଏହି ଗୋରୁ ମାଫିଆର ଚୋରା ଗୋ ଚାଲାଣ ଚେର ସାରା ଓଡ଼ିଶାରେ ପ୍ରସାରିତ ହୋଇଥିଲା | ସେଥି ମଧ୍ୟରୁ ଅଧିକାଂଶ ଗୋରୁ ସେ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲା। ଭଦ୍ରକର ଗୋ ମାଫିଆ ରାଜନ୍ ର ଏହି କଳା କାରବାର ଉପରେ ପୁଲିସର ନଜର ପୂର୍ବରୁ ରହିଥିଲା। କିନ୍ତୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବେଆଇନ ଭାବେ ହେଉଥିବା ଗୋ ଚାଲାଣକୁ ରୋକିବାକୁ ପୋଲିସ ଏବେ ଆକ୍ସନ ମୋଡ଼ରେ |
ତେବେ ଗୋ ମାଫିଆ ରାଜନର ଘରକୁ ଘେରି ରହିଛନ୍ତି ୩ ପ୍ଲାଟୁନରୁ ଊର୍ଦ୍ଧ୍ବ ପୁଲିସ। ପରିସ୍ଥିତିକୁ ନଜରରେ ରଖି ସହରର ବିଭିନ୍ନ ମୁଖ୍ୟ ପଥରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ରାଜନ୍ ର କଳା ସାମ୍ରାଜ୍ୟ ପର୍ଦାଫାଶ ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି । ତେବେ ଚଢ଼ାଉ ପରେ ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହେବ | ଭଦ୍ରକ ଏସ ପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଏହି ଚଢାଉ ହୋଇଛି ବୋଲି ସୂଚନା ମିଳିଛି |

