Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାସ୍ଥ୍ୟସେବାରେ ଯୋଡିହେବ ୨୫୦ଟି ନୂତନ ଆମ୍ବୁଲାନ୍ସ! ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦|୨: ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ଉନ୍ନତ କରିବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ | କୋଣ-ଅନୁକୋଣରେ ସ୍ୱାସ୍ଥ୍ୟସେବାକୁ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୫୦ଟି ନୂତନ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି | ସୂଚନା ଯୋଗ୍ୟ, ରାଜ୍ୟ ସରକାର ୪୨୮ ଟି ନୂତନ ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବାରେ ଯୋଡିବାର ନିଷ୍ପତ୍ତି ନେଇଥିଲେ ଆଉ ଏଥିପାଇଁ ୧୧୧ କୋଟି ଟଙ୍କା ବିନିଯୋଗ ହେବାର ଥିଲା | ଏବେ ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇସାରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୫୦ଟି ନୂତନ ଆମ୍ବୁଲାନ୍ସର ଲୋକାର୍ପଣ ହୋଇଛି।

ଏଥିରେ ବିମାନବନ୍ଦର ପାଇଁ ୫ଟି ଏବଂ ଝାରସୁଗୁଡା ସ୍ଥିତ କାର୍ଡିଆକ କେୟାର ହସ୍ପିଟାଲ ପାଇଁ ୨ଟି ଅତ୍ୟାଧୁନିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି | ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ୧୧୧ କୋଟି ଟଙ୍କା ଖର୍ଚ୍ଚ ହେବ | ଏ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବିନିଯୋଗ କରିଛନ୍ତି |

ସୂଚନା ଯୋଗ୍ୟ, ୨୦୧୩ ମସିହାରେ ପ୍ରଥମ କରି ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ଓଡ଼ିଶାରେ ଆରମ୍ଭ ହୋଇଥିଲା | ତେବେ ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଲୋକଙ୍କ ସେବାରେ ନିୟୋଜିତ ରହିଛି |

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ସେବାର ଲୋକାର୍ପଣ କରିବା ସମୟରେ କହିଛନ୍ତିଯେ, ଅତି କମ୍ ସମୟ ମଧ୍ୟରେ ରୋଗୀଙ୍କୁ ହସ୍‌ପିଟାଲରେ ପହଞ୍ଚାଇବା ଏବଂ ଚିକିତ୍ସା ଅଭାବରୁ ହେଉଥିବା ମୃତ୍ୟୁ ହାରକୁ ହ୍ରାସ କରିବା ଆମର ମୁଖ୍ୟ ଲକ୍ଷ୍ୟ। ବିପଦ ସମୟରେ ଏହି ଆମ୍ବୁଲାନ୍ସ ସେବା ଲୋକଙ୍କ ପାଇଁ ଏକ ଭରସାଯୋଗ୍ୟ ‘ଜୀବନରେଖା’ ସାବ୍ୟାସ୍ତ ହେବ। ସଶକ୍ତ ଏବଂ ସୁରକ୍ଷିତ ଓଡ଼ିଶା ଗଠନ ଦିଗରେ ଆମର ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ