କୁଡାବଗା ଜମିଦାର ଅଞ୍ଜୋର ସିଂହ, ଦୃଷ୍ଟି ଆଢ଼ୁଆଳରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ପ୍ରତିମୂର୍ତ୍ତି ସ୍ଥାପନ ସହ ସଂଗ୍ରାମୀ ଇତିହାସ ପୃଷ୍ଠାରେ ସ୍ଥାନିତ ପାଇଁ ଦାବି
ଝାରସୁଗୁଡା ୩୧/୧ (ଓଡ଼ିଶା ନ୍ୟୁଜ୍):ଦେଶର ସ୍ୱାଧୀନତା ସଂଗ୍ରାମରେ ନିଜ ପ୍ରାଣ ବଳିଦାନ କରିଥିବା ସତ୍ତ୍ଵେ ଅନେକ ବୀର ସଂଗ୍ରାମୀଙ୍କ ନାମ ଇତିହାସ ପୃଷ୍ଠାରେ ସ୍ଥାନିତ ହୋଇନାହିଁ । ଫଳ ସ୍ୱରୂପ କିଛି ମହାନ ଯୋଦ୍ଧା ଏପର୍ଯ୍ୟନ୍ତ ସରକାରୀ ଅବହେଳା ଯୋଗୁଁ ଇତିହାସର ଅନ୍ଧକାର ପୃଷ୍ଠାରେ ଲୁଚି ରହିଛନ୍ତି। ସେଭଳି ଜଣେ ମହାନ୍ ସ୍ଵାଧିନତା ସଂଗ୍ରାମୀ ହେଲେ ତତ୍କାଳୀନ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଝାରସୁଗୁଡ଼ା ସବଡିଭିଜନର କୁଡାବଗା ଜମିଦାର ସହିଦ ଅଞ୍ଜୋର ସିଂହ ।
ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଘଟିଥିବା ସମ୍ବଲପୁର ସଂଗ୍ରାମର ଦୁଇଟି ମୁଖ୍ୟ ପର୍ଯ୍ୟାୟ ୧୮୨୭ ରୁ ୧୮୪୦ ଏବଂ ୧୮୫୭ ରୁ ୧୮୬୨ ରେ ସହିଦ ଅଞ୍ଜୋର ସିଂହ ସକ୍ରିୟ ଓ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ଭରସା ଯୋଗ୍ୟ ସେନାନୀ ଭାବେ ସେ ନିଜ ଜୀବନକୁ ବିପଦରେ ପକାଇ ବ୍ରିଟିଶଙ୍କ ବିରୋଧରେ ସଂଗଠିତ ଆନ୍ଦୋଳନକୁ ଶକ୍ତିଶାଳୀ କରିଥିଲେ। ସୁରେନ୍ଦ୍ର ସାଏଙ୍କ ଅସ୍ତ୍ରାଗାରର ଦାୟିତ୍ୱ ସମ୍ଭାଳି ସେ ଆନ୍ଦୋଳନକାରୀଙ୍କୁ ଅସ୍ତ୍ର-ସଜ୍ଜା ଯୋଗାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଦୀର୍ଘ ସମୟ ଧରି ବ୍ରିଟିଶ ଶାସକଙ୍କ ନଜରରେ ଥିବା ଅଞ୍ଜୋର ସିଂହ ଶେଷରେ ଚକ୍ରାନ୍ତରେ ଗିରଫ ହୋଇ ୧୮୭୦ ମସିହା ଜୁନ୍ ୨୧ ତାରିଖରେ ସମ୍ବଲପୁର ଜେଲ୍ରେ ଦେଶ ପାଇଁ ନିଜ ପ୍ରାଣବଳି ଦେଇଥିଲେ। ତାଙ୍କ ମୃତ୍ୟୁ ସମ୍ବଲପୁର ସଂଗ୍ରାମ ପାଇଁ ଗଭୀର ଆଘାତ ହୋଇଥିଲେ ମଧ୍ୟ ତାଙ୍କ ବଳିଦାନ ସ୍ୱାଧୀନତା ସଂଗ୍ରାମର ଇତିହାସ ପୃଷ୍ଠାରେ ଏବେ ବି ସ୍ଥାନିତ ହୋଇ ପାରିନାହିଁ ।
ଜାତୀୟ ଅଭିଲେଖା ଗାରରେ ସଂରକ୍ଷିତ ଦୁର୍ଲଭ ଦଲିଲ ଆଧାରରେ ଏହି ଐତିହାସିକ ସତ୍ୟ ଉଦ୍ଘାଟିତ ହୋଇଥିବା କଥା ବିଶିଷ୍ଟ ଇତିହାସ ଗବେଷକ ଦୀପକ କୁମାର ପଣ୍ଡା ମତ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, କୁଡ଼ାବଗା ଜମିଦାର ସହିଦ ଅଞ୍ଜୋର ସିଂହଙ୍କ ନାମ ସରକାରୀ ଇତିହାସ ଗ୍ରନ୍ଥରେ ଯଥାଯଥ ସ୍ଥାନ ପାଇ ନ ଥିବା ଅତି ଦୁଃଖ ଦାୟକ ।
ଏହି ଐତିହାସିକ ତଥ୍ୟକୁ ଆଧାର କରି କୁଡାବଗା ଗ୍ରାମବାସୀଙ୍କ ଉଦ୍ୟମରେ ଗତ ୨୦୨୪ ଜୁନ ୨୧ ତାରିଖରେ ସ୍ଵାଧୀନତା ସଂଗ୍ରାମୀ ଅଞ୍ଜୋର ସିଂହଙ୍କ ୧୫୫ ତମ ସହୀଦ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ସଭା, ଇତିହାସ ଆଲୋଚନା ଚକ୍ର ଓ ଦେଶ ଭକ୍ତି ମୂଳକ ଆହ୍ଵାନ ମାଧ୍ୟମରେ ସହିଦଙ୍କ ସ୍ମୃତି ସମ୍ମାନ ସଭା ଅନୁଷ୍ଠିତ ହୋଇଥିଲା । ଦେଶ ଓ ମାଟି ପାଇଁ ସହିଦ ଅଞ୍ଜୋର ସିଂହଙ୍କ ଅମର ବଳିଦାନ ଆଜି ମଧ୍ୟ ସମଗ୍ର ଅଞ୍ଚଳକୁ ଗୌରବାନ୍ବିତ କରୁଛି। ତାଙ୍କ ସ୍ମୃତିକୁ ସଦା ଉଦଜ୍ଜିବିତ ରଖିବା ପାଇଁ କୁଡାବଗା ଗ୍ରାମରେ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ, ସହିଦ ସ୍ମୃତିସ୍ଥଳ ଘୋଷଣା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥୋଚିତ ସମ୍ମାନ ଓ ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାଙ୍କ ନିକଟରେ ଅଞ୍ଚଳବାସୀ ଦାବି କରୁଛନ୍ତି ।

