ସଚିନ ପାଇଲଟ୍ ହେବେ ପିସିସି ଅଧ୍ୟକ୍ଷ, ଗେହଲଟଙ୍କ ହାତରେ ସିଏମ ଦାୟିତ୍ଵ, କଂଗ୍ରେସ ଖୋଜିଲା ସମାଧାନର ରାସ୍ତା


ଜୟପୁର: ରାଜସ୍ଥାନ କଂଗ୍ରେସରେ ଜାରି ସଙ୍କଟକୁ ନେଇ ହାଇକମାଣ୍ଡ ବେଶ ସତର୍କ ଅଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଟି ସଚିନ ପାଇଲଟ୍ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସମାଧାନର ରାସ୍ତା ଖୋଜି ନେଇଛି। କଂଗ୍ରେସ ଶୀର୍ଷ ନେତୃତ୍ଵଙ୍କ ଏହି ନୂତନ ପ୍ଲାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଖୁସି ନଜର ଆସୁ ନାହାନ୍ତି।

କଂଗ୍ରେସ ହାଇକମାଣ୍ଡ ସଚିନ ପାଇଲଟଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ କରିବାକୁ ଯୋଜନା କରିଛି। ଏହି ବିଷୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅବଗତ କରାଯାଇଛି। ହେଲେ ଏହାକୁ ନେଇ ଖୁସି ନାହାନ୍ତି ଗେହଲଟ୍। ବର୍ତ୍ତମାନ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି ଗୋବିନ୍ଦ ସିଂହ ଡୋଟାସରା। ସେ ଜାଟ୍ ନେତା ହୋଇଥିବାରୁ ଜାଟ୍ ସଂପ୍ରଦାୟର ଭୋଟରଙ୍କୁ ଆକର୍ଷିତ କରିବାରେ ବେଶ ସହାୟକ ହେବ।

ଗେହଲଟଙ୍କ କହିବା କଥା ବିଜେପି ନିକଟରେ ଜାଟ ନେତା ସତୀଶ ପୁନିଆଙ୍କୁ ପ୍ରଦେଶ ଅଧ୍ୟକ୍ଷ ପଦରୁ ହଟାଇଛି। ଏମିତିରେ କଂଗ୍ରେସ ଯଦି ଡୋଟାସରାଙ୍କୁ ପଦରୁ ହଟାଏ ତେବେ ବିଜେପି ବିରୋଧରେ ଜାରି ଜାଟ ସମୁଦାୟରଙ୍କ ଅସନ୍ତୋଷର ଫାଇଦା ଦଳ ନେଇ ପାରିବ ନାହିଁ। ଅନ୍ୟପଟେ ପାର୍ଟି ଗେହଲଟଙ୍କୁ ଜାଟ ଉପମୁଖ୍ୟମନ୍ତ୍ରୀ ଚୟନ କରିବାର ଅଧିକାର ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ନିଟତର ଡୋଟସରା ଏହି ପଦ ପାଇଁ ଦୌଡ଼ରେ ଆଗରେ ଥିବା କୁହାଯାଉଛି। ଖବର ଅନୁଯାୟୀ, ସଚିନ ପାଇଲଟ୍ ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟ ପ୍ରଦେଶ ଅଧ୍ୟକ୍ଷ ପଦରେ ରହିବାକୁ ସହମତି ପ୍ରକାଶ କରିଛନ୍ତି।

କର୍ଣ୍ଣାଟକରୁ ଶିକ୍ଷା
କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳକୁ ଦୃଷ୍ଟିରେ ରଖି ପାଇଲଟ୍ ଏବଂ ଗେହଲଟଙ୍କ ମଧ୍ୟରେ ଥିବା ମତଭେଦକୁ ତୁରନ୍ତ ସମାଧାନ କରିବାକୁଉ ଉଦ୍ୟମ ଚଳାଇଛି। କାରଣ ଦଳ ସିଦ୍ଦରମୈୟା ଏବଂ ଡିକେ ଶିବକୁମାରଙ୍କ ପରି ଦୁଇ ବଡ଼ ନେତାଙ୍କୁ ସାଥୀରେ ଧରି କର୍ଣ୍ଣାଟକ ବିଜୟ ହାସଲ କରି ପାରିଛି। ତେଣୁ ଏହି ଆଧାରରେ ରାଜସ୍ଥାନରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଜାରି ବାଦ ବିବାଦ ଏବଂ ମତଭେଦ ଶୀଘ୍ର ଶେଷ ହେବା କଂଗ୍ରେସ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ।