ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କ ଟାରିଫ୍ ହ୍ରାସ ଘୋଷଣା! ଭାରତ ଉପରେ ପଡ଼ିପାରେ ତେଲର ବୋଝ
ନୂଆଦିଲ୍ଲୀ,୩ା୨: ଭାରତ ଉପରୁ ଆମେରିକା ସରକାର ଟାରିଫ୍ ହ୍ରାସ କରିବାକୁ ଘୋଷଣା କରିଛନ୍ତି | ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ବୁଝାମଣା ପରେ ଆମେରିକା ଏହି ନିଷ୍ପତ୍ତି ନେଇଛି | ପୂର୍ବରୁ ଭାରତ ଉପରେ ୫୦% ଟାରିଫ୍ ରହିଥିଲା ବେଳେ ଏବେ ଏହା ୧୮ପ୍ରତିଶତକୁ ଖସିଛି। ଏହା ପୂର୍ବରୁ ରୁଷିଆରୁ ଭାରତ ତୈଳ ଆମଦାନୀ ବନ୍ଦ କରିବାକୁ ଧମକ ଦେଇଥିଲେ ଟ୍ରମ୍ପ | ଆଉ ଏବେ ପୁଣିଥରେ ତାଙ୍କ କଥାକୁ ପରିବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ | ଟାରିଫ୍ ହ୍ରାସ କରିବାକୁ ନେଇ ଘୋଷଣା କରିଛନ୍ତି।
ତେବେ ଟ୍ରମ୍ପଙ୍କ ଏହି ଘୋଷଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିଷ୍ପତ୍ତିକୁ ସ୍ବାଗତ କରି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାପରେ ଭାରତୀୟ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଖୁସିର ଲହରୀ ଦେଖିବାକୁ ମିଳିଛି । ଶିଳ୍ପପତି ଏବଂ ରପ୍ତାନି ଉଦ୍ୟୋଗପତି ମଧ୍ୟ ଟାରିଫ୍ ହ୍ରାସ ଘୋଷଣାକୁ ସ୍ବାଗତ କରିଛନ୍ତି। ପୂର୍ବରୁ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଟାରିଫ୍କୁ ନେଇ ଭାରତୀୟ ରପ୍ତାନି ଉଦ୍ୟୋଗ କ୍ଷେତ୍ରରେ ଚିନ୍ତା ପ୍ରକାଶ ପାଇଥିଲା । ଅତ୍ୟଧିକ ଶୁଳ୍କ ଯୋଗୁ ଭାରତୀୟ ସାମଗ୍ରୀ ମୂଲ୍ୟ ବଢିବା ସହ ଆମେରିକାକୁ ରପ୍ତାନି ହ୍ରାସ ପାଇବ ବୋଲି ଆଶଙ୍କା ଥିଲା। ତେବେ ଏହି ଶୁଳ୍କ ହ୍ରାସ ଘୋଷଣା ପରେ ଏହି ଆଶଙ୍କା ଦୂର ହୋଇଛି। ଶେୟାର ବଜାରରେ ମଧ୍ୟ ଭଲ ପ୍ରଭାବ ପଡ଼ିବାର ସମ୍ଭାବନା ବଢିଛି। କିନ୍ତୁ ଟାରିଫ୍ ହ୍ରାସରେ ଭାରତୀୟ ବଜାର ଉପରେ ତେଲ ବୋଝ ପଡିବା ନେଇ ଆଶଙ୍କା ବଢୁଛି । ଯଦି ରୁଷିଆରୁ ଭାରତ ତେଲ ଆମଦାନୀ କରିବା ବନ୍ଦ କରେ ତେବେ ନିଜର ଆବଶ୍ୟକ ତେଲ ଅନ୍ତର୍ଜାତୀୟ ବଜାରରୁ କିଣିବ। ଅନ୍ତର୍ଜାତୀୟ ବଜାର ମୁଖ୍ୟତଃ ବ୍ରେଣ୍ଟ୍ ଇଣ୍ଡେକ୍ସ ଦ୍ୱାରା ନିୟନ୍ତ୍ରିତ ହୋଇଥିଲା ବେଳେ ନୂଆଦିଲ୍ଲୀ ଆମେରିକା ତୈଳ କମ୍ପାନୀଗୁଡିକରୁ ତେଲ ଆମଦାନୀ କରିବାକୁ ବାଧ୍ୟ ହେବ। ଆଉ ଏଥିପାଇଁ ଭାରତକୁ ଅଧିକ ଅର୍ଥ ପୈଠ କରିବାକୁ ପଡ଼ିବ। ବର୍ତ୍ତମାନ ଭାରତ ରୁଷିଆରୁ ବ୍ୟାରେଲ୍ ପିଛା ୫୦ରୁ ୫୫ ଡଲାରରେ ତୈଳ ଆମଦାନୀ କରୁଛି। କିନ୍ତୁ ଅନ୍ତର୍ଜାତୀୟ ବଜାରରୁ ତୈଳ ଆମଦାନୀ କଲେ ବ୍ୟାରେଲ୍ ପିଛା ୬୨ରୁ ୬୫ ଡଲାର ପୈଠ କରିବାକୁ ପଡ଼ିବ ଭାରତକୁ । ବ୍ୟାରେଲ୍ ପିଛା ୭ରୁ ୧୨ ଡଲାର ଅଧିକ ମୂଲ୍ୟରେ ତୈଳ କିଣିବା ସହିତ ପରିବହନ ଏବଂ ବୀମା ଖର୍ଚ୍ଚ ଯୋଡିଲେ ଭାରତର ତୈଳ ଆମଦାନୀ ଉପରେ ସାମଗ୍ରିକ ଭାବେ ୯ରୁ ୧୨ ବିଲିୟନ ଡଲାରର ଅଧିକ ଖର୍ଚ୍ଚ ହେବ ବୋଲି ବିଶ୍ଳେଷକମାନେ ଅନୁମାନ କରିଛନ୍ତି । ତେବେ ଏହି ବୋଝ ଭରଣା କରିବାକୁ ଭାରତୀୟ ତୈଳ କମ୍ପାନୀ ଗୁଡିକ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେବେ। ଯାହାର ପ୍ରଭାବ ବିଶେଷ ଭାବେ ଖାଉଟିଙ୍କ ଉପରେ ପଡ଼ିବ | ଏନେଇ ଆଶଙ୍କା ସୃଷ୍ଟି ହେଉଛି ।

