ଜେଲ ଭିତରେ ଦୁଇ ହତ୍ୟାକାରୀ ପଡିଲେ ପ୍ରେମରେ; ବିବାହ ପାଇଁ ୧୫ ଦିନିଆ ପାରୋଲ
ଜୟପୁର,୨୪|୧: ହତ୍ୟା ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିଲେ | କିନ୍ତୁ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହେଲା ପ୍ରେମ | ଆଉ ଏବେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି | ବିବାହ ପାଇଁ ୧୫ ଦିନିଆ ପାରୋଲ ମଧ୍ୟ ମିଳିଛି | ଏ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଏକ ଜେଲରେ | ଯେଉଁଠାରେ ଜଣେ ପୁରୁଷ ଓ ଜଣେ ମହିଳା ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ କାରଣରୁ ଜେଲଦଣ୍ଡ ଭୋଗୁଥିଲେ। ତେବେ ଜେଲ୍ରେ ଅବସ୍ଥାନ କାଳରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏବଂ ପରସ୍ପରକୁ ବିବାହ କରିବାକୁ ସେମାନେ ମନସ୍ଥ କଲେ। ଆଉ ଏବେ ରାଜସ୍ଥାନ ହାଇକୋର୍ଟ ସେମାନଙ୍କର ବିବାହ ସମ୍ପନ୍ନ ହେବା ପାଇଁ ଉଭୟଙ୍କୁ ୧୫ ଦିନିଆ ପାରୋଲ ଅନୁମତି ଦେଇଥିବା ଜଣାପଡିଛି।
ସୂଚନା ଅନୁସାରେ, ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ଏହି ପ୍ରେମୀଯୁଗଳ ହେଉଛନ୍ତି ରାଜସ୍ଥାନର ଅଲୱାର ବାସିନ୍ଦା। ପ୍ରିୟା ସେଠ୍ ନାମର ଏହି ମହିଳା ପେସାରେ ଜଣେ ମଡେଲ। ସେ ଡେଟିଂ ଆପ୍ରେ ଦୁଷ୍ମନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ପୂର୍ବରୁ ପ୍ରେମବିବାହ କରିଥିଲେ | ଏବଂ ପରବର୍ତ୍ତୀ ସମୟରେ ସମ୍ପତ୍ତି ଲୋଭରେ ନିଜ ସ୍ବାମୀଙ୍କୁ ହତ୍ୟା କରିଥିଲେ। ଆଉ ଏଥିପାଇଁ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅନ୍ୟପଟେ, ହନୁମାନ ପ୍ରସାଦ ନାମକ ଅପରାଧୀ ପାଞ୍ଚଜଣଙ୍କୁ ହତ୍ୟା କରିଥିବା ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଛନ୍ତି। ତେବେ ଉଭୟ ସାଙ୍ଗାନେର ଜେଲ୍ରେ ବନ୍ଦୀ ଜୀବନ ଅତିବାହିତ କରୁଥିବାବେଳେ ଛଅ ମାସ ପୂର୍ବେ ପରସ୍ପରଙ୍କ ପ୍ରେମରେ ପଡିଥିଲେ। ଗତ କାଲି ସେମାନଙ୍କର ବିବାହ ସମ୍ପନ୍ନ ହୋଇଥିବା ଜଣାପଡିଛି ।

