ଗରମ ପେଜ ଉପରେ ପଡ଼ି ୫ ବର୍ଷର ଶିଶୁ ଗୁରୁତର, ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ବାଲିପାଟଣା,୩୦|୧: ମାତ୍ର ପାଞ୍ଚ ବର୍ଷର ଶିଶୁ | ତୁଳା ପରି ନରମ ଶରୀର ହୋଇଥିବା | ଖେଳୁ ଖେଳୁ ଘଟିଗଲା ଏମିତି ଏକ ଅଘଟଣ | କିଏ ଜାଣିଥିଲା ଏମିତି ଘଟିବ ବୋଲି ? ହସ ଖୁସିରେ ଖେଳୁଥିବା ପିଲାଟି ଏବେ ହସ୍ପିଟାଲରେ ବେଡ଼ରେ | ମା’ ର ହୃଦୟ ଯନ୍ତ୍ରଣାରେ ଭରି ଯାଉଥିବ | ଯେ କେହି ବି ଶୁଣିବେ ସେ ତାର କୋହ ସମ୍ଭାଳି ପାରୁ ନଥିବେ | ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ | ଯେଉଁଠି ଜଣେ ୫ ବର୍ଷ ବୟସ୍କ ଶିଶୁପୁତ୍ର ଉପରେ ଗରମ ପେଜ ଢାଳି ହୋଇଯାଇଛି | ଏବଂ ଏହି ଘଟଣାରେ ଶିଶୁପୁତ୍ରର ଅବସ୍ଥା ଗୁରୁତର ହୋଇଛି | ସୂଚନା ମୁତାବକ, ଉକ୍ତ ଗ୍ରାମର ଅଧିବାସୀ ମଣ୍ଟୁ ଭୋଇଙ୍କ ୫ ବର୍ଷର ପୁଅ ଆଜି ସକାଳ ସମୟରେ ଘରେ ଖେଳୁଥିଲେ | ଆଉ ହଠାତ ସେହି ସମୟରେ ମାଆ ଭାତ ରାନ୍ଧି ସାରି ପେଜ ଗାଳି ଢାଳିବାକୁ ନେଉଥିଲେ | କିନ୍ତୁ ଠିକ ସେହି ସମୟରେ ଶିଶୁ ଜଣକ ଦୌଡ଼ି ଆସି ମା ଧରିଥିବା ପେଜ କରେଇରେ ମାଡ଼ ହୋଇଯାଇଥିଲା ଏବଂ ଏହା ପରେ ମାଙ୍କ ହାତରୁ ଖସି ଶିଶୁ ଉପରେ ଗରମ ପେଜ ଢାଳି ହୋଇଯାଇଥିଲା |
ଏହି ହୃଦୟ ବିଦାରକ ଘଟଣା ପରେ, ତୁରନ୍ତ ଶିଶୁ ଜଣକୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା | ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି | ଘଟଣାରେ ପିଠି, କାନ୍ଧ , ପେଟ, ହାତ ସହ ଶରୀର ବିଭିନ୍ନ ସ୍ଥାନ ସିଝି ଯାଇଛି | ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସୂଚନା ଅନୁସାରେ ପିଲାଟି ଶରୀର ପର୍ଯ୍ୟ ୪୦ ପ୍ରତିଶତ ଭାଗ ପୋଡ଼ି ଯାଇଛି |

