ଅନ୍ଧ, ମୂକ, ବଧିର ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ
କଳାହାଣ୍ଡି,୪|୧: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟରୁ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ସ୍କୁଲ୍ର ମେଲ୍ ୱାର୍ଡେନ୍ ସନ୍ଧ୍ୟାଧର୍ଶନ ମହାପାତ୍ରଙ୍କ ବିରୁଦ୍ଧରେ ଛାତ୍ର ଓ ଛାତ୍ରୀମାନେ ଅସଦାଚରଣ ବ୍ୟବହାରର ଅଭିଯୋଗ କରିଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓ ଓ ଫୁଟେଜ୍ ପରେ ଏହି ଘଟଣାଟି ଚର୍ଚ୍ଚାର ପରିସରକୁ ଆସିଛି । ଏହି କର୍ମଚାରୀ ଜଣକ ପିଲାମାନଙ୍କୁ ମାନସିକ ନିର୍ଯାତନା ଦେବା ସହ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ କୁହାଯାଇଛି। ଏନେଇ ଛାତ୍ରଛାତ୍ରୀମାନେ ପୂର୍ବରୁ ଅଭିଯୋଗ ଆଣିଥିଲେ ମଧ୍ୟ ତାହାକୁ ଅବହେଳା କରାଯାଇଥିଲା ।
କିନ୍ତୁ ଏବେ ମାମଲା ସାମ୍ନାକୁ ଆସିବା ପରେ,ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଛି । କଳାହାଣ୍ଡି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର କହିଛନ୍ତି ଯେ, ଅଭିଯୋଗ ଗ୍ରହଣ କରାଯାଇଛି । ପ୍ରାଥମିକ ତଦନ୍ତ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଛି । ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ଏହି ମାମଲାର ଗଭୀର ତଦନ୍ତ ପାଇଁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି, ଯେଉଁଠି ଜିଲ୍ଲା ଶିକ୍ଷା ଅଧିକାରୀ, ସଦର ବିଡ଼ିଓ , ରେଡ-କ୍ରସ ଜିଲ୍ଲା ସମ୍ପାଦକ, ଏବଂ ଅନ୍ୟ ସମସ୍ତ ପ୍ରମୁଖ ସଦସ୍ୟ ଅଛନ୍ତି । ଘଟଣାକୁ ନେଇ କଳାହାଣ୍ଡି ଷ୍ଟୁଡେଣ୍ଟ୍ସ୍ ୟୁନିଅନ୍ ସହ ବିଭିନ୍ନ ସଂଗଠନ ନ୍ୟାୟ ଦାବି କରିଛନ୍ତି । ଏଭଳି ଅଭିଯୋଗ ପରେ ଏବେ ଦିବ୍ୟାଙ୍ଗ ଶିଶୁମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଏହି ମାମଲାକୁ ଗୁରୁତର ନେବା ସହିତ ପ୍ରଶାସନ କହିଛି ଯେ, ସତ୍ୟ ଉଜାଗର ହେବ ଏବଂ ଦୋଷୀ ସେ ନିଶ୍ଚୟ ଦଣ୍ଡ ପାଇବ |

