Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିର ‘ଉତ୍ତରାଧିକାରୀ’ ପାଇଁ କଳିକେଶ ନାରାୟଣ ସିଂହଦେଓ ଯୋଗ୍ୟ: ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ବର,୨୯|୧: ବିଜେଡିର ଭବିଷ୍ୟତ ଉତ୍ତରାଧିକାରୀକୁ ନେଇ ପୁଣିଥରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ନେତୃତ୍ବ ଦେବା ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର | ଏହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି | ଦଳର ଦୁଇ ବରିଷ୍ଠ ବିଧାୟକ ଅରୁଣ ସାହୁ ଏବଂ ଗଣେଶ୍ବର ବେହେରା ଏହାକୁ କଡା ସମାଲୋଚନା କରିଛନ୍ତି | ଏହା ସହିତ ଦଳ ପାଇଁ ଆଵଶ୍ୟକତା ଯୋଗ୍ୟତାର ପରିଭାଷା ମଧ୍ୟ ବୁଝାଇଛନ୍ତି।

ତେବେ ବିଧାୟକ ଦିବ୍ୟଶଙ୍କର କହିଥିଲେ, କଳିକେଶ ରାଜ୍ୟର ଦାୟିତ୍ୱ ନେବାକୁ ସମ୍ପୂର୍ଣ୍ଣ ଭାବେ ଯୋଗ୍ୟ। ତାଙ୍କୁ ଦାୟିତ୍ବ ଦେଲେ ଭଲ ହେବ। ସେ ଡୁନ ଏବଂ ଦିଲ୍ଲୀ ୟୁନିଭର୍ସିଟିରେ ପାଠ ପଢି ସାରି ସର୍ବ କନିଷ୍ଠ ବିଧାୟକ ଏବଂ ପରେ ସାଂସଦ ମଧ୍ୟ ହୋଇଛନ୍ତି | ଆଉ ଏବେ ଜାତୀୟ ରାଇଫଲ ଆସୋସିଏସନର ସଭାପତି ଅଛନ୍ତି | ଏଣୁ ରାଜ୍ୟ ରାଜନୀତିରେ କଳିକେଶ ଏକ ସକ୍ଷମ ରାଜନେତା ହୋଇ ପାରିବେ | ତାଙ୍କ ପରିବାରର ରାଜେନ୍ଦ୍ର ନାରାୟଣ ସିଂହଦେଓ ମଧ୍ୟ ଦିନେ ରାଜ୍ୟ ରାଜନୀତିରେ ନିଜର କାର୍ଯ୍ୟ ଦକ୍ଷତାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେମିତି ଆଗାମୀ ଦିନରେ ଆମେ କଳିକେଶଙ୍କୁ ନେତା କରି ଠିଆ କରିବା, ଯେମିତି ରାଜ୍ୟ ତାଙ୍କୁ ଗ୍ରହଣ କରିବ। କଳିକେଶଙ୍କ ପାଖରେ ଯୋଗ୍ୟତା ଏବଂ ଦକ୍ଷତା ଅଛି। ପୁଣି ଥରେ‌ ବଲାଙ୍ଗୀର ଅଞ୍ଚଳର ଯୁବକ ରାଜ୍ୟର ନେତୃତ୍ବ ନେଉ ବୋଲି ଆମେ ପ୍ରାର୍ଥନା କରୁଛୁ। ସେପଟେ କଳିକେଶ କହିଛନ୍ତି, ବିଜେଡିରେ ଜଣେ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଉତ୍ତରାଧିକାରୀ ବିଷୟ ହେଉଛି ଭବିଷ୍ୟତର କଥା। ଆମେ ମିଶି କରି କିପରି ବଲାଙ୍ଗୀର, ପଶ୍ଚିମ ଓଡ଼ିଶା ଏବଂ ସମଗ୍ର ଓଡ଼ିଶାର ବିକାଶ କରିବା; ସେ ଚିନ୍ତାଧାରା ଆମକୁ ରଖିବାକୁ ପଡିବ | ସବୁବେଳେ ନବୀନ ବାବୁ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନ ଦେଇଥାନ୍ତି।

ତେବେ କଳିକେଶଙ୍କୁ ନେତୃତ୍ବ ଦେବା ବିଷୟରେ ଦିବ୍ୟଶଙ୍କରଙ୍କ ଯୁକ୍ତିକୁ ବିରୋଧ କରିଛନ୍ତି ଅରୁଣ ସାହୁ ଓ ଗଣେଶ୍ବର ବେହେରା। ଅରୁଣ କହିଛନ୍ତି ଯେ, ଉତ୍ତରାଧିକାରୀ ବ୍ୟବସ୍ଥା ସାମନ୍ତବାଦୀ ଚିନ୍ତାଧାରା। ମୁଁ ବ୍ୟକ୍ତିଗତ ଭାବେ ସେଥିରେ ସହମତ ନୁହେଁ। କିଏ କେତେ ଯୋଗ୍ୟ, କେତେ ଦକ୍ଷ; ତାହା ଜନସାଧାରଣଙ୍କ ଆଶୀର୍ବାଦ ଓ କାର୍ଯ୍ୟ ଦକ୍ଷତା ଉପରେ ନିର୍ଭର କରିବ। ଜଣେ ଜଣଙ୍କ ନିର୍ବାଚନ ମଣ୍ଡଳୀକୁ ଯିବା ଅବସରରେ କ’ଣ କହିଛନ୍ତି, ତାକୁ ନେଇ ଅଧିକ ଚର୍ଚ୍ଚା ହେବା କଥା ନୁହେଁ। ନବୀନ ପଟ୍ଟନାୟକ ବର୍ତ୍ତମାନ ଦଳର ନେତୃତ୍ବ ନେଉଛନ୍ତି। ଦିବ୍ୟଶଙ୍କର କ’ଣ କହିଛନ୍ତି ଜାଣିନି କିନ୍ତୁ ବିଜେଡିରେ ଯେଉଁମନେ ବି ରହିଛନ୍ତି ନିଜ ଦକ୍ଷତା ଅନୁସାରେ ରହିଛନ୍ତି | ବିନା ଦକ୍ଷତାରେ କେହି ନିର୍ବାଚନ ଜିତି ନାହାନ୍ତି। ଉତ୍ତରାଧିକାରୀର ଆବଶ୍ୟକ ଅଛି କି ନାହିଁ, ତାହା ଆଗାମୀ ସମୟରେ ଦଳ ଓ ସଭାପତି ନିଷ୍ପତ୍ତି କରିବେ। ଏବେଠୁ କାହିଁକି ସବୁ ବ୍ୟସ୍ତ ହେଉଛନ୍ତି। ଅରୁଣଙ୍କ କଥାକୁ ସମର୍ଥନ କରି ଗଣେଶ୍ବର କହିଛନ୍ତି, ବିଜେଡିର ଭବିଷ୍ୟତ ଉତ୍ତରାଧିକାରୀ କିଏ ହେବ, ତାହା ନବୀନ ନିଷ୍ପତ୍ତି ନେବେ। ଆମ ସଭାପତି ସଫଳ, ସକ୍ଷମ। ଉତ୍ତରାଧିକାରୀ ଚର୍ଚ୍ଚା ଆସିଲା କେଉଁଠୁ। ଆମ ଦଳର ନେତା କେବଳ ନବୀନ। ସେ ତାଙ୍କ କର୍ତ୍ତବ୍ୟ କରି ଚାଲିଛନ୍ତି। ଯୁବନେତାଙ୍କୁ ବିଜେଡି ଗୁରୁତ୍ବ ଦିଏ। ଦିବ୍ୟଶଙ୍କର କ’ଣ ପାଇଁ ଏପରି କହିଲେ ସେ ହିଁ ତା’ର ଉତ୍ତର ଦେଇପାରିବେ ବୋଲି ସେ କହିଛନ୍ତି।

ନିକଟରେ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ ବିଜେଡିର ବରିଷ୍ଠ ନେତା ତଥା କଳିକେଶଙ୍କ ବାପା ଅନଙ୍ଗ ଉଦୟ ସିଂହଦେଓ। ତେବେ ଏହାର କିଛି ଦିନ ଭିତରେ ପୁଅ କଳିକେଶଙ୍କୁ ନେଇ ଦିବ୍ୟଶଙ୍କରଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ନେତୃତ୍ବ ଆଉ ଉତ୍ତରାଧିକାରୀକୁ ନେଇ ଅନେକ ନେତା ମୁହଁ ଖୋଲୁନଥିବାବେଳେ ଦିବ୍ୟଶଙ୍କର ଖୋଲାଖୋଲି ଭାବେ କଳିକେଶ ନାଁ ପ୍ରଚାର କିପରି କରିଲେ ; ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ତେବେ ଉତ୍ତରାଧକାରୀ ଚର୍ଚ୍ଚା ନୂଆ ନୁହେଁ ୟା ପୂର୍ବରୁ ଅନେକଥର ଏ କଥାକୁ ନେଇ ପ୍ରଶ୍ନ ଉଠିଛି | ଉତ୍ତରାଧିକାରୀ ଚର୍ଚ୍ଚାକୁ ନବୀନ ପୂର୍ବରୁ ଚତୁରତାର ସହ ଏଡ଼ାଇ ଦେଇଥିଲେ। କହିଥିଲେ, ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ନିଜେ ଚୟନ କରିବେ | କିନ୍ତୁ ୨୪ ବର୍ଷର କ୍ଷମତା ହାତରୁ ଯିବା ପରେ ବିଜେଡିର ନେତୃତ୍ବ ହସ୍ତାନ୍ତରକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଏନେଇ ସୁଜାତା ଆର. କାର୍ତ୍ତିକେୟନଙ୍କ ନାଁ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲା | କିନ୍ତୁ ଦଳର ପ୍ରତିଷ୍ଠା ଦିବସ ସମାପ୍ତ ହେବା ପରେ ଏହି ଚର୍ଚ୍ଚାରେ ବିରାମ ଲାଗିଥିଲା। ଆଉ ଏବେ ପୁଣିଥରେ ପଶ୍ଚିମ ଓଡ଼ିଶାରୁ ନେତୃତ୍ବର ସ୍ବର ଶୁଭିବା ପରେ ‌ପୁଣି ବିଜେଡିରେ ଉତ୍ତରାଧିକାରୀକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଏବେ ଜୋର ଧରିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories