ପଦ୍ମ ମୁଖ ବେଶ ରେ ଦର୍ଶନ ଦେଲେ ପାତାଳୀ ଶ୍ରୀକ୍ଷେତ୍ର ରେ ଶ୍ରୀ ଜୀଉ
ଉଲୁଣ୍ଡା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀ ପାତାଳୀ କ୍ଷେତ୍ର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଠାରେ ଚାଲିଥିବା ୨୧ତମ ପାତାଳୀ ମହୋତ୍ସବର ବୁଧବାର ତୃତୀୟ ସନ୍ଧ୍ୟାରେ ପହଞ୍ଚିଛି। ଆଜି ଚତୁର୍ଦ୍ଧା ବିଗ୍ରହଙ୍କ ପଦ୍ମମୁଖ ବେଶ ଅନୁଷ୍ଠିତ ହୋଇଥିଲା । ଦୂର ଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ପଦ୍ମମୁଖ ବେଶ ଦର୍ଶନ କରିଥିଲେ । ପ୍ରତିଦିନ ଭଳି ମହାପ୍ରଭୁଙ୍କ ପାଖରେ ଆଳତୀ ଦିଆଯାଇଥିଲା। ଛପନ ପ୍ରହରୀ ନାମଯଜ୍ଞରେ ପ୍ରଥମ ଦିନରେ କୋଟସମଲାଇ ବାହାରିପଡା, ଦ୍ଵିତୀୟ ଦିନରେ କୋଟସମଲାଇ ଗଡଭିତର ଓ ତୃତୀୟ ଦିନରେ ଗୋଲାବନ୍ଧ ଗାଁର ନାମ ସଂକୀର୍ତ୍ତନ କରୁଛନ୍ତି। ନାମ ମଣ୍ଡପରେ ଅର୍ଜୁନ ପଣ୍ଡା ପୂଜକ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି। ସେ ପଟେ ଯଜ୍ଞ ମଣ୍ଡପରେ ଘୃତଯଜ୍ଞ ଓ ପାରାୟଣ ମଣ୍ଡପରେ ଭାଗବତ ସପ୍ତାହ ପାରାୟଣ ଅନୁଷ୍ଠିତ ହେଉଅଛି। ତୃତୀୟ ସନ୍ଧ୍ୟା ଅଧିବେଶନରେ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସୋନପୁର ମୁନସିପାଳଟି ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ ଓ ସମ୍ମାନୀତ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ବିଶିଷ୍ଟ ସମାଜସେବୀ କୁର୍ତ୍ତୀବାସ ମିଶ୍ର, ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର ହୋତା ଓ ବରିଷ୍ଠ ସାମ୍ବାଦିକ ଶେଷଦେବ ବାରିକ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ଶାଶ୍ଵତ ତ୍ରିପାଠୀ ଓ ସାଥୀଙ୍କ ଦ୍ଵାରା ରୁମକୁଝୁମାନା ମେଲୋଡ଼ି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

