Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରପଞ୍ଚ ହେବା ଲୋଭ ସଜାଇଲା ହତ୍ୟାକାରୀ, ଝିଅକୁ ହତ୍ୟା ହତ୍ୟା କରି ନାଳକୁ ଠେଲିଦେଲା ବାପା

ମହାରାଷ୍ଟ୍ର,୧୦|୨: ଗ୍ରାମପଞ୍ଚାୟତ ନିର୍ବାଚନରେ ଗାଁ ସରପଞ୍ଚ ହେବାର ଆଶା ଶେଷରେ ହତ୍ୟାକାରୀ ସଜେଇଦେଲା | ୨୮ ବର୍ଷୀୟ ଯୁବକ ସରପଞ୍ଚ ପଦବୀ ପାଇଁ ଲଢ଼ିବାରେ ଯୋଗ୍ୟତା ହାସଲ ଲାଗି ନିଜର ତିନି ସନ୍ତାନଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଛନ୍ତି | ମହାରାଷ୍ଟ୍ର ଚଳିତ ବର୍ଷ ଜୁନ୍ ମାସରେ ହେବାକୁ ଥିବା ଗ୍ରାମାଞ୍ଚଳ ସ୍ଥାନୀୟ ସଂସ୍ଥା କିମ୍ବା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ, ଗାଁରେ ଏକ ସେଲୁନ୍ କରି ଜୀବିକା ନିର୍ବାହ କରୁଥିବା ୨୮ ବର୍ଷୀୟ ଯୁବକ ପାଣ୍ଡୁରଙ୍ଗ ଆଗାମୀ ପଞ୍ଚାୟତ ନିର୍ବାଚନରେ ​​ଲଢ଼ିବାକୁ ଆଗ୍ରହୀ ଥିଲେ। ସେ ଅନୁଭବ କଲେ ଯେ ତାଙ୍କର ମଧ୍ୟ ଗାଁର ସରପଞ୍ଚ ହେବାର କ୍ଷମତା ରହିଛି |

ତେବେ ଏହି ନିର୍ବାଚନ ପାଇଁ ଏକ ସ୍ୱତନ୍ତ୍ର ନିୟମ ରହିଥିଲା ଯାହା ପରେ ଯୁବକଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିଥିଲା | ମହାରାଷ୍ଟ୍ରର ପଞ୍ଚାୟତ ରାଜ ଆଇନ ଅନୁସାରେ, ଦୁଇରୁ ଅଧିକ ସନ୍ତାନ ଥିବା ଲୋକମାନେ ଗ୍ରାମାଞ୍ଚଳ ସ୍ଥାନୀୟ ସଂସ୍ଥା ଏହି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ତା ପରେ, କୋଣ୍ଡମଙ୍ଗଲେ ଗାଁର ବର୍ତ୍ତମାନର ସରପଞ୍ଚ ଗଣେଶ ସିନ୍ଦେଙ୍କଠାରୁ ପରାମର୍ଶ ନେବାକୁ ନିଷ୍ପତ୍ତି ନେଇଥିଲେ। ଅଭିଯୋଗ ଅନୁସାରେ, ସେମାନେ ବଡ଼ ଝିଅ ପ୍ରାଚୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚନା କରିଥିଲେ। ପୁଲିସର କହିବା ମୁତବକ, ସେମାନେ ପ୍ରଥମେ ପ୍ରାଚୀଙ୍କୁ ପୋଷ୍ୟ ସନ୍ତାନ ଭାବରେ ଦର୍ଶାଇବାକୁ ଚିନ୍ତା କରିଥିଲେ। କିନ୍ତୁ ଏହା ସମସ୍ୟାର ପ୍ରକୃତ ସମାଧାନର ବାଟ ନଥିଲା କାରଣ ଜନ୍ମ ପ୍ରମାଣପତ୍ରରେ ପ୍ରାଚୀ ତାଙ୍କ ସନ୍ତାନ ବୋଲି ଜନ୍ମ ଉଲ୍ଲେଖ କରାଯାଇଥିଲା। ଏହା ପରେ ପାଣ୍ଡୁରଙ୍ଗ ପ୍ରାଚୀକୁ ଅନ୍ୟ ସ୍ଥାନରେ ଛାଡ଼ିବାକୁ ଚିନ୍ତା କରିଥିଲେ। କିନ୍ତୁ ଯଦି ସେ ଫେରି ଆସିବ ତେବେ ପରିଣାମ ଅନ୍ୟ ପ୍ରକାର ହେବ ବୋଲି ଜାଣିଥିଲେ। ଶେଷରେ ସେମାନେ ପ୍ରାଚୀଙ୍କୁ ହତ୍ୟା କରି ଅପରାଧକୁ ଏକ ଦୁର୍ଘଟଣା ଭାବରେ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି କରିଥିଲେ ବୋଲି ପୋଲିସ ଦେଇଥିବା ସୂଚନାରୁ ଜଣାପଡିଛି |

ରିପୋର୍ଟ ଅନୁଯାୟୀ, ନାନ୍ଦେଦ ଜିଲ୍ଲାର ମୁଖେଦ ତାଲୁକାର କେରୁର ଗାଁର ଅଧିବାସୀ ପାଣ୍ଡୁରଙ୍ଗ କୋଣ୍ଡମଙ୍ଗଲେ ନାମକ ଅଭିଯୁକ୍ତ ନିଜର ଛଅ ବର୍ଷର ଝିଅକୁ ମହାରାଷ୍ଟ୍ରର ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାକୁ ନେଇ ନିଜାମସାଗର କେନାଲ ମଧ୍ୟକୁ ଠେଲି ଦେଇଥିଲେ। ପୁଲିସ ସୂଚନାନୁଯାୟୀ, ତିନି ଦିନ ପୂର୍ବେ ସେ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ଯେ, ସେ ଦୋକାନକୁ ଯାଉଛନ୍ତି । ଗଲାବେଳେ ସାଙ୍ଗରେ ୭ ବର୍ଷର ଝିଅ ପ୍ରାଚୀକୁ ନେଇ ଘରୁ ବାହାରି ଯାଇଥିଲେ। କିନ୍ତୁ ପରେ ସେ ଏକା ଘରକୁ ଫେରିଥିଲେ। ଝିଅ ବିଷୟରେ ପଚାରିବାରୁ ନାନା ବିଭ୍ରାନ୍ତିକର ଉତ୍ତର ଦେଇଥିଲେ | ଏହାକୁ ନେଇ ଘର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ମାମଲାରେ ନିଜାମାବାଦ ପୁଲିସ ପାଣ୍ଡୁରଙ୍ଗ ଓ ଗାଁର ସରପଞ୍ଚ ଗଣେଶ ରାମଚନ୍ଦ୍ର ସିନ୍ଦେଙ୍କୁ ଗିରଫ କରିଛନ୍ତି। ନିଜାମାବାଦ ପୁଲିସ କମିଶନର ପି ସାଇ ଚୈତନ୍ୟ କହିଛନ୍ତି, କିଛି ଦିନ ପୂର୍ବେ ୟେଡାପାଲିର ନିଜାମ ସାଗର କେନାଲରୁ ଏକ ଛୋଟ କନ୍ୟା ସନ୍ତାନର ମୃତଦେହ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ତଦନ୍ତରୁ ତାଙ୍କ ପରିଚୟ ପ୍ରାଚୀ ବୋଲି ଜଣାପଡିଥିଲା । ସେ ମହାରାଷ୍ଟ୍ରର ପଡ଼ୋଶୀ ନାନ୍ଦେଡ ଜିଲ୍ଲାର କେରୁର ଗାଁର ବାସିନ୍ଦା ବୋଲି ଜଣାପଡିଥିଲା। ପୁଲିସ ତାଙ୍କ ବାପାଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲା, କିନ୍ତୁ ପୋଲିସର ପଚରାଉଚୁରା କରିବା ସମୟରେ ସେ ପୁଲିସଙ୍କୁ ଭୁଲ୍ ତଥ୍ୟ ପ୍ରଦାନ କରିଥିଲେ | ଏବଂ ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ। ସାନଝିଅ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା କଥା ପୋଲିସକୁ କହିଥିଲେ। ତେବେ ପୋଲିସ ଏ ଉତ୍ତରରେ ସନ୍ତୁଷ୍ଟ ହୋଇ ନଥିଲା | ଘଟଣାର ଅଧିକ ତଥ୍ୟ ସଂଗ୍ରହ ପାଇଁ ପଚରାଉଚରା ପ୍ରକ୍ରିୟା ଜାରି ରଖିଥିଲା | ଶେଷରେ ଅଭିଯୁକ୍ତ ପାଣ୍ଡୁରଙ୍ଗ ଝିଅକୁ ହତ୍ୟା କରିଥିବାର ସ୍ୱୀକାର କରିଥିଲେ।

ନିଜାମାବାଦ ଜିଲ୍ଲା ତାଙ୍କ ଗାଁଠାରୁ ମାତ୍ର କିଛି କିଲୋମିଟରର ରାସ୍ତା ହୋଇ ଥିବାରୁ, ପାଣ୍ଡୁରଙ୍ଗ ଝିଅ ପ୍ରାଚୀଙ୍କୁ ଏକ ମୋଟରସାଇକେଲରେ ନିଜାମ ସାଗର କେନାଲକୁ ନେଇଯାଇଥିଲେ । ଝିଅକୁ ପାଣି ଭିତରକୁ ଠେଲି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରେ ପାଖ କ୍ଷେତରେ କାମ କରୁଥିବା କିଛି ଚାଷୀ ପାଣିରେ କୌଣସି ଜିନିଷ ପଡ଼ିବା ଶବ୍ଦ ଶୁଣି କେନାଲ ନିକଟକୁ ଆସିଥିଲେ। ସେମାନେ ଝିଅଟିର ମୃତଦେହ ପାଣି ଉପରେ ଭାସୁଥିବାର ଦେଖିଥିଲେ। ପରେ ପୁଲିସକୁ ଖବର ଦେଇଥିଲେ, ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସୋସିଆଲ ମିଡିଆରେ ଝିଅଟିର ଫଟୋଗ୍ରାଫ୍ ବହୁଳ ଭାବରେ ପ୍ରସାରିତ ହୋଇଥିଲା। ପରେ, ମହାରାଷ୍ଟ୍ରର ଏକ ଗାଁର ଜଣେ ଅଧିବାସୀ ପୁଲିସ ଅଧିକାରୀଙ୍କ ହ୍ୱାଟସଆପ୍ ଆକାଉଣ୍ଟରେ ପ୍ରାଚୀଙ୍କ ଫଟୋକୁ ଦେଖି ତାଙ୍କୁ ଚିହ୍ନି ପାରିଥିଲେ। ଏହି ସୂଚନା ପରେ, ଏକ ପୁଲିସ ଦଳ ଗାଁକୁ ଆସି ଅଧିକ ତଦନ୍ତ କରିଥିଲେ। ତେବେ ପ୍ରମାଣ ଆଧାରରେ ପାଣ୍ଡୁରଙ୍ଗ ଏବଂ ଗାଁ ସରପଞ୍ଚଙ୍କୁ ଗିରଫ କରିଛି ପୋଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories