ବ୍ରଜରାଜନଗରରେ “ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ସ୍ପଟ୍ ଚ୍ୟାଲେଞ୍ଜ–୨୦୨୫” ଅଭିଯାନଶୋଭାଯାତ୍ରା, ଚିତ୍ରାଙ୍କନ ପ୍ରତିଯୋଗିତା ଓ ସଫେଇ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷାର ସନ୍ଦେଶ
ଝାରସୁଗଡ଼ା ୩୧/୦୧ (ଓଡିଶା ନ୍ୟୁଜ୍): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ପ୍ରସିଦ୍ଧ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଆଜି “ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ସ୍ପଟ୍ ଚ୍ୟାଲେଞ୍ଜ–୨୦୨୫” ଅଭିଯାନ ଉତ୍ସାହ ଓ ସଚେତନତାର ସହିତ ପାଳିତ ହୋଇ ଯାଇଛି। ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ପ୍ଲାଷ୍ଟିକ୍ ମୁକ୍ତ କରି ପରିବେଶ ସୁରକ୍ଷାର ସନ୍ଦେଶ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା।
ଏହି ଅବସରରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା, ସାଧାରଣ ସଭା ଓ ଓ.ପି.ଏମ୍ ଗାର୍ଲ୍ସ ହାଇସ୍କୁଲର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରୀମାନେ ପ୍ଲାଷ୍ଟିକ୍ ବର୍ଜନ, ପ୍ରକୃତି ସୁରକ୍ଷା ଓ ସ୍ୱଚ୍ଛ ପରିବେଶ ବିଷୟରେ ସଚେତନତାମୂଳକ ଚିତ୍ର ମାଧ୍ୟମରେ ନିଜ ଭାବନା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ ପରେ ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବିଭିନ୍ନ ସଂଗଠନର ସଦସ୍ୟ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣ ଓ ପାର୍ଶ୍ୱବର୍ତ୍ତୀ ପର୍ଯ୍ୟଟନ ସ୍ଥଳୀରେ ଏକ ସଫେଇ ଅଭିଯାନ କରା ଯାଇଥିଲା। ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସମସ୍ତେ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବାକୁ ଶପଥ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରହଲ୍ଲାଦ ନାଏକ, ଇ.ଡି.ସି. ସଭାପତି ତଥା ଡି.ଇ.ଏସ୍ ସଦସ୍ୟ ତ୍ରିନାଥ ଗୁଆଲ, ଝାରସୁଗୁଡ଼ା ଡି.ଇ.ଏସ୍ ସଦସ୍ୟ ବିଜୟ ବେହେରା, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହକାରୀ ପରିବେଶ ଯନ୍ତ୍ରୀ ସମ୍ବିତ ମୁଣ୍ଡା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ନୂତନଶ୍ରୀ ପଟେଲ, ବରିଷ୍ଠ ସାମ୍ବାଦିକ ଉପନ ସାହୁ, ଜିଲ୍ଲା ଗାଇଡ୍ ଶିକ୍ଷୟିତ୍ରୀ ପ୍ରତିଭା ମହାପାତ୍ର ଏବଂ ବ୍ରଜରାଜନଗର ବନଖଣ୍ଡ ଅଧିକାରୀ ରିଷ୍ନା ଜାମଡାଲିଆଙ୍କ ସହ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ପରିବେଶ ସନ୍ତୁଳନ ରକ୍ଷା ଓ ପ୍ଲାଷ୍ଟିକ୍ ବର୍ଜନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

