Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୬ ବର୍ଷରୁ କମ ବୟସ ପିଲା ବ୍ୟବହାର କରିପାରିବେନି ସୋସିଆଲ୍ ମିଡିଆ ପ୍ଲାଟଫର୍ମ; କଟକଣା ଲାଗୁ କରିବାକୁ ଆନ୍ଧ୍ର ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୨୨|୧: ୧୬ ବର୍ଷରୁ କମ ବୟସ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯିବ | ଏନେଇ ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି | ରାଜ୍ୟର ଆଇଟି ମନ୍ତ୍ରୀ ନାରା ଲୋକେସ ସ୍ୱିଜରଲାଣ୍ଡର ଡାଭୋସରେ ଆୟୋଜିତ ୱାର୍ଲଡ ଇକୋନୋମିକ ଫୋରମରେ ବ୍ଲୁମବର୍ଗ ସହ ଆଲୋଚନା କରିବା ସମୟରେ ଏହା କହିଛନ୍ତି । ତାଙ୍କ କହିବା ଅନୁସାରେ, କମ ବୟସ ପିଲା ସୋସିଆଲ୍ ମିଡିଆରେ ଉପଲବ୍ଧ ହେଉଥିବା ଅନେକ କଣ୍ଟେଣ୍ଟକୁ ସଠିକ୍ ଭାବେ ବୁଝିପାରନ୍ତି ନାହିଁ, ଯାହା ସେମାନଙ୍କ ମାନସିକ ଓ ଭାବନାତ୍ମକ ବିକାଶ ଉପରେ ଖରାପ ପ୍ରଭାବ ପକାଇଥାଏ ।

ସେ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ବୟସରୁ କମ ପିଲା ଏଭଳି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ରହିବା ଆବଶ୍ୟକ ନାହିଁ। ସେମାନେ କେଉଁ ପ୍ରକାରର କଣ୍ଟେଣ୍ଟ ସଂସ୍ପର୍ଶରେ ଆସୁଛନ୍ତି, ତାହା ଜାଣିପାରନ୍ତି ନାହିଁ । ଏପରି ସ୍ଥିତିରେ ଏକ ମଜଭୁତ ଆଇନଗତ ପ୍ରଣାଳୀର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟଯେ, ଗତ ମାସରେ ଅଷ୍ଟ୍ରେଲିଆ ସରକାର ୧୬ ବର୍ଷରୁ କମ ବୟସ ପିଲାଙ୍କ ପାଇଁ ଟିକଟକ୍, ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ସ୍ନାପଚାଟ୍ ପରି ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ କଟକଣା ଲଗାଇଥିଲେ। ଏହି ଆଇନ ଅନୁସାରେ ପିଲାମାନେ ନୂଆ ଆକାଉଣ୍ଟ ଖୋଲିପାରିବେ ନାହିଁ କିମ୍ୱା ପୁରୁଣା ଆକାଉଣ୍ଟକୁ ଚଲାଇପାରିବେ ନାହିଁ । ଏବେ ଆନ୍ଧ୍ର ପ୍ରଦେଶ ସରକାର ଏହି ମଡେଲକୁ ଅଧ୍ୟୟନ କରୁଛନ୍ତି । ଯଦି ଏହା ଲାଗୁ ହୁଏ, ତେବେ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଆଇନଗତ ପ୍ରତିବନ୍ଧକ ଲାଗୁ କରିବାରେ ଆନ୍ଧ୍ର ପ୍ରଦେଶ ଭାରତର ପ୍ରଥମ ରାଜ୍ୟ ହେବ ।

ତେବେ ଏହି ପ୍ରସ୍ତାବକୁ ଟିଡିପିର ରାଷ୍ଟ୍ରୀୟ ମୁଖ୍ୟପାତ୍ର ଦୀପକ ରେଡ୍ଡୀ ସମର୍ଥନ କରିଛନ୍ତି | ସେ କହିଛନ୍ତି ଯେ, ପୂର୍ବ ସରକାର ସମୟରେ ସୋସିଆଲ୍ ମିଡିଆର ଦୁରୁପଯୋଗ ହେଉଥିଲା ଓ ମୁଖ୍ୟତଃ ମହିଳାଙ୍କ ବିରୁଦ୍ଧରେ ଆପତ୍ତିଜନକ ଓ ଅପମାନଜନକ ଆକ୍ରମଣ କରାଯାଉଥିଲା । ସେ ଆହୁରି କହିଛନ୍ତି, କମ ବୟସର ପିଲାମାନେ ଭାବନାତ୍ମକ ଭାବେ ପରିପକ୍ୱ ନଥାନ୍ତି ଏବଂ ନକାରାତ୍ମକ କଣ୍ଟେଣ୍ଟକୁ ବୁଝିପାରନ୍ତି ନାହିଁ । ଏନେଇ ଆନ୍ଧ୍ର ସରକାର ଦୁନିଆର ବିଭିନ୍ନ ସ୍ଥାନରେ ଲାଗୁ କରାଯାଇଥିବା ଆଇନର ଅଧ୍ୟୟନ କରୁଛନ୍ତି, ବିଶେଷ କରି ଅଷ୍ଟ୍ରେଲିଆର ଅଣ୍ଡର-୧୬ ସୋସିଆଲ୍ ମିଡିଆ ଆଇନର । ତାଙ୍କ କହିବା ଅନୁଯାୟୀ, ଏହାର ଉଦ୍ଦେଶ୍ୟ କେବଳ ପିଲାଙ୍କୁ ବିଷକ୍ତ କଣ୍ଟେଣ୍ଟ, ଅନଲାଇନ୍ ଘୃଣା ଓ ମାନସିକ କ୍ଷତିରୁ ରକ୍ଷା କରିବା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ