ବାଜିଲାନି ଜାତୀୟ ସଙ୍ଗୀତ; ଅଧିବେଶନ ମଝିରୁ ଗୃହକୁ ବର୍ଜନ କଲେ ରାଜ୍ୟପାଳ
ଚେନ୍ନାଇ ୨୦|୧: ବିଧାନସଭାରେ ଅଧିବେଶନ ସମୟରେ ଆରମ୍ଭ ହେଲା ବିବାଦ | ଅଧାରୁ ଉଠି ଚାଲିଗଲେ ରାଜ୍ୟପାଳ | ଏ ଭଳି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ | ତାମିଲନାଡୁ ସରକାର ଓ ରାଜ୍ୟପାଳ ଆର.ଏନ. ରବିଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ । ଏହି ବିବାଦରେ ବିଧାନସଭା ଅଧିବେଶନ ମଝିରୁ ଉଠି ଚାଲିଗଲେ ରାଜ୍ୟପାଳ ଆର.ଏନ. ରବି । ସୂଚନା ଅନୁସାରେ ଦେଶର ଜାତୀୟ ସଙ୍ଗୀତ ବଜାଇବାକୁ କହିବାରୁ ଆରମ୍ଭ ହୋଇଥିଲା ଏହି ବିବାଦ | ତାମିଲ ରାଜ୍ୟ ସଙ୍ଗୀତ ପରେ ଜାତୀୟ ସଙ୍ଗୀତ ବଜାଇବାକୁ ରାଜ୍ୟପାଳ ନିଜର ଦାବି ରଖିଥିଲେ। ତେବେ ଏହି ଦାବିକୁ ବାଚସ୍ପତି ଆପାଭୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ତେବେ ଏହି କଥାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା |
ବିବାଦ ଭିତରେ ଆର.ଏନ. ରବି ଗୃହକୁ ସମ୍ବୋଧିତ ନକରି କାର୍ଯ୍ୟବଳୀ ବର୍ଜନ କରି ଗୃହରୁ ବାହାରି ଯାଇଥିଲେ। ଏହାକୁ ମିଶାଇ ତୃତୀୟ ଥର ପାଇଁ ରାଜ୍ୟପାଳ ଗୃହକୁ ବର୍ଜନ କରିଛନ୍ତି । ଏହା ପୂର୍ବରୁ ସେ ୨୦୨୪ ଓ ୨୦୨୫ରେ ଭାଷଣ ନଦେଇ ଅଧିବେଶନ ବର୍ଜନ କରିଥିଲେ ବୋଲି ସୂଚନା ରହିଛି । ତାମିଲନାଡୁ ଲୋକଭବନ ପରିସ୍ଥିତି ବିଷୟରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି।
ସୂଚନା ଯୋଗ୍ୟ, ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଯାଉ ନଥିବାରୁ ମୁଁ ଗଭୀର ଦୁଖିତଃ। ଅଧିବେଶନ ସମୟରେ ଗୃହ ବର୍ଜନ କରିବା ଦୁର୍ଭାଗ୍ୟଜନକ । ମୁଁ ମୋର ଦାୟିତ୍ୱ ବିଷୟରେ ଭଲଭାବରେ ଅବଗତ । ମାତ୍ର, ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଯିବା ଉଚିତ ବୋଲି ରାଜ୍ୟପାଳ ଆର ଏନ ରବି ତାମିଲନାଡୁ ବିଧାନସଭାରେ କହିଛନ୍ତି । ଅନ୍ୟପଟେ, ରାଜ୍ୟପାଳଙ୍କ ଅଭିଯୋଗର ଜବାବରେ ତାମିଲନାଡୁ ବାଚସ୍ପତି ଆପାଭୁ କହିଛନ୍ତିଯେ, ବିଧାନସଭାରେ କେବଳ ବିଧାୟକମାନେ ହିଁ ନିଜର ମତାମତ ଦେଇପାରିବେ ।
ବିଧାୟକଙ୍କ ବ୍ୟତୀତ ଅନ୍ୟ କେହି ସେମାନଙ୍କର ମତାମତ ଜୋର ଜବରଦସ୍ତ ଲଦି ପାରିବେ ନାହିଁ ବୋଲି ସେ କହିଛନ୍ତି | ସେ ଆହୁରି କହିଛନ୍ତି, ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ସରକାର ପ୍ରସ୍ତୁତି କରିଥିଲେ । କିନ୍ତୁ ରାଜ୍ୟପାଳ ଆର ଏନ ରବି କହିଛନ୍ତି, ମୋ ମାଇକ୍ରୋଫୋନ ବନ୍ଦ କରିଦିଆଯାଇଥିଲା ଓ ମୋତେ କହିବାକୁ ଦିଆଯାଇନଥିଲା । ଯେଉଁଥିପାଇଁ ମୁଁ ଅପମାନିତ ଅନୁଭବ କରିଥିଲି।

