୬ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ! ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ
ଭୁବନେଶ୍ୱର,୨|୨: ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି | ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯାଜପୁର, ବାଲେଶ୍ବର, ପୁରୀ, ମୟୂରଭଞ୍ଜ ଏବଂ ଭୁବନେଶ୍ବରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି । ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଷ୍ଟ୍ରପତି ବାୟୁସେନା ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ଏବଂ ସେଠାରୁ ସିଧା ଲୋକ ଭବନକୁ ଯିବେ। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନାଜରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସୋମବାର ଭୁବନେଶ୍ୱରରେ ପହଞ୍ଚି ସେଦିନ ଲୋକ ଭବନରେ କିଛି ସାକ୍ଷାତ କାର୍ଯ୍ୟକ୍ରମ ପରେ ରାତି ରହଣି କରିବେ। ଆସନ୍ତା ୩ତାରିଖ ସକାଳେ ସେ ଯାଜପୁର ଗସ୍ତ କରି ବିରଜା ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ସହିତ ନାଭି ଗୟାଠାରେ ପୂଜାର୍ଚ୍ଚନା କରିବେ। ଅପରାହ୍ଣରେ ବାଲେଶ୍ୱର ଗସ୍ତ କରି ଫକିର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ତା ପରେ, ସନ୍ଧ୍ୟାରେ ସେ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିବେ। ସେହିପରି ୪ତାରିଖ ସକାଳେ ମୟୂରଭଞ୍ଜ ଜିଲା ଗସ୍ତ କରି ରାଇରଙ୍ଗପୁର ମହୁଲଡିହାସ୍ଥିତ ଅବକାଶ ଗୃହ ହଲି ଡେ ହୋମ୍ ଉଦ୍ଘାଟନ କରିବା ସହ ସେଠାରେ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ବିଭାଗ ପରିଚାଳିତ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ନୋଚନ କରିବାର କାର୍ଯ୍ୟକ୍ରମ ରହିଛି |
୪ ତାରିଖ ଅପରାହ୍ଣରେ ରାଷ୍ଟ୍ରପତି ରାଇରଙ୍ଗପୁରଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବେ। ସେହିପରି ୫ତାରିଖ ସକାଳେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରଠାରେ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଅପରାହ୍ଣରେ ଶିମିଳିପାଳ ଅଭିମୁଖେ ଗସ୍ତ କରିବେ। କାର୍ଯ୍ୟସୂଚୀ ଅନୁସାରେ, ୬ତାରିଖ ସକାଳେ ସେଠାରେ ମହିଳା ଏବଂ ଆଦିବାସୀ ଗୋଷ୍ଠୀର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିବେ | ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚି ରାଜ୍ୟ ସରକାର ଏବଂ ଗ୍ଲୋବାଲ ଫିନାନ୍ସ ଟେକ୍ନୋଲୋଜି ନେଟ୍ୱର୍କର ମିଳିତ ଆୟୋଜନରେ ଅନୁଷ୍ଠିତ ‘ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପରେ,ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୭ତାରିଖ ସକାଳୁ ଭୁବନେଶ୍ୱର ବିମାନ ବନ୍ଦରରୁ ଛତିଶଗଡ଼ ଅଭିମୁଖେ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।

