ହ୍ୱାଟସଆପ୍ ର ଗୋପନୀୟତା ପଲିସିକୁ ନେଇ ସୁପ୍ରିମକୋର୍ଟ କଡା ନିନ୍ଦା
ନୂଆଦିଲ୍ଲୀ,୦୩|୦୨ : ମେଟାକୁ ସୁପ୍ରିମ କୋର୍ଟଙ୍କ ତାଗିଦ୍। ହ୍ୱାଟସଆପ୍ ର ଗୋପନୀୟତା ପଲିସିକୁ ନେଇ ସୁପ୍ରିମକୋର୍ଟ କଡା ନିନ୍ଦା କରିଛନ୍ତି । ପ୍ରାଇଭେସି ପଲିସି ତଥା ବ୍ୟକ୍ତିଗତ ତଥ୍ୟର ପଲିସକୁ ନେଇ ସୋସିଆଲ ମେସେଜିଂ ଆପ୍ ହ୍ୱାଟସଆପ୍ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ । କୋର୍ଟ ସ୍ପଷ୍ଟ ଭାବରେ ମେଟା ଏବଂ ହ୍ୱାଟସଆପକୁ କହିଛନ୍ତି ଯେ, କୌଣସି କମ୍ପାନୀ ଡାଟା ସେୟାରିଂ ବାହାନାରେ ଏହି ଉପାୟରେ ଦେଶର ନାଗରିକ ବ୍ୟକ୍ତିଗତ ଗୋପନୀୟତାର ଅଧିକାରକୁ ଉଲ୍ଲଂଘନ କରିପାରିବ ନାହିଁ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧୀନରେ ଗଠନ ହୋଇଥିବା ଖଣ୍ଡପୀଠ ହ୍ୱାଟସଆପକୁ କହିଛନ୍ତି ଯେ, ଯଦି ଏହି କମ୍ପାନୀ ଭାରତର ନିୟମ ପାଳନ କରିବାକୁ ଚାହୁଁନାହିଁ, ତେବେ ଦେଶ ଛାଡି ଚାଲିଯିବା ଉଚିତ।
କୋର୍ଟଙ୍କ କହିବା ଅନୁସାରେ, ହ୍ୱାଟସଆପ୍ ସବୁବେଳେ ବ୍ୟବହାରୀଙ୍କ ପ୍ରାଇଭେସି ସହ ଖେଳିପାରିବ ନାହିଁ । ଏନେଇ କୋର୍ଟ ଅନୁମତି ଦେବେ ନାହିଁ । ଅତି ଛୋଟ ଛୋଟ ତଥ୍ୟ ବି ସେୟାର କରିବାକୁ ହ୍ୱାଟସଆପକୁ ଅନୁମତି ଦିଆଯିବ ନାହିଁ । କମ୍ପାନୀ ଭାରତୀୟ ନାଗରିକଙ୍କୁ ଏଭଳି ଭାବେ ଶୋଷଣ କରି ପାରିବ ନାହିଁ।
୨୦୨୧ରେ ହ୍ୱାଟସଆପର ଏକ ପଲିସିକୁ ନେଇ ମଙ୍ଗଳବାର କୋର୍ଟ ଶୁଣାଣି କରିଛନ୍ତି । ପୂର୍ବରୁ ଏନେଇ କମ୍ପାନୀ ଆଇନ ଟ୍ରିବ୍ୟୁନାଲ ହ୍ୱାଟସଆପ ଉପରେ ଲାଗିଥିବା ୨୧୩ କୋଟିର ଜରିମନାକୁ କାଏମ ରଖିଥିଲେ । ଏଥି ସହିତ କମିଶନ ଅଫ୍ ଇଣ୍ଡିଆ ଡାଟା ସେୟାରିଂକୁ କେବଳ ବିଜ୍ଞାପନ ପାଇଁ ବ୍ୟବହାର କରିବାକୁ କହିଥିଲେ । ତେବେ ଆଇନ ଟ୍ରିବ୍ୟୁନାଲ ଏନେଇ ଅନୁମତି ଦେଇଥିଲେ ବି କମ୍ପାନୀ ଏହାର ଦୁରୁପଯୋଗ ନ କରିବାନେଇ ସତର୍କ କରାଇଥିଲେ । କିନ୍ତୁ ପରେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।
ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ପ୍ରତିଯୋଗିତା ଆୟୋଗ ପକ୍ଷରୁ ନଭେମ୍ବର ୨୦୨୪ରେ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ୨୦୨୧ରେ ହ୍ୱାଟସଆପର ଗୋପନୀୟତା ନୀତିର ଯାଞ୍ଚ କରାଯାଇଥିଲା। ସେଥିରୁ ଜଣାପଡିଲାଯେ, ବ୍ୟବହାରକାରୀଙ୍କ ଉପରେ “ଏହାକୁ ନିଅ କିମ୍ବା ଛାଡିଦିଅ” ନୀତି ଲାଗୁ କରାଯାଇଥିଲା। ରିପୋର୍ଟରେ ଉଲ୍ଲେଖ କରାଯାଇଛିଯେ, ବ୍ୟବହାରକାରୀଙ୍କୁ ବାଦ୍ ଦେବାର ବିକଳ୍ପ ମଧ୍ୟ ଏଥିରେ ଦିଆଯାଇନଥିଲା। ଅନ୍ୟପଟେ, କମିଶନ କହିଛି ଯେ, ଏହା ପ୍ରତିଯୋଗିତା ଆଇନ ୨୦୦୨ ର ଉଲ୍ଲଂଘନ କରୁଛି। ତେବେ ଏହି ଆଧାରରେ, କମ୍ପାନୀ ଉପରେ ୨୧୩.୧୪ କୋଟି ଜରିମାନା ଲାଗୁ କରାଯାଇଥିଲା। ଏବେ ଏହି ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହେଉଛି।
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଳା ବାଗଚୀ ଏବଂ ବିଚାରପତି ବିପୁଲ ଏମ୍. ପାଞ୍ଚୋଲିଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠରେ ମାମଲାର ଶୁଣାଣି କରିବା ସମୟରେ ଘୋଷଣା କରିଛନ୍ତି ଯେ, ଆସନ୍ତା ଫେବୃଆରୀ ୯ରେ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦିଆଯିବ।ଏନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଭାରତରେ ଗୋପନୀୟତାର ନିୟମକୁ ଆହୁରି କଡ଼ାକଡ଼ି କରାଯିବ। କଡା ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି ଯେ, ଗୋପନୀୟତା ସର୍ତ୍ତାବଳୀ ଏତେ ଚତୁରତାର ସହିତ ବନଯାଇଛିଯେ, ସାଧାରଣ ନାଗରିକମାନେ ସେଗୁଡ଼ିକୁ ବୁଝିବା କଷ୍ଟକର । ଏବଂ ଏହି କମ୍ପାନୀଗୁଡ଼ିକ ତଥ୍ୟ ଚୋରି କରିବା ଜାରି ରଖିବେ ।
ଜଷ୍ଟିସ ସୂର୍ଯ୍ୟକାନ୍ତ ନିଜର ଏକ ଅଭିଜ୍ଞତାକୁ ନେଇ କହିଛନ୍ତି ଯେ,ଦେହ ଖରାପ ସମୟରେ ଜଣେ ବ୍ୟକ୍ତି ଡାକ୍ତରଙ୍କୁ ହ୍ୱାଟସଆପରେ ସମସ୍ୟା ସମ୍ପର୍କିତ ତଥ୍ୟ ଜଣାଇଥାଏ । ଯଦି ହ୍ୱାଟସଆପରେ ଡାକ୍ତର କିଛି ମେଡିସିନ୍ ପ୍ରେସକ୍ରାଇବ୍ କରିଥାନ୍ତି ତେବେ ତାର କିଛି ସମୟ ପରେ ସେହି ସବୁ ମେଡିସିନର ବିଜ୍ଞାପନ ଆସିବା ଆରମ୍ଭ ହୋଇଯାଏ ।
ଅନ୍ୟପଟେ, ମେଟା ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ଏବଂ ଅଖିଲ ସିବଲ କହିଛନ୍ତି ଯେ, ହ୍ୱାଟସଆପ ସଦାବେଳେ ମେସେଜର ଗୋପନୀୟତାକୁ ଗୁରୁତ୍ୱ ଦେଇ ଆସୁଛି । ଏପରିକି ହ୍ୱାଟସଆପର ଚାଟ୍ କୁ କମ୍ପାନୀ ନିଜେ ମଧ୍ୟ ପଢିପାରିବ ନାହିଁ । ମାତ୍ରା ଏହି ଉତ୍ତର ସୁପ୍ରିମକୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନଥିଲା ।

