Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାନରୁ ଫେରିଲେ ଭାରତୀୟ ନାଗରିକ ; ପରିବାର ସଦସ୍ୟ କଲେ ସ୍ୱାଗତ

ନୂଆଦିଲ୍ଲୀ,୧୭|୧: ଇରାନରେ ସୁରକ୍ଷା ପରିସ୍ଥିତି ଏବେ ବିଶୃଙ୍ଖଳିତ ହୋଇପଡିଛି | ଆର୍ଥିକ ସଙ୍କଟ ଏବଂ ସ୍ଥାନୀୟ ମୁଦ୍ରାର ମୂଲ୍ୟ ରେକର୍ଡ ହ୍ରାସ ପାଇବା ପରେ ଇରାନରେ ଆରମ୍ଭ ପ୍ରତିବାଦ ଆରମ୍ଭ ହୋଇଥିଲା | ଯାହା ଏବେ ହିଂସାତ୍ମକ ରୂପ ନେଇଛି | ଯାହାକୁ ଦୃଷ୍ଟିରେ ରଖି ଭାରତ ସରକାର ନିଜ ନାଗରିକମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ପରାମର୍ଶ ଦେଇଥିଲେ ।

ଇରାନରେ ଫସି ରହିଥିବା ଭାରତୀୟ ନାଗରିକ ଏବେ ସୁରକ୍ଷିତ ଭାବେ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି | ଗତ ଶୁକ୍ରବାର ବିଳମ୍ବିତ ରାତିରେ ମହାନ ଏୟାର ବିମାନର ବିମାନ ଡବ୍ଲୁ-୫-୦୭୧ ଯୋଗେ ଇରାନରୁ ପ୍ରଥମ ଭାରତୀୟ ଦଳ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି | ପହଞ୍ଚିବା ପରେ ପରିବାର ସଦସ୍ୟମାନେ ବିମାନବନ୍ଦରରେ ସେମାନଙ୍କର ସ୍ୱାଗତ କରିଥିଲେ |

ଇରାନରେ ସୁରକ୍ଷା ପରିସ୍ଥିତି ଅସ୍ୱାଭାବିକ ହୋଇପଡିଥିବା ବେଳେ, ଭାରତ ସରକାର ନିଜ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁସାରେ, ବର୍ତ୍ତମାନ ସେଠାରେ ରହୁଥିବା ପ୍ରାୟ ୯,୦୦୦ ରୁ ୧୦,୦୦୦ଭାରତୀୟଙ୍କ ଡାଟାବେସ୍ ଅପଡେଟ୍ କରାଯାଉଛି । ଫସି ରହିଥିବା ଭାରତୀୟଙ୍କ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି ଏବଂ ଅନେକ ତୀର୍ଥଯାତ୍ରୀ ସାମିଲ ଅଛନ୍ତି । ପରିସ୍ଥିତି ଉପରେ ନଜର ରଖିବାକୁ ଏକ ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟା ସକ୍ରିୟ କରାଯାଇଛି ।

ତେହେରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୯୮୯୧୨୮୧୦୯୧୧୫,୯୮୯୧୨୮୧୦୯୧୦୯ ମଧ୍ୟ ଜାରି କରାଯାଇଛି । ନାଗରିକମାନଙ୍କୁ ବାଣିଜ୍ୟିକ ବିମାନ କିମ୍ବା ଅନ୍ୟାନ୍ୟ ଉପଲବ୍ଧ ରୁଟ୍ ମାଧ୍ୟମରେ ତୁରନ୍ତ ଇରାନଛାଡିବାକୁ ପରାମର୍ଶ ଦିଆଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ୍ ଗଙ୍ଗା ପରି ଏକ ପ୍ରମୁଖ ଉଦ୍ଧାର ମିଶନର ରୂପରେଖା ମଧ୍ୟ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ହେଲେ, ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ଭଳି ସାମରିକ ବିମାନ ବ୍ୟବହାର କରି ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ଅଣାଯିବ ବୋଲି କୁହାଯାଇଛି ।

ତେବେ ଘରକୁ ଫେରିଥିବା ଭାରତୀୟମାନେ ଇରାନର ବର୍ତ୍ତମାନର ଭୟାବହ ପରିସ୍ଥିତିର ସ୍ମୃତି ବଖାଣିଛନ୍ତି । ସେମାନଙ୍କ କହିବା ଅନୁସାରେ, ଗତ ଦୁଇ ସପ୍ତାହ ଧରି ଇରାନରେ ସମ୍ପୂର୍ଣ୍ଣ ଇଣ୍ଟରନେଟ୍ ସୁବିଧା ପୁରା ବନ୍ଦ ହୋଇଯାଇଛି । ଯାହା ଫଳରେ ସେମାନେ ସେମାନଙ୍କ ପରିବାରକୁ ନିଜ ଭଲମନ୍ଦ ବିଷୟରେ ସୂଚନା ଦେଇପାରୁ ନଥିଲେ କିମ୍ବା ଭାରତୀୟ ଦୂତାବାସ ସହିତ ମଧ୍ୟ ଯୋଗାଯୋଗ କରିପାରୁ ନଥିଲେ । ଜମ୍ମୁ-କାଶ୍ମୀରର ଜଣେ ଛାତ୍ରଙ୍କ କହିବା ଅନୁସାରେ, ପ୍ରତିବାଦ ଏତେ ହିଂସାତ୍ମକ ଥିଲା ଯେ, ବାହାରକୁ ବାହାରିବା ଜୀବନ ପାଇଁ ବିପଦପୂର୍ଣ୍ଣ ଥିଲା । ପ୍ରତିବାଦକାରୀମାନେ ଚାରିଆଡେ ଭଙ୍ଗାରୁଜା,ପୋଡ଼ାଜଳା କରୁଥିଲେ । ଏତେ ସବୁ ମଧ୍ୟରେ , ଯୋଗାଯୋଗ ସ୍ଥାପନ ହେବା ମାତ୍ରେ ଭାରତୀୟ ଦୂତାବାସ ନାଗରିକମାନଙ୍କୁ ସୂଚନା ଓ ସ୍ଥାନାନ୍ତର ବିକଳ୍ପ ପ୍ରଦାନ କରିଥିଲା । ତେବେ ଇରାନରେ ଚାଲିଥିବା ବର୍ତ୍ତମାନର ଅଶାନ୍ତି ପରିସ୍ଥିତି ଦେଶର ଭୁଶୁଡ଼ିପଡ଼ୁଥିବା ଅର୍ଥନୀତି ପାଇଁ ସୃଷ୍ଟି ହୋଇଛି । ଇରାନୀ ମୁଦ୍ରାର ମୂଲ୍ୟରେ ରେକର୍ଡସ୍ତରୀୟ ହ୍ରାସ ପରେ ଗତ ମାସରେ ମୁଦ୍ରାସ୍ଫୀତି ବିରୋଧରେ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ଦେଶର ସମସ୍ତ ୩୧ଟି ପ୍ରଦେଶକୁ ବ୍ୟାପିଛି । ପ୍ରତିବାଦକାରୀମାନେ ଅର୍ଥନୈତିକ ସଂସ୍କାର ସହିତ ରାଜନୈତିକ ପରିବର୍ତ୍ତନ ମଧ୍ୟ ଦାବି କରୁଛନ୍ତି । ମାନବାଧିକାର ସଂଗଠନ ଅନୁସାରେ, ସୁରକ୍ଷା ବାହିନୀର କଠୋର କାର୍ଯ୍ୟାନୁଷ୍ଠାନରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ତେବେ ଇଣ୍ଟରନେଟ୍ ସୁବିଧା ବନ୍ଦ ହେବା ଦ୍ୱାରା ସଠିକ୍ ସଂଖ୍ୟା ସ୍ପଷ୍ଟ ହୋଇପାରୁ ନାହିଁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ