ପାତାଳୀ ଶ୍ରୀକ୍ଷେତ୍ର ରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ହଜାର ହଜାର ସଂଖ୍ୟାରେ ଗହଳି ଲାଗିଛି ପାତାଳୀ ମହୋତ୍ସବ ପାଇଁ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ସ୍ଥିତ ଶ୍ରୀ ପାତାଳୀ କ୍ଷେତ୍ର ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାଲିଥିବା ୨୧ତମ ପାତାଳୀ ମହୋତ୍ସବର ଗୁରୁବାର ଥିଲା ଚତୁର୍ଥ ସନ୍ଧ୍ୟା । ୨୦୦୬ମସିହାରୁ ନିରବଚ୍ଛିନ୍ନ ଭାବରେ ଏହି ମହୋତ୍ସବ ଧୁମଧାମରେ ପାଳିତ ହୋଇ ଆସୁଅଛି। ନୃତ୍ୟ, ଗୀତ, ପାରାୟଣ, ପ୍ରବଚନ, ଯଜ୍ଞ,ନାମ ସଂକୀର୍ତ୍ତନର ମହାନ ପାର୍ବଣ ହେଉଛି ପାତାଳୀ ମହୋତ୍ସବ । ଛଳିଆ ଶିଖରରେ ପାରାୟଣ ମଣ୍ଡପରେ ଭାଗବତ ସପ୍ତାହ ପାରାୟଣ ଅନୁଷ୍ଠିତ ହେଉଥିବା ବେଳେ ନାମ ମଣ୍ଡପରେ ୫୬ପ୍ରହରୀ ନାମଯଜ୍ଞ ରେ ସୁନାପାଲି ଗାଁର ଦାୟିତ୍ଵ ରହିଛି। ଯଜ୍ଞ ମଣ୍ଡପରେ ଘୃତଯଜ୍ଞ ଚାଲିଥିବା ବେଳେ ମୁଖ୍ୟ ପୂଜକ ଭାବେ ଦେବାର୍ଚ୍ଚନ ଦାଶ କାର୍ଯ୍ୟ ତୁଳାଉଥିବା ବେଳେ କର୍ତ୍ତା ଭାବେ ଗାଁର ଗୌନ୍ତିଆ ଚମରା ଅମାତ ଓ ସୈରେନ୍ଦ୍ରି ଅମାତ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଚତୁର୍ଥ ସନ୍ଧ୍ୟା ଅଧିବେଶନରେ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ତଥା ତରଭା ବ୍ଳକ ଅଧ୍ୟକ୍ଷ ସରୋଜ କମ୍ଫ, ସୋନପୁର ଜିଲ୍ଲା ପରିଷଦ ସଭ୍ୟ କରମଚାନ୍ଦ ମହାନ୍ତି ଓ ସମାଜସେବୀ ଶିବୁ ତରାଇ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ନଳିନୀକାନ୍ତ ବାଘ ଧନ୍ୟବାଦ ଅର୍ପଣ ଦେଇଥିଲେ।ଏହି ଅବସରରେ ଭୀମ ଭୋଇ କଳା ନିକେତନ ଦୁଲଦୁଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଦିନକୁ ଦିନ ପାତାଳୀ ମହୋତ୍ସବ ଜମୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ । ଟ୍ରଷ୍ଟ ସଦସ୍ୟ ଜାନକୀରାମ ଦେହେରୀ, ଜଗଦିଶ କର୍ଣ୍ଣ, ମହୋତ୍ସବ ଉପଦେଷ୍ଟା ସଦସ୍ୟ ମନୋରଞ୍ଜନ ପାଢୀ,ଗୋପାଳ ପଣ୍ଡା, ନରସିଂହ ପଧାନ,ଶରଦ ଚାନ୍ଦ ଓ ପର୍ଶୁରାମ ବାରିକ ଆଦି ସହଯୋଗ କରିଥିଲେ।ହଜାର ହଜାର ଦର୍ଶକ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମନଭୋରି ଉପଭୋଗ କରିଥିଲେ।

