ରାଜ୍ୟ ସରକାରଙ୍କ ବଡ ଘୋଷଣା; ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ-ଡ୍ରେସ୍, ଶାଢୀରେ ରହିବ ଓଡ଼ିଆ ଅସ୍ମିତାର ଝଲକ
ଭୁବନେଶ୍ୱର,୨।୨: ରାଜ୍ୟ ସରକାରଙ୍କ ବଡ ଘୋଷଣା । ଏଣିକି ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ। ନୂଆ ୟୁନିଫର୍ମ ସହିତ ନୂଆ ଆଇ କାର୍ଡ ମଧ୍ୟ ଦିଆଯିବ। ତେବେ ଅପ୍ରେଲ ୧ ଉତ୍କଳ ଦିବସରୁ ଏହା ମିଳିବ । ଏନେଇ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏ ସମ୍ପର୍କରେ ମିଶନ ଶକ୍ତି ଭବନ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ଅନେକ ସ୍ଵୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ମାର୍ଟ ଫୋନ କମ୍ୟୁନିଟି ରିସୋର୍ସ ପର୍ସନଙ୍କୁ ମିଳିବ। ୪୬ ହଜାର ସିଆରପିଙ୍କୁ ଏହି ସୁବିଧା ଯୋଗାଇଦିଆଯିବ। ମିଶନ ଶକ୍ତି ମହିଳାଙ୍କୁ ଦିଆଯିବାକୁ ଥିବା ଶାଢୀରେ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିବ ବୋଲି ପ୍ରଭାତୀ ପରିଡା କହିଛନ୍ତି।
ମହିଳା ସଶକ୍ତିକରଣ ଏବଂ ମାଆ ମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ବେଶ ସହଯୋଗ ହୋଇଛି। ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଅଷ୍ଟିତକ୍ୱ ସୁ ଦୃଢ଼ କରିବା ସହିତ ଅଧିକ ବଜାର ସୁଯୋଗ ସୃଷ୍ଟି କରିବାରେ ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରେରଣା ଯୋଗାଉଛି।
ସେ କହିଛନ୍ତି ଯେ, ନୂଆ ସରକାର ଆସିବା ପରେ ମିଶନ ଶକ୍ତି ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି। ପୂର୍ବରୁ ତିନୋଟି ପର୍ଯ୍ୟାୟରେ ୫ ଲକ୍ଷ ୪୪ ହଜାର ୪୯୩ ଗୋଷ୍ଠୀଙ୍କୁ ୩୧୮ କୋଟି ୩୦ ଲକ୍ଷ ୧୬ ହଜାର ୬୪୫ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ୨ ଲକ୍ଷ ୮୦ହଜାର ୫୮୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟି ୬୬ ଲକ୍ଷ ୩୮ ହଜାର ୨୫୨ ଟଙ୍କା ଫେରସ୍ତ କରାଯାଇଛି।
ଗୋଷ୍ଠୀ ମାନଙ୍କ ଉପରେ ସୁଧ ପରିଶୋଧର ଚାପ ହ୍ରାସ କରିବା ଉଦ୍ଦେଶ୍ୟରେ ଓଡିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବ୍ୟାଙ୍କଋଣ ରାଶିକୁ ବୃଦ୍ଧି କରିବା ସହ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣରେ ବାର୍ଷିକ ସୁଧ ହାରକୁ ଶୂନ୍ୟ ପ୍ରତିଶତକୁ ଆଣିଛନ୍ତି। ତେବେ ଏହି ସୁଧ ଫେରସ୍ତ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯାଇଥାଏ।

