ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି ; ଅଧିକାରୀଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇ ନଥିବ
ଭୁବନେଶ୍ୱର,୨୦|୧: ରାଜ୍ୟ ସରକାରଙ୍କ ଅଭିନବ ପଦକ୍ଷେପ | ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ଦେବେ ପୁନଃ ନିଯୁକ୍ତି | ନିଯୁକ୍ତି ପାଇଁ ରହିଛି ସ୍ୱତନ୍ତ୍ର ମାନଦଣ୍ଡ | ସୂଚନା ଅନୁସାରେ, ୮୦୦ ଅବସରପ୍ରାପ୍ତ ପୁଲିସଙ୍କୁ ପୁନଃନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଅବସରପ୍ରାପ୍ତ ଏଏସ୍ଆଇ/ଏସ୍ଆଇ/ଇନ୍ସିପେକ୍ଟରଙ୍କୁ ଏହି ନିଯୁକ୍ତି ମିଳିବ । ସ୍ପେସାଲ୍ ପୁଲିସ ଅଫିସର୍(ଏସ୍ପିଓ) ଭାବେ ସେମାନେ କାର୍ଯ୍ୟ କରିବେ । ଏହି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି ମିଳିସାରିଛି | ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ପୁଲିସ ଡିଜିଙ୍କୁ ଅବଗତ କରାଯାଇଛି ।
ପ୍ରଶ୍ନ ସୃଷ୍ଟି ହେଉଛି କି? ଗୋଟିଏ ପଟେ ସରକାର ଅବସର ପରେ ନିଯୁକ୍ତିକୁ ମନା କରୁଛନ୍ତି ଏବଂ ଅନ୍ୟପଟେ ପୁଲିସ ବିଭାଗ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏକାଥରେ ୮୦୦ ଅବସରପ୍ରାପ୍ତଙ୍କୁ ଥଇଥାନ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ସରକାରଙ୍କ ନିଷ୍ପତ୍ତି ଅନୁସାରେ, ପୁନଃନିଯୁକ୍ତି ପାଇବାକୁ ଥିବା ପୁଲିସ ଅଧିକାରୀଙ୍କ ବୟସର ୬୫ ବର୍ଷରୁ ଅଧିକ ହୋଇ ନଥିବ | ପୂର୍ବର ଚାକିରୀ କ୍ଷେତ୍ରରେ ସେମାନଙ୍କ ସର୍ଭିସ୍ ରେକର୍ଡ ଭଲ ଥିବ ଏବଂ ଶାରୀରିକ ଭାବେ ଫିଟ୍ ହୋଇଥିବେ। ଏହା ସହିତ ଅବସର ପୂର୍ବର ୫ ବର୍ଷରେ ତାଙ୍କର ସିସିଆର୍ ଭଲ ଥିବ। ସେହିପରି ସେମାନଙ୍କ ବିରୁଦ୍ଧରେ କୌଣସି ଅପରାଧିକ ମାମଲା ନଥିବ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରି ନଥିବେ। ସୂଚନା ଅନୁଯାୟୀ ଏକ ବର୍ଷ ପାଇଁ ଏହି ନିଯୁକ୍ତି ମିଳିବ। ଏଥିପାଇଁ ପୁଲିସ ଡିଜି ଏକ ସିଲେକ୍ସନ୍ କମିଟି ଗଠନ କରି ଏହି ନିଯୁକ୍ତି ଦେବେ ବୋଲି ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ତେବେ କଥା ହେଉଛି ପୁଲିସ୍ ଏସ୍ଆଇ ପରୀକ୍ଷା ସମସ୍ୟାକୁ ନେଇ ଅନେକ ଆଶାୟୀ ହତାଶ ହୋଇପଡିଥିବା ବେଳେ ସରକାର ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ନିଯୁକ୍ତି ଦେବାକୁ ଚିନ୍ତା କରୁଛନ୍ତି । ସୂଚନା ଯୋଗ୍ୟଯେ, ପୂର୍ବରୁ ଦୁଇ ଦୁଇ ଥର ଏହି ପରୀକ୍ଷା ବାତିଲ୍ ହୋଇସାରିଲାଣି। ଶୃଙ୍ଖଳିତ ଭାବେ କେବେ ପରୀକ୍ଷା ହେବ, ସେ ନେଇ କେହି ସ୍ପଷ୍ଟ ସୂଚନା ଦେଉନାହାନ୍ତି | ଏଭଳି ସ୍ଥିତିରେ ସରକାରଙ୍କ ଏହି ନିଷ୍ପତ୍ତି ଆଶାୟୀମାନଙ୍କୁ ନିରାଶ କରିଛି |

