ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା; ମା’ ଓ ଦୁଇ ଝିଅଙ୍କ ବେକ କାଟିଦେଲା ଦୁର୍ବୁତ୍ତ
ଗଞ୍ଜାମ,୧୮|୧: ଗଞ୍ଜାମ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ନିର୍ମମ ଭାବେ ହାଣିଛି ଦୁର୍ବୁତ୍ତ। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା କୁମାରୀ ସେଠୀ(୫୮) ଏବଂ ତାଙ୍କ ଦୁଇ ଅବିବାହିତ କନ୍ୟା ସବିତା ସେଠୀ(୩୨),ଝିଲି ସେଠୀ(୨୪)ଙ୍କୁ କିଛି ଦୁର୍ବୃତ୍ତ ବେକ ଓ କାନ କାଟି ହତ୍ୟା ଉଦ୍ୟମ କରିଛନ୍ତି । ଗତ କାଲି ରାତିରେ ଏହି ଘଟଣା ଘଟିଛି। ସ୍ବର୍ଗତ ପାଣ ସେଠୀଙ୍କ ସ୍ତ୍ରୀ କୁମାରୀ ସେଠୀ ଏବଂ ତାଙ୍କ ଦୁଇ ଝିଅ ସହ ଶୋଇଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘରର କବାଟ ବାଡ଼ାଇ ଥିଲେ ।
ମା’ କୁମାରୀ କବାଟ ଖୋଲିବା ପରେ ଜଣେ ଦୁର୍ବୃତ୍ତ ଅଚାନକ ଭାବେ ତାଙ୍କ ଘର ଭିତରେ ପଶି ଏକ ଧାରୁଆ ଛୁରିରେ ତାଙ୍କ ବେକକୁ କାଟି ଦେଇଥିଲେ । ମାଙ୍କ ଚିତ୍କାର ଶୁଣି ଦୁଇ ଝିଅ ନିଦରୁ ଉଠି ମା’କୁ ଉଦ୍ଧାର କରିବା ସମୟରେ ସେ ଦୁହିଁଙ୍କ ବେକକୁ ମଧ୍ୟ ଛୁରିରେ କାଟି ଦେଇଥିଲା ଦୁର୍ବୁତ୍ତ। ପରେ ସେଠାରୁ ବାଇକ ଯୋଗେ ଫେରାର ହୋଇ ଯାଇଥିଲେ।
ମା’ ଓ ଦୁଇ ଝିଅଙ୍କ କାନ୍ଦ ବୋବାଳି ଶୁଣି ସ୍ଥାନୀୟ ବାସୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ସୂଚନା ପାଇ ଦିଗପହଣ୍ଡି ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆହାତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା । ତେବେ ଝିଲିଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ରହସ୍ୟଜନକ ହତ୍ୟା ଘଟଣାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି।

