Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ଜଳପଥରେ ହେବ କୋଇଲା ପରିବହନ! ପରିବହନ ଖର୍ଚ୍ଚ ଏବଂ ପ୍ରଦୂଷଣ ହ୍ରାସ ହେବ

ଭୁବନେଶ୍ୱର,୩।୨ : ବ୍ରାହ୍ମଣୀ ନଦୀରେ ଚାଲିବ ଜାହାଜ । ଜାତୀୟ ଜଳପଥ ବାଟ ଫିଟିବ । ଜଳପଥରେ ହେବ କୋଇଲା ପରିବହନ | ତାଳଚେରରୁ ଧାମରା ଓ ପାରାଦୀପକୁ ଜଳପଥରେ କୋଇଲା ପରିବହନ ହେବ । ଦୀର୍ଘ ଦିନର ପ୍ରତିକ୍ଷୀତ ଯୋଜନାକୁ ଏବେ ମିଳିବ ଗତି । ସଂସଦରେ ଏଥର ବଜେଟରେ ଜାତୀୟ ଜଳପଥ-୫ (ଏନ୍‌ଡବ୍ଲ୍ୟୁ-୫) ଘୋଷଣା କରିବା ପରେ ଓଡ଼ିଶାରେ ଜଳପଥରେ ପରିବହନ କ୍ଷେତ୍ରରେ ନୂଆ ଦିଗ ସୃଷ୍ଟି ହେବ।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଛିଯେ, ତାଳଚେର ଓ ଅନୁଗୁଳରୁ ବ୍ରାହ୍ମଣୀ ନଦୀରେ ଏନଡବ୍ଲ୍ୟୁ-୫ (ଜାତୀୟ ଜଳପଥ-୫) ଜଳପଥରେ ପାରାଦୀପ ଓ ଧାମରା ବନ୍ଦରକୁ ସଂଯୋଗ କରିବ | । ତେବେ ଏହି ଜଳପଥ ସଂଯୋଗ ହେବା ଦ୍ବାରା ରାଜ୍ୟରେ ଶିଳ୍ପ ଓ ଖଣିଜ ଜନିତ ପରିବହନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ। ଏହା ସହିତ ପରିବହନ ଖର୍ଚ୍ଚ କମ ହେବ ଏବଂ ପ୍ରଦୂଷଣ ବି କମିବ । ସଡ଼କରେ ଟ୍ରାଫିକ ସମସ୍ୟାରେ ହ୍ରାସ ପାଇବା ସହିତ ଦୁର୍ଘଟଣା ମଧ୍ୟ କମ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ପାରାଦୀପ, ଧାମରା ଏବଂ ତାଳଚେର ମଧ୍ୟରେ ୩୩୨ କିମି ବିଶିଷ୍ଟ ୫ନଂ ଜାତୀୟ ଜଳପଥ ସଂଯୋଗ କରିବ । ଏଥିରୁ ପ୍ରଥମେ ତାଳଚେରରୁ ଯାଜପୁର କଳିଙ୍ଗନଗର ଢେଙ୍କାନାଳ ସୀମା ପଙ୍କପାଳ ଯାଏଁ ବ୍ରାହ୍ମଣୀ ନଦୀରେ ଏହି ଜଳପଥ ସଂଯୋଗ ହେବ । ପଙ୍କପାଳରୁ କେନ୍ଦ୍ରାପଡ଼ାର ମଙ୍ଗଳାଗଡ଼ି, ମଙ୍ଗଳାଗଡ଼ିରୁ ଧାମରା ଏବଂ ଧାମରାରୁ ପାରାଦୀପ ପର୍ଯ୍ୟନ୍ତ ୫ ନମ୍ବର ଜାତୀୟ ଜଳପଥ ସଂଯୋଗ କରିବ ।

ସେହିପରି ପରବର୍ତ୍ତୀ ସମୟରେ ଧାମରା ବନ୍ଦରରୁ ପଶ୍ଚିମବଙ୍ଗର ଗୋଏଙ୍ଖାଲିକୁ ଲମ୍ବିବ ୫ ନଂ ଜାତୀୟ ଜଳପଥ । ମୁଖ୍ୟତଃ ବ୍ରାହ୍ମଣୀ, ଖରସ୍ରୋତା, ମହାନଦୀ-ବ୍ରାହ୍ମଣୀ ଡେଲଟା, ଇଷ୍ଟ କୋଷ୍ଟ କେନାଲ ଦେଇଏହି ଜଳପଥ ଯିବ । ଏ ପ୍ରକଳ୍ପରେ ପ୍ରାୟ ୧୨ ହଜାର କୋଟି ଖର୍ଚ୍ଚ ହେବ | ଏନେଇ ଆକଳନ କରାଯାଇଛି । ଏ ଦିଗରେ ଗବେଷଣା କରୁଥିବା କ୍ୟାପଟେନ ପ୍ରଶାନ୍ତ ପାଢ଼ୀ କହିଛନ୍ତି, ଜଳପଥରେ ପରିବହନ ସବୁଠାରୁ ଉତ୍ତମ ମାର୍ଗ । ଏହାଦ୍ୱାରା ପରିବହନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। କେବଳ କୋଇଲା ନୁହେଁ, ଏ ରୁଟରେ ଛୋଟ ଜାହାଜ (ବାର୍ଜ) ଚାଲିଲେ କୋଇଲା ସହ ବିଭିନ୍ନ ଖଣିଜ ପଦାର୍ଥ, ଉତ୍ପାଦିତ ସାମଗ୍ରୀ, ତୈଳ ଆଦି ପରିବହନ କରିବା ସହଜ ହେବ । ଏହାଦ୍ୱାରା ଖର୍ଚ୍ଚ ବି କମିବ | କାରଣ ଗୋଟିଏ ଟ୍ରକରେ ଯେତିକି ମାଲ୍‌ ପରିବହନ ହୋଇଥାଏ, ଜାହାଜରେ ତା’ ତୁଳନାରେ ୧୫୦ ଗୁଣା ଅଧିକ ମାଲ ପରିବହନ କରାଯାଇପାରିବ । ଖଣି ଅଞ୍ଚଳରୁ ଶିଳ୍ପାଞ୍ଚଳ ଏବଂ ବନ୍ଦରକୁ ସିଧା ସଳଖ ଯୋଗାଯୋଗ କରିହେବ । ତେବେ ଏହି ଜାହାଜ ଗୁଡିକ ଚଳାଚଳ ପାଇଁ ୩ରୁ ସାଢ଼େ ୩ ମିଟର ଗଭୀର ପାଣି ରହିବା ଆବଶ୍ୟକ । ଏଥିପାଇଁ କେନାଲ ଖୋଳିବାକୁ ହେବ । ନଦୀ ଶଯ୍ୟା ଖନନ ସହ ବିଭିନ୍ନ ସ୍ଥାନରେ ବନ୍ଧ ବାନ୍ଧି ପାଣି ସଂରକ୍ଷିତ ରଖିବାକୁ ପଡ଼ିବ । କେରଳରେ ଜଳପଥର ବହୁଳ ବ୍ୟବହାର ହେଉଥିବାବେଳେ ଉତ୍ତରପ୍ରଦେଶରେ ମଧ୍ୟ ଜଳପଥର ବ୍ୟବହାର ବଢ଼ିଛି । ଆଉ ଏବେ ଓଡ଼ିଶାରେ ମଧ୍ୟ ଆଗାମୀଦିନରେ ଜଳପଥ ସର୍ବଶ୍ରେଷ୍ଠ ପରିବହନ ମାର୍ଗ ହୋଇପାରିବ । ଏହି ପ୍ରକଳ୍ପ ପାଇଁ ଏସ୍‌ପିଭି ମଡେଲ୍‌ ପୂର୍ବରୁ ପ୍ରସ୍ତୁତ ହୋଇସାରିଛି | ଆଉ ଏବେ ମଡେଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ତଃ ଜଳପଥ କର୍ତ୍ତୃପକ୍ଷ, ରାଜ୍ୟ ସରକାର ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ସୂଚନାଯୋଗ୍ୟ, ୨୦୦୮ରୁ ଏହି ପ୍ରକଳ୍ପ ସୀମିତ ରହିଥିଲା ଆଉ ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି |

ମୋଦୀ ସରକାର କ୍ଷମତାକୁ ଆସିବା ପରେ ଏ ଦିଗ ଉପରେ ବିଶେଷ ଧ୍ୟାନ ଦେଇଥିଲେ । ରାଜ୍ୟରେ ମୋହନ ସରକାର ମଧ୍ୟ ଏ ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବ କେନ୍ଦ୍ରକୁ ପଠାଇଥିଲେ । ତେବେ ଏଥର କେନ୍ଦ୍ର ବଜେଟରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ପରେ ଓଡ଼ିଶା ବିଶେଷ ଉପକୃତ ହୋଇଛି । ସୂଚନାଯୋଗ୍ୟ, ରାଜ୍ୟରେ ୧୫୦୦ କିମି ବିଶିଷ୍ଟ ୬ଟି ଜାତୀୟ ଜଳପଥ ରୁଟ୍‌ ଚିହ୍ନଟ ହୋଇଛି । ୫ ନଂ ଜାତୀୟ ଜଳପଥ ତାଳଚେରରୁ ପାରାଦୀପ, ଧାମରା ଏବଂ ପଶ୍ଚିମବଙ୍ଗର ଗୋଏଙ୍ଖାଲିକୁ ସଂଯୋଗ କରିବା ପ୍ରସ୍ତାବ ଅଛି । ଏହା ୫୮୮ କିମି ବିଶିଷ୍ଟ ହେବ । ଏହା ସହିତ ଜାତୀୟ ଜଳପଥ ନମ୍ବର ୧୪, ୨୨, ୨୩, ୬୪ ଓ ୯୬ ମଧ୍ୟ ଚିହ୍ନଟ ହୋଇଛି ଓଡ଼ିଶାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories