ବଢ଼ିଲା ଅଙ୍ଗନବାଡ଼ି ପିଲାଙ୍କ ୟୁନିଫର୍ମ ସରକାରୀ ପୋଷାକର ମୂଲ୍ୟ! ଶିଶୁମାନଙ୍କୁ ମିଳିବ ଦୁଇ ହଳ ନୂଆ ପୋଷାକ
ଭୁବନେଶ୍ୱର,୨୭|୧: ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ଶିଶୁ ମାନଙ୍କ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି ପିଲାଙ୍କ ୟୁନିଫର୍ମ ପୋଷାକର ମୂଲ୍ୟକୁ ବୃଦ୍ଧି କରାଯିବ | ପୂର୍ବ ଅପେକ୍ଷା ଅଧିକ ଅର୍ଥ ପ୍ରଦାନ କରାଯିବ। ଦୀର୍ଘ ଦିନରୁ ପୋଷାକର ସରକାରୀ ମୂଲ୍ୟ ବୃଦ୍ଧି ପାଇଁ କରାଯାଉଥିବା ଦାବିକୁ ପୂରଣ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନର ବଜାର ଦର ଏବଂ କପଡ଼ାର ମୂଲ୍ୟ ବୃଦ୍ଧି କାରଣରୁ ପୂର୍ବରୁ ମିଳୁଥିବା ଅର୍ଥରେ ଭଲ ମାନର ପୋଷାକ ପ୍ରସ୍ତୁତ କରିବା ସମ୍ଭବ ହେଉନଥିଲା। ତେଣୁ ପିଲାମାନେ ଯେଭଳି ଉନ୍ନତ ମାନର ଏବଂ ଆରାମଦାୟକ ପୋଷାକ ପାଇପାରିବେ, ସେଥିପାଇଁ ସରକାରୀ ଏହି ଅନୁଦାନ ରାଶିକୁ ବୃଦ୍ଧି କରିଛନ୍ତି ।
ରାଜ୍ୟର ସମସ୍ତ ସରକାରୀ ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ପ୍ରାକ୍-ପ୍ରାଥମିକ ଶିଶୁମାନେ ଏହି ସୁବିଧା ପାଇବେ। ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ସହ ପିଲାଙ୍କୁ କେନ୍ଦ୍ର ପ୍ରତି ଆକୃଷ୍ଟ କରିବାକୁ ୟୁନିଫର୍ମ ବିଶେଷ ଭୂମିକା ଗ୍ରହଣ କରିଥାଏ। ତେବେ ନୂତନ ମୂଲ୍ୟ ଧାର୍ଯ୍ୟ ହେବା ପରେ ଏବେ ଶିଶୁମାନଙ୍କୁ ଦୁଇ ହଳ ନୂଆ ପୋଷାକ ଠିକ୍ ସମୟରେ ଏବଂ ଉନ୍ନତ ମାନର ଯୋଗାଇ ଦିଆଯିବ।

